କୋରାପୁଟ (ଓଡ଼ିଶା ରିପୋର୍ଟର): କୋଟିଆ ସମେତ ୬ ପଞ୍ଚାୟତକୁ ନେଇ ଗଠିତ ପଟାଙ୍ଗୀ ଜିଲ୍ଲା ପରିଷଦ ଜୋନ୍-୧ରୁ ଏଥର ଛିଡ଼ା ହୋଇଥିଲେ ସର୍ବଦଳୀୟ ପ୍ରାର୍ଥୀ। ଅର୍ଥାତ୍ ସବୁ ଦଳ ମିଶି ଜଣଙ୍କୁ କରିଥିଲେ ପ୍ରାର୍ଥୀ। ଉଦ୍ଦେଶ୍ୟ ଥିଲା କୋଟିଆ ପ୍ରସଙ୍ଗରେ ରାଜ୍ୟର ସବୁ ରାଜନୀତିକ ଦଳଙ୍କ ଏକ ସ୍ୱର ବୋଲି ଆନ୍ଧ୍ର ପ୍ରଦେଶକୁ ଦେଖାଇବା। ତେବେ ନିର୍ବାଚନରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭୋଟର। ସେମାନେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରି ଛିଡ଼ା ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କ ଉପରେ ଭରସା କରିଛନ୍ତି। ମମତା ଜାନିଙ୍କୁ ୩ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି ଟିକାଇ। ଆଉ ଏହି ଫଳାଫଳ ସବୁ ଦଳକୁ ବଡ଼ ଧକ୍କା ଦେଇଛି।
ତିନି ପ୍ରମୁଖ ଦଳ- ବିଜେଡି, ବିଜେପି ଓ କଂଗ୍ରେସ ଏଥର କୋଟିଆ ପ୍ରସଙ୍ଗରେ ଏକାଠି ହୋଇ ପଟାଙ୍ଗୀ ଜିଲ୍ଲା ପରିଷଦ-୧ ଆସନରୁ ନିର୍ବାଚନ ବଦଳରେ ମନୋନୀତ ପ୍ରାର୍ଥୀଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ କରି ଜିଲ୍ଲା ପରିଷଦକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ଏହିକ୍ରମରେ ମମିତା ଜାନିଙ୍କୁ ସର୍ବଦଳୀୟ ପ୍ରାର୍ଥୀ କରାଯାଇଥିଲା। ତେବେ ପୂର୍ବତନ ବିଧାୟକ ଚନ୍ଦ୍ରମା ସାଉଁନ୍ତାଙ୍କ ନାତୁଣୀ ବୋହୂ ଟିକାଇ ଗେମେଲ ଏହାକୁ ଗ୍ରହଣ କରି ପାରି ନଥିଲେ। ଗଣତନ୍ତ୍ରରେ ସମସ୍ତଙ୍କର ଲଢ଼ିବାର ହକ୍ ଅଛି ବୋଲି କହି ସେ ପ୍ରାର୍ଥୀ ହୋଇଥିଲେ।
ଏକୁଟିଆ ନିଜ ସମର୍ଥକଙ୍କ ସହ ପ୍ରଚାର କରିଥିବା ଟିକାଇ ଗେମେଲ ଭୋଟରଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି। ପଟାଙ୍ଗୀ ଜିଲ୍ଲା ପରିଷଦ ଜୋନ୍-୧ରେ ମୋଟ ୨୨,୩୧୮ ଭୋଟରଙ୍କ ମଧ୍ୟରୁ ୧୮,୦୬୦ ଜଣ ମତ ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦,୩୫୪ ଖଣ୍ଡ ଭୋଟ ଟିକାଇ ଗେମେଲଙ୍କ ସପକ୍ଷରେ ପଡ଼ିଥିଲା। ସେହିପରି ସର୍ବଦଳୀୟ ପ୍ରାର୍ଥୀ ମମିତା ଜାନିଙ୍କ ସପକ୍ଷରେ ୬,୬୪୪ ଖଣ୍ଡ ଭୋଟ୍ ପଡ଼ିଥିଲା। ସର୍ବଦଳୀୟ ପ୍ରାର୍ଥୀଙ୍କୁ ଟିକାଇ ଗେମେଲ ୩,୭୧୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଅଞ୍ଚଳବାସୀ ବିଜୟୀ କରାଇଥିବାରୁ ଏହାର ବିକାଶ ତାଙ୍କର ମୂଖ୍ୟ ଲକ୍ଷ୍ୟ ହେବ ବୋଲି ଟିକାଇ କହିଛନ୍ତି।
The post କୋଟିଆରେ ‘ସର୍ବଦଳୀୟ ପ୍ରାର୍ଥୀ’ ରଣନୀତି ଫେଲ୍, ବାଜି ମାରିଲେ ଟିକାଇ ଗେମେଲ appeared first on Odisha Reporter.
from Odisha Reporter https://ift.tt/JWRDG1r
No comments:
Post a Comment