ନୂଆଦିଲ୍ଲୀ: ସବୁ ଦିନ ପାଇଁ ନୀରବି ଗଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ବେଳେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ।
ଗତ ଜାନୁଆରୀ ମାସରେ କୋଭିଡ୍ରେ ଆକ୍ରାନ୍ତ ହେବା ପରେ ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଲତା ମଙ୍ଗେଶକର। ସେ ନିମୋନିଆରେ ବି ପୀଡ଼ିତ ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିଛି ଦିନ ତଳେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତେବେ ଗତକାଲି ତାଙ୍କ ଅବସ୍ଥା ପୁଣି ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ୮ଟା ୧୨ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଲତା ମଙ୍ଗେଶକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା। ତାଙ୍କୁ ଫିଲ୍ମ ଫେୟାର ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇଥିଲା।
୧୯୬୯ରେ ଲତା ମଙ୍ଗେଶକରଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ୧୯୯୯ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ଲତାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟ ମିଳିଥିଲା। ଫ୍ରାନ୍ସ ସରକାର ତାଙ୍କୁ ଅଫିସର ଅଫ୍ ଦ ଲିଜିୟନ ଅଫ୍ ଅନରରେ ସମ୍ମାନିତ କରିଥିଲେ। ମଧ୍ୟ ପ୍ରଦେଶ ସରକାର ତାଙ୍କ ନାଁରେ ଏକ ପୁରସ୍କାର ମଧ୍ୟ ଦେଉଛନ୍ତି।
The post ଲତାଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା appeared first on Odisha Reporter.
from Odisha Reporter https://ift.tt/MWErCq4
No comments:
Post a Comment