ମୁମ୍ବାଇ: ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍ରେ ଆଜି ସକାଳ ୮ଟା ୧୨ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।
୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଜନ୍ମ ହୋଇଥିଲେ ଲତା ମଙ୍ଗେଶକର। ତାଙ୍କ ବାପାଙ୍କ ନାଁ ଥିଲା ଦୀନାନାଥ ମଙ୍ଗେଶକର ଓ ମା’ଙ୍କ ନାଁ ଥିଲା ସେବନ୍ତୀ। ଦୀନାନାଥ ମଙ୍ଗେଶକର ଜଣେ ଗାୟକ ଓ ଥିଏଟର ଅଭିନେତା ଥିଲେ।
ଜନ୍ମବେଳେ ଲତାଙ୍କ ନାଁ ଥିଲା ହେମା। ପରେ ତାଙ୍କ ବାପାମା’ ତାଙ୍କ ନାଁ ଲତା ରଖିଥିଲେ। ଦୀନାନାଥଙ୍କ ଏକ ନାଟକର ଏକ ମହିଳା ଚରିତ୍ର ଲତିକା ଆଧାରରେ ଏହି ନାଁ ଦିଆଯାଇଥିଲା।
ଲତା ଥିଲେ ତାଙ୍କ ବାପାମା’ଙ୍କ ଜ୍ୟେଷ୍ଠ ସନ୍ତାନ। ମୀନା ଖଡ଼ିକର, ଆଶା ଭୋସଲେ, ଉଷା ମଙ୍ଗେଶକର ଓ ହୃଦୟନାଥ ମଙ୍ଗେଶକର ହେଉଛନ୍ତି ଲତାଙ୍କ ଭଉଣୀ ଓ ଭାଇ। ଆଉ ଏମାନେ ସମସ୍ତେ ଗାୟକ।
ସଂଗୀତ ଶିକ୍ଷାରେ ଲତାଙ୍କ ପ୍ରଥମ ଗୁରୁ ଥିଲେ ତାଙ୍କ ବାପା। ସେ କଥା କହିବା ଶିଖିବା ପରେ ପରେ ତାଙ୍କ ବାପା ତାଙ୍କୁ ଗୀତ ଶିଖାଇଥିଲେ। ମାତ୍ର ୫ ବର୍ଷ ବୟସରେ ଲତା ମଙ୍ଗେଶକର ତାଙ୍କ ବାପାଙ୍କ ଏକ ମରାଠୀ ଗୀତିନାଟ୍ୟରେ ଅଭିନୟ କରିଥିଲେ।
ଲତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା ସେତେବେଳେ ଦୀନାନାଥ ମଙ୍ଗେଶକରଙ୍କ ପରଲୋକ ହୋଇଯାଇଥିଲା। ଏହା ୧୯୪୨ ମସିହାର କଥା। ସେ ହୃଦ୍ରୋଗରେ ପୀଡ଼ିତ ହୋଇ ଚାଲିଯାଇଥିଲେ।
ଦୀନାନାଥଙ୍କ ମୃତ୍ୟୁ ପରେ ପାରିବାରିକ ବନ୍ଧୁ ମାଷ୍ଟର ବିନାୟକ (ବିନାୟକ ଦାମୋଦର କର୍ଣ୍ଣାଟକୀ) ତାଙ୍କ ପରିବାରର ଦେଖାଶୁଣା କରିଥିଲେ। ବିନାୟକଙ୍କର ‘ନବଯୁଗ ଚିତ୍ରପଟ’ ନାଁରେ ଏକ ଫିଲ୍ମ କଂପାନୀ ଥିଲା। ସେ ହିଁ ଲତାଙ୍କୁ ଜଣେ ଗାୟିକା ଓ ଅଭିନେତ୍ରୀ ଭାବେ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିଥିଲେ।
୧୯୪୨ରେ ଲତା ମରାଠୀ ଫିଲ୍ମ ‘କିତି ହସାଲ’ ପାଇଁ ଏକ ଗୀତ ଗାଇଥିଲେ। ତେବେ ଗୀତଟିକୁ ଶେଷ ମୁହୂର୍ତ୍ତରେ ଫିଲ୍ମରୁ ବାଦ୍ ଦିଆଯାଇଥିଲା। ସେହିବର୍ଷ ବିନାୟକଙ୍କ ଏକ ମରାଠୀ ଫିଲ୍ମରେ ଲତା ଏକ ଗୀତ ଗାଇଥିଲେ।
୧୯୪୫ରେ ଲତା ମୁମ୍ବାଇ (ତତ୍କାଳୀନ ବମ୍ବେ) ଚାଲି ଆସିଥିଲେ। କାରଣ ବିନାୟକଙ୍କ ଫିଲ୍ମ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇକୁ ସ୍ଥାନାନ୍ତର ହୋଇଥିଲା। ମୁମ୍ବାଇ ଆସିବା ପରେ ଭିଣ୍ଡିବଜାର ଘରାନାର ଉସ୍ତାଦ ଅମନ ଅଲୀ ଖାନଙ୍କ ଠାରୁ ସଂଗୀତ ଶିକ୍ଷା କରିଥିଲେ ଲତା। ୧୯୪୬ରେ ସେ ହିନ୍ଦୀ ଫିଲ୍ମ ‘ଆପ୍ କି ସେବା ମେଁ’ରେ ଏକ ଗୀତ ଗାଇଥିଲେ। ୧୯୪୫ରେ ବିନାୟକଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ‘ବଡ଼ି ମା’ରେ ଲତା ଓ ଆଶା ଛୋଟ ଚରିତ୍ରରେ ଅଭିନୟ କରିଥିଲେ। ସେହି ଫିଲ୍ମରେ ଲତା ଏକ ଭଜନ ’ମା’ ତେରେ ଚରୋଣ ମେଁ’ ଗାଇଥିଲେ। ୧୯୪୮ରେ ବିନାୟକଙ୍କ ମୃତ୍ୟୁ ପରେ ଲତାଙ୍କୁ ଗାୟିକା ଭାବେ କ୍ୟାରିୟର ଗଢ଼ିବା ପାଇଁ ଗାଇଡ୍ କରିଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର।
୧୯୪୮ରେ ଲତାଙ୍କୁ ମିଳିଥିବା ବଡ଼ ବ୍ରେକ୍। ତାଙ୍କୁ ଏହି ସୁଯୋଗ ଦେଇଥିଲେ ସଂଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର। ହିଟ୍ ଫିଲ୍ମ ‘ମଜବୁର’ର ଗୀତ ‘ଦିଲ୍ ମେରା ତୋଡ଼ା, ମୁଝେ କହିଁ କା ନା ଛୋଡ଼ା’ ଗାଇଥିଲେ ସେ। ଲତା ଯେତେବେଳେ ପ୍ରଥମେ ପ୍ରଥମେ ଗୀତ ଗାଉଥିଲେ ସେ ନୂର ଜାହାଁଙ୍କୁ ଅନୁକରଣ କରୁଥିଲେ ବୋଲି କୁହାଯାଉଥିଲା। କିନ୍ତୁ ପରେ ସେ ନିଜସ୍ୱ ଶୈଳୀରେ ଗୀତ ଗାଇଥିଲେ।
ଲତା ଉଭୟ ହିନ୍ଦୀ ଓ ମରାଠୀରେ ଗୀତ ଗାଉଥିଲେ। ସେ ଏକ ହଜାରରୁ ଅଧିକ ହିନ୍ଦୀ ଫିଲ୍ମରେ ଗୀତ ଗାଇଛନ୍ତି। ହିନ୍ଦୀ ଓ ମରାଠୀ ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ବି ସେ ଗୀତ ଗାଇଛନ୍ତି।
ଲତା ମଙ୍ଗେଶକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା। ତାଙ୍କୁ ଫିଲ୍ମ ଫେୟାର ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା।
୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା।
The post ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/gsfvD0x
No comments:
Post a Comment