ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀମାନଙ୍କ ଯାଏ ସମସ୍ତେ ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଉଛନ୍ତି। ହେଲେ ସ୍ୱାଧୀନର ୭୫ ବର୍ଷ ପରେ ମଧ୍ୟ ଦେଶର ୨୫ ହଜାରରୁ ଅଧିକ ଗାଁରେ ମୋବାଇଲ ଓ ଇଣ୍ଟରନେଟ ସେବା ପହଞ୍ଚି ପାରିନି। ମହାମାରୀ କରୋନା ଦେଶରେ ପ୍ରବେଶ କରିବା ପରେ ପାଠପଢ଼ା ଠାରୁ ବ୍ୟବସାୟୀ ଯାଏ ଡିଜିଟାଲ ମୋଡରେ ହୋଇଥିଲା। କିନ୍ତୁ ମୋବାଇଲ ଓ ଇଣ୍ଟରନେଟ ନଥିବା ଗାଁଗୁଡ଼ିକ ଅବସ୍ଥା ସେତେବେଳେ କେମିତି ଥିବ, ତାହା ଏପରି ତଥ୍ୟରୁ ବେଶ ଅନୁମେୟ।
ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଲା, ମୋବାଇଲ ଓ ଇଣ୍ଟରନେଟ ନଥିବା ଗାଁ ଗୁଡ଼ିକ ତାଲିକାରେ ଓଡ଼ିଶା ୧ନଂ ସ୍ଥାନରେ ରହିଛି। ଏହାର ଅର୍ଥ ଓଡ଼ିଶାର ସର୍ବାଧିକ ଗାଁରେ ମୋବାଇଲ ଓ ଇଣ୍ଟରନେଟ ସୁବିଧା ନାହିଁ।
ଲୋକସଭାରେ ଯୋଗାଯୋଗ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁଯାୟୀ, ଦେଶର ୨୫,୦୬୭ଟି ଗାଁରେ ମୋବାଇଲ ଓ ଇଣ୍ଟରନେଟ ସେବା ଏଯାଏ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। ମନ୍ତ୍ରଣାଳୟ କହିଛି ଯେ ଦେଶର ୫,୯୭,୬୧୮ଟି ଗାଁ ମଧ୍ୟରୁ ୪% ଅର୍ଥାତ ୨୫,୦୬୭% ଗାଁରେ ମୋବାଇଲ ଓ ଇଣ୍ଟରନେଟ ସେବା ପହଞ୍ଚି ପାରିନାହିଁ। ଏହା ମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୬୦୯୯ ଗାଁ ରହିଛି।
ଓଡ଼ିଶା ପଛକୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରହିଛନ୍ତି। ମଧ୍ୟପ୍ରଦେଶର ୨,୬୧୨,ମହାରାଷ୍ଟ୍ରର ୨,୩୨୮, ଅରୁଣାଚଳ ପ୍ରଦେଶର ୨,୨୨୩, ଛତିଶଡ଼ଗର ୧୮୪୭, ଆନ୍ଧ୍ର ପ୍ରଦେଶର ୧,୭୮୭, ମେଘାଳୟର ୧୬୭୪, ଝାରଖଣ୍ଡର ୧୧୪, ରାଜସ୍ଥାନର ୯୪୧, ଆସାମର ୬୧୬, ଗୁଜରାଟର ୫୧୨, ମଣିପୁରର ୪୬୩, କର୍ଣ୍ଣାଟକାର ୪୪୧, ଉତ୍ତରାଖଣ୍ଡର ୪୨୬, ହିମାଚଳର ୩୮୩, ଉତ୍ତର ପ୍ରଦେଶର ୩୨୭, ବିହାରର ୨୪୫, ମିଜୋରାମର ୨୦୬, ଜମ୍ମୁ-କଶ୍ମୀରର ୧୫୪, ତେଲେଙ୍ଗାନାର ୧୫୩, ଆଣ୍ଡାମାନ ନିକୋବର ୧୫୧, ନାଗାଲାଣ୍ଡ ୧୪୪, ତାମିଲନାଡୁ ୪୯, ତ୍ରିପୁରାର ୩୧, ଗୋଆର ୨୮, ସିକ୍କିମର ୧୦, ପଶ୍ଚିମବଙ୍ଗର ୮ ଓ ଲାକ୍ଷାଦ୍ୱୀପର ମାତ୍ର ୧ ଗାଁରେ ମୋବାଇଲ ଏବଂ ଇଣ୍ଟରନେଟ ସେବା ନାହିଁ। କେରଳ, ପଞ୍ଜାବ, ତାମିଲନାଡୁ ଓ ହରିଆଣା ଭଳି କିଛି ରାଜ୍ୟର ଗାଁ ଗୁଡ଼ିକରେ ମୋବାଇ ସଂଯୋଗ ବ୍ୟବସ୍ଥା ସର୍ବାଧିକ ରହିଛି।
ଦୁର୍ଗମ ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ସମସ୍ତଙ୍କୁ ମୋବାଇଲ ସେବା ଯୋଗାଇ ଦେବା ପାଇଁ ୨୦୦୨ ମସିହାରେ ୟୁନିଭର୍ସାଲ ସର୍ଭିସ ଓବଲିଗେସନ ଫଣ୍ଡ(ୟୁଏସ୍ଓଏଫ) ସ୍କିମ ଆରମ୍ଭ କରାଯାଇଥିଲା। ଏହି ସ୍କିମରେ ସାମିଲ ହୋଇଥିବା ୪୩% ବା ୧୧ ହଜାର ଗାଁକୁ ଇଣ୍ଟରନେଟ ସେବା ପହଞ୍ଚା ଯାଇପାରିନି।
ସେହିପରି ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଥିବା ୱାଇଫାଇ ମଧ୍ୟରୁ କେବଳ ୫୧% ସଚଳ ହୋଇ ରହିଛି। ବାକି ୪୯% ୱାଇଫାଇ ବନ୍ଦ ପଡ଼ିଛି।
ଭାରତ ନେଟ ପ୍ରୋଜେକ୍ଟ ଅଧୀନରେ ଜାନୁଆରୀ ୨୦୨୨ ସୁଦ୍ଧା ୧,୦୪,୨୫୯ ଗ୍ରାମ ପଞ୍ଚାୟତରେ ୱାଇଫାଇ ହଟସ୍ପଟ ସଂଯୋଗ କରାଯାଇଥିଲା। କିନ୍ତୁ ଏହା ମଧ୍ୟରୁ କେବଳ ୫୩,୯୧୩ଟି ପଞ୍ଚାୟତରେ ୱାଇଫାଇ ହଟସ୍ପଟ କାର୍ଯ୍ୟକ୍ଷମ ହେଉଛି। ୱାଇଫାଇ ହଟସ୍ପଟ ପ୍ରତିଷ୍ଠା ସତ୍ତ୍ୱେ ସେବା ଆରମ୍ଭ ହୋଇ ପାରି ନଥିବା ୭୦% ଗ୍ରାମ ପଞ୍ଚାୟତ ଆନ୍ଧ୍ରରେ ରହିଛି। ମଣିପୁରରେ ୧୬୧ଟି ସରକାରୀ ହଟସ୍ପଟ ଲାଗିଥିଲା। ଏହା ମଧ୍ୟରୁ କେବଳ ୭ଟିରୁ ଲୋକେ ସେବା ପାଉଛନ୍ତି। ତେଲେଙ୍ଗାନାର ୧୯୯୫ ହଟସ୍ପଟ ମଧ୍ୟରୁ ୩୫୫ଟିରେ ଇଣ୍ଟରନେଟ ସଂଯୋଗ ହୋଇପାରିଛି।
The post ଏମିତି ଚାଲିଛି ଡିଜିଟାଲ ଇଣ୍ଡିଆ: ଓଡ଼ିଶାର ସର୍ବାଧିକ ଗାଁରେ ନାହିଁ ମୋବାଇଲ ସୁବିଧା appeared first on Odisha Reporter.
from Odisha Reporter https://ift.tt/zuPXaQw
No comments:
Post a Comment