ନୂଆଦିଲ୍ଲୀ: ବିଭିନ୍ନ ସମୟରେ ନିଖୋଜ ହୋଇ ଯାଉଥିବା ପିଲାଙ୍କ ମଧ୍ୟରୁ ୭୩ ଜଣ ଏବେ ପୁଣି ସେମାନଙ୍କ ବାପା ମା’ଙ୍କ ପାଖକୁ ଫେରିବାକୁ ସକ୍ଷମ ହୋଇଛନ୍ତି। ଦିଲ୍ଲୀ ପୁଲିସ୍ର ଲେଡି କନଷ୍ଟେବଲ ସୁନିତାଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି। ସେ ୮ ମାସ ମଧ୍ୟରେ ଏତେ ସଂଖ୍ୟକ ପିଲାଙ୍କୁ ଠାବ କରିବାକୁ ସକ୍ଷମ ହୋଇଛନ୍ତି। ସୁନିତା ମାତ୍ର ୩ ଦିନ ମଧ୍ୟରେ ୪ ଜଣ ପିଲାଙ୍କୁ ଠାବ କରିଥିବା ଦିଲ୍ଲୀ ପୁଲିସ୍ ପକ୍ଷରୁ କୁହାଯାଇଛି।
ରବିବାର ବିକାଶପୁରୀର ଇନ୍ଦିରା କ୍ୟାମ୍ପ ନଂ ୨ରୁ ଜଣେ ୭ ବର୍ଷର ଜଣେ ବାଳକ ନିଖୋଜ ହୋଇଯାଇଥିଲା। ପିଲାଟି ଏଠାରେ ତା’ ଜେଜେବାପାଙ୍କ ସହ ରହୁଥିଲା। ଏହି ଖବର ମିଳିବା ପରେ ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ସହ ସିସିଟିଭର ଯାଞ୍ଚ କରିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ସୁନିତା ପିଲାଟିକୁ ଠାବ କରିବା ସହ ଜେଜେବାପାଙ୍କୁ ହସ୍ତାନ୍ତର କରିଥିଲେ।
ଫେବୃଆରୀ ୧୫ରେ ମାୟାପୁରୀ ଅଞ୍ଚଳରୁ ଜଣେ ୧୩ ବର୍ଷୀୟ ଝିଅ ନିଖୋଜ ହୋଇଯାଇଥିଲେ। ଏହି ଘଟଣାରେ ମଧ୍ୟ ସୁନିତା ମାୟାପୁରୀ ଅଞ୍ଚଳରୁ ଝିଅଟିକୁ ଉଦ୍ଧାର କରିଥିଲେ ବୋଲି ଆଡିସନାଲ ଡେପୁଟି କମିଶନର(ପଶ୍ଚିମ) ପ୍ରଶାନ୍ତ ଗୌତମ କହିଛନ୍ତି।
ଫେବୃଆରୀ ୨୬ରେ ୨ ଜଣ ପିଲା ଓ ସେମାନଙ୍କ ମା’ କାନଝୱାଲା ଅଞ୍ଚଳରୁ କେଉଁ ଆଡ଼େ ହଜି ଯାଇଥିବା ଖବର ମିଳିଥିଲା। ଏହାପରେ ଏଏସ୍ଆଇ ସୁରେଶ କୁମାର ଓ ସୁନିତାଙ୍କୁ ନେଇ ଗଠନ ହୋଇଥିବା ଟିମ୍ ସମସ୍ତଙ୍କୁ ଉଦ୍ଧାର କରିଥିଲେ।
ସୁନିତା ୨୦୧୪ ମସିହା ନଭେମ୍ବର ୧୦ରେ ଦିଲ୍ଲୀ ପୁଲିସ୍ରେ ଯୋଗ ଦେଇଥିଲେ। ପ୍ରାଥମିକ ତାଲିମ ପରେ ସେ ଏକାଧିକ ୟୁନିଟରେ କାମ ଆରମ୍ଭ କରିଥିଲେ। ପିସିଆର, ସି୪ଆଇ କମାଣ୍ଡ ରୁମ ସିପିସିଆର, ପୁଲିସ୍ ମୁଖ୍ୟାଳୟରେ କାମ କରିବା ପରେ ତାଙ୍କର ବଦଳି ପଶ୍ଚିମ ଦିଲ୍ଲୀକୁ ହୋଇଥିଲା। ଏବେ ସେ ଗୋଟିଏ ବର୍ଷ ହେଲାଣି ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ(ଏଏଚ୍ଟିୟୁ)ରେ କାମ କରୁଛନ୍ତି।
୨୦୧୯ ମସିହା ପୁଲିସ୍ ମୁଖ୍ୟାଳୟ ଅପହରଣ ଓ ନିଖୋଜ ପିଲାଙ୍କୁ ଠାକ କରୁଥିବା କର୍ମଚାରୀଙ୍କୁ ସମ୍ମାନୀତ କରିବା ପାଇଁ ଗୋଟିଏ ନୀତି କାର୍ଯ୍ୟକାରୀ କରିଥିଲା। ସାମାୟାପୁର ବଡଲି ପୁଲିସ୍ ଷ୍ଟେସନରେ କାର୍ଯ୍ୟରତ ହେଡ କନଷ୍ଟେବଲ ସୀମା ଢାକା ପ୍ରଥମ ମହିଳା କର୍ମଚାରୀ ଭାବେ ଏହି ନୀତି ଅନୁଯାୟୀ ସମ୍ମାନୀତ ହୋଇଥିଲେ। ସେ ଗୋଟିଏ ବର୍ଷ ମଧ୍ୟରେ ୫୦ ଜଣ ନିଖୋଜ ପିଲାଙ୍କୁ ଠାବ କରି ଅଭିଭାବକଙ୍କ ସହ ମିଶାଇଥିଲେ।
ଏହି କାମକୁ ଚାରିଆଡ଼େ ପ୍ରଶଂସା କରାଯାଇଥିଲା। ତାଙ୍କ ଠାରୁ ପ୍ରେରଣା ପାଇ ସୁନିତା ମଧ୍ୟ ନିଖୋଜ ପିଲାଙ୍କୁ ଠାବ କରିବାରେ ଲାଗିଛନ୍ତି। ସୁନିତା ୮ ମାସ ମଧ୍ୟରେ ଅପହରଣ କିମ୍ବା ନିଖୋଜ ହୋଇଥିବା ୭୩ ଜଣ ପିଲାଙ୍କୁ ଠାବ କରି ସାରିଲେଣି। ଉଦ୍ଧାର ହୋଇଥିବା ୧୫ ଜଣ ପିଲାଙ୍କ ବୟସ ୮ ବର୍ଷରୁ କମ ହୋଇଥିବା ବେଳେ ବାକିଙ୍କ ବୟସ ୮ରୁ ୧୬ ବର୍ଷ ମଧ୍ୟରେ ବୋଲି ପୁଲିସ୍ କହିଛି।
ଏହି କାର୍ଯ୍ୟ ଦକ୍ଷତା ପାଇଁ ସୁନିତାଙ୍କୁ ହେଡ କନଷ୍ଟେବଲର ମାନ୍ୟତା ଦେବାକୁ ମୁଖ୍ୟାଳୟ ପକ୍ଷରୁ ସୁପାରିସ କରାଯାଇଛି। ଏହାଦ୍ୱାରା ଅନ୍ୟମାନେ ମଧ୍ୟ ଅନୁପ୍ରାଣିତ ହୋଇପାରିବେ ବୋଲି ପୁଲିସ୍ କହିଛି।
The post ୭୩ ନିଖୋଜ ପିଲାଙ୍କୁ ଖୋଜି ଆଣିଲେଣି ଏହି ଲେଡି କନଷ୍ଟେବଲ appeared first on Odisha Reporter.
from Odisha Reporter https://ift.tt/qC1AdML
No comments:
Post a Comment