ବେଙ୍ଗାଲୁରୁ: ଥମିବା ନାଁ ଧରୁନି ହିଜାବ ଝଡ଼ । ଏହାକୁ କେନ୍ଦ୍ର କରି ସ୍କୁଲ, କଲେଜରେ ଉତ୍ତେଜନା ଦେଖାଦେବାରୁ ପୁଣି ଥରେ ଘୁଞ୍ଚିଛି ଶିକ୍ଷାନୁଷ୍ଠାନ ଖୋଲିବା ତାରିଖ ।
ଗତ ୮ ତାରିଖରୁ କର୍ଣ୍ଣାଟକ ସରକାର ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିଦେଇଥିଲେ। ଇତି ମଧ୍ୟରେ ୫ ଦିନ ଅତିକ୍ରମ କରି ସାରିଥିଲେ ବି ଥମୁନି ହିଜାବ ତାତି। ଫଳରେ ପୁଣିଥରେ ସ୍କୁଲ, କଲେଜ ଖୋଲାଯିବା ତାରିଖକୁ ଘୁଞ୍ଚାଇ ଦେଇଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟର ସମସ୍ତ ଡିଗ୍ରୀ ଓ ଡିପ୍ଲୋମା କଲେଜକୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଥିବା ଗତକାଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଏହାବାଦ ୧୦ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ସମଗ୍ର ରାଜ୍ୟରେ ଆସନ୍ତା ୧୪ ତାରିଖରେ ଖୋଲିବ ବୋଲି ଦିନ ନିର୍ଦ୍ଧାରିତ କରାଯାଇଛି। ତେଣୁ ଏହି ସମୟରେ ହାଇକୋର୍ଟଙ୍କ ଆଦେଶ ପାଳନ କରି ସ୍କୁଲ, କଲେଜରେ ଶାନ୍ତି ସୁନିଶ୍ଚିତ କରିବାକୁ କର୍ଣ୍ଣାଟକ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଏପରିକି ଘଟଣାର ସମୀକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବା ଜଣାଯାଇଛି। କିନ୍ତୁ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବା ସହ ଅନଲାଇନ୍ କ୍ଲାସ ଚାଲୁ ରହିବ ବୋଲି କହିଛନ୍ତି କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ।
ଏପରି ସମୟରେ ସ୍କୁଲ, କଲେଜରେ ଶାନ୍ତି ବଜାୟ ରଖିବାକୁ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯିବ କି ବୋଲି ସାମ୍ବାଦିକମାନେ ପଚାରିବାରୁ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ। ଏଥିସହ ଏବେ ପିଲାମାନଙ୍କର ଅନଲାଇନ୍ କ୍ଲାସ୍ ଚାଲୁଥିବାରୁ ସେମାନଙ୍କ ଉପରେ ମୋବାଇଲ, କମ୍ପ୍ୟୁଟର, ଲାପଟପ, ନେଟ ଆଦି ବ୍ୟବହାର ଉପରେ କୌଣସି କଟକଣା ଲଗା ଯାଇପାରିବନି । ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଆମେ ପ୍ରତିଶୃତିବଦ୍ଧ ଥିବାରୁ ଏପରି କଟକଣା ଲଗାଇବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ସମଗ୍ର କର୍ଣ୍ଣାଟକରେ ହିଜାବ ବିବାଦ ତେଜିବାରେ ଲାଗିବାରୁ କର୍ଣ୍ଣାଟକ ସରକାର ଗତ ୮ ତାରିଖରୁ ୩ ଦିନ ପାଇଁ ରାଜ୍ୟର ସମସ୍ତ ହାଇସ୍କୁଲ ଓ କଲେଜକୁ ବନ୍ଦ କରି ଦେଇଥିଲେ। ଏହି ମାମଲା ଏବେ କର୍ଣ୍ଣାଟକ ହାଇକୋର୍ଟରେ ବିଚାରାଧୀନ ଅଛି। ହିଜାବ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ଧର୍ମୀୟ ଭାବନା ସହ ଜଡ଼ିତ କୌଣସି ପୋଷାକ ପରିଧାନ ନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ୟୁନିଫର୍ମ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହା ସାମ୍ବିଧାନିକ ଅଧିକାରର ଉଲ୍ଲଘଂନ ବୋଲି କହି ଗତକାଲି ଜଣେ ଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ। କିନ୍ତୁ ଜରୁରୀ ଶୁଣାଣି ପାଇଁ ସିଧାସଳଖ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଏଥିସହ ସ୍କୁଲକୁ ହିଜାବ ପିନ୍ଧି ଆସିବାକୁ ମୁସଲିମ୍ ଛାତ୍ରୀ ଅଡି ବସିବାରୁ ଶାନ୍ତି ବଜାୟ ରଖିବା ନିମନ୍ତେ ସ୍କୁଲ, କଲେଜ ଖୋଲିବାକୁ ଆଉ କିଛି ଦିନ ଘୁଞ୍ଚାଇ ଦିଆଯାଇଛି।
The post କର୍ଣ୍ଣାଟକରେ ଥମୁନି ହିଜାବ ଝଡ଼, ଘୁଞ୍ଚିଲା ସ୍କୁଲ, କଲେଜ ଖୋଲିବା ତାରିଖ appeared first on Odisha Reporter.
from Odisha Reporter https://ift.tt/QaWcevm
No comments:
Post a Comment