ସୁନ୍ଦରଗଡ଼(ବିଜୟ ବରୁଆ): ଚାକରିରୁ ଅବସର ନେବା ପାଇଁ ୧୭ ଦିନ ବାକି ଥିଲା। ହେଲେ ଆଜି ସକାଳେ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ବିଶ୍ୱଜିତଙ୍କ ସୁନ୍ଦରଗଡ଼ ଅଫିସ୍ ଓ ଘର ସମେତ ଭୁବନେଶ୍ୱର ସ୍ଥିତ ବାଲିଅନ୍ତା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ୍, ଜଗତସିଂହପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ଜଣେ ସମ୍ପର୍କୀଙ୍କ ଘର ଓ ରାଜଗାଙ୍ଗପୁରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ବିଭାଗର ୮ ଜଣ ଡିଏସପି, ଦୁଇ ଜଣ ଇନ୍ସିପେକ୍ଟର ଓ ୫ଜଣ ଏଏସ୍ଆଇଙ୍କ ସେମତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ଦୀର୍ଘଦିନ ହେଲା ବିଶ୍ୱଜିତ ମହାପାତ୍ର ଭିଜିଲାନ୍ସ ସ୍କାନରରେ ଥିଲେ। ତାଙ୍କ ନାଁରେ ଅନେକ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଥାଇ ସେ ଏମ୍ସିଏଲର ବିସ୍ଥାପିତଙ୍କୁ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।
ଜଣେ ଆରଆଇଙ୍କ ମାଧ୍ୟମରେ ସେ ବିସ୍ଥାପିତଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍ ଏହାର ତଦନ୍ତ କରିବା ପରେ ଆଜି ବିଶ୍ୱଜିତଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ଚାଲିଥିବାରୁ ସମ୍ପୂର୍ଣ୍ଣ ସମ୍ପତ୍ତିରେ ଆକଳନ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଫେବ୍ରୁଆରୀ ୨୮ ତାରିଖରେ ଚାକିରିରୁ ଅବସର ନେଇଥା’ନ୍ତେ।
The post ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ, ୧୭ ଦିନ ପରେ ନେଇଥା’ନ୍ତେ ଅବସର appeared first on Odisha Reporter.
from Odisha Reporter https://ift.tt/mBqLYtD
No comments:
Post a Comment