ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ‘ଦୁର୍ବୃତ୍ତମାନେ ମୋ’ଠୁ ୧୭ ହଜାର ଟଙ୍କା ଛଡ଼ାଇ ନେଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନି ଦେବାରୁ ସେମାନେ ମାରିଦେବାକୁ ମୋ ପଛରେ ପଡ଼ିଛନ୍ତି। ମୁଁ ଜଙ୍ଗଲ ଭିତରେ ଲୁଚିଛି। ମୋତେ ରକ୍ଷା କର । ’ ବଞ୍ଚିବାକୁ ଦୁର୍ବୃତ୍ତଙ୍କ ସହ ଦୀର୍ଘ ସମୟର ଲୁଚକାଳି ଖେଳ ତଥା ମେସେଜ ଜରିଆରେ ସାଙ୍ଗମାନଙ୍କୁ ଆକୁଳ ନିବେଦନ ସତ୍ତ୍ୱେ ଶେଷରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଖି ବୁଜିଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟା ଗାଁ ର ଜିତେନ୍ଦ୍ର ଦଳେଇ ।
ସୂଚନା ଅନୁଯାୟୀ, ଗତକାଲି ସକାଳେ ଜିତେନ୍ଦ୍ର ନିଜ ଶ୍ୱଶୁର ଘର ଛତ୍ରପୁରକୁ ଯାଇଥିବା ବେଳେ ସେଠାରୁ ସନ୍ଧ୍ୟାରେ ନିଜ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ହେଲେ ବଡ ଘାଟି ନିକଟରେ ୫ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ଏଥିସହ ତାଙ୍କ ନିକଟରେ ଥିବା ୧୭ ହଜାର ଟଙ୍କା ନେଇ ଯାଇଥିଲେ।
ଏହାପରେ ଜିତେନ୍ଦ୍ର ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନି ଦେବାରୁ କାଳେ ବାହାରେ ନାଁ ପ୍ରଘଟ କରିଦେବେ ସେଥିଲାଗି ସେମାନେ ତାଙ୍କୁ ହତ୍ୟା କରିବାକୁ ଗୋଡ଼ାଇଲେ। ପ୍ରାଣ ବିକଳରେ ଜିତେନ୍ଦ୍ର ନିକଟସ୍ଥ ଜଙ୍ଗଲରେ ପଶି ଦୌଡ଼ିବାକୁ ଲାଗିଲେ। ଏପରିକି ନିଜ ଜୀବନ ବଞ୍ଚାଇବାକୁ ଗ୍ରୁପରେ ସାଙ୍ଗମାନଙ୍କ ପାଖକୁ ମେସେଜ ବି ଛାଡ଼ିଲେ। ଏପରିକି ଦୁର୍ବୃତ୍ତମାନେ ହତ୍ୟା କରିବାକୁ ଖୋଜୁଥିବାରୁ ପୁଲିସ୍କୁ ଖବର ଦେଇ ତୁରନ୍ତ ଉଦ୍ଧାର କରିବାକୁ କାକୁତିମିନତି ହୋଇଥିଲେ। ହେଲେ ଦୀର୍ଘ ସମୟର ଛକାପଞ୍ଝା ପରେ ଦୁର୍ବୃତ୍ତମାନେ ତାଙ୍କୁ ଖୋଜି ହତ୍ୟା କରିଥିବା ଜଣାଯାଇଛି।
ପରିବାର ଲୋକ ଖୋଜାଖୋଜି କରିବା ପରେ ମୃତ ଅବସ୍ଥାରେ ଜିତେନ୍ଦ୍ରଙ୍କୁ ପାଇଥିଲେ। ତାଙ୍କ ମୃତଦେହ ଖଲ୍ଲିକୋଟ ଷ୍ଟେସନ ନିକଟ ଟ୍ରେନ ଲାଇନ ସାଇଡରେ ଫିଙ୍ଗା ହୋଇଥିବା ଦେଖିବାକୁ ପାଇ ପରିବାର ଲୋକ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି।
The post ଦୁର୍ବୃତ୍ତ ମୋତେ ମାରିଦେବେ,ରକ୍ଷା କର; କାମ ଦେଲାନି ଆକୁଳ ନିବେଦନ appeared first on Odisha Reporter.
from Odisha Reporter https://ift.tt/gvMZB1Q
No comments:
Post a Comment