ନୂଆଦିଲ୍ଲୀ: ଭାରତକୁ ମିଳିଛି କରୋନା ବିରୋଧୀ ସିଙ୍ଗଲ ଡୋଜ୍ ଟିକା। ରବିବାର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଦେଶରେ ସ୍ପୁଟନିକ ଲାଇଟ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଏହା ୯ମ କରୋନା ବିରୋଧୀ ଟିକା ଭାବେ ଦେଶରେ ବ୍ୟବହାର ପାଇଁ ଅନୁମତି ପାଇଥିବା ସେ କହିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଟ୍ୱିଟ କରି କହିଛନ୍ତି, “ଭାରତରେ ସିଙ୍ଗଲ ଡୋଜ୍ କୋଭିଡ-୧୯ ଟିକା ସ୍ପୁଟନିକ ଲାଇଟର ଜରୁରୀକାଳିନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି। ଏହା ଦେଶର ୯ମ କୋଭିଡ ଟିକା। ମହାମାରୀ ବିରୋଧରେ ଦେଶରେ ଚାଲିଥିବା ସାମୂହିକ ଲଢ଼େଇକୁ ଏହା ଆହୁରି ବଳ ଦେବ।”
ଶନିବାର ସବଜେକ୍ଟ ଏକ୍ସପର୍ଟ କମିଟି ରୁଷ ନିର୍ମିତ ସ୍ପୁଟନିକ ଲାଇଟର ବ୍ୟବହାର ସପକ୍ଷରେ ମତ ରଖିଥିଲା। ଦେଶରେ ଏହାର ବ୍ୟବହାର ଆରମ୍ଭ କରିବା ପାଇଁ ଅନୁମତି ଦେବାକୁ ଡିସିଜିଆଇ ଆଗରେ ପ୍ରସ୍ତାବ ବି ରଖିଥିଲା। ଏହି ପ୍ରସ୍ତାବକୁ ଗ୍ରହଣ କରି ଡିସିଜିଆଇ ସ୍ପୁଟନିକ ଲାଇଟକୁ ଗ୍ରୀନ ସିଗ୍ନାଲ ଦେଇଛି।
ରୁଷର ଗାମେଲିୟା ଇନଷ୍ଟିଚ୍ୟୁଟ ସ୍ପୁଟନିକ ଲାଇଟ୍ ସିଙ୍ଗଲ ଡୋଜ୍ କରୋନା ଟିକା ପ୍ରସ୍ତୁତ କରିଛି। ଭାରତରେ ଏହାର ୩ଟି ପର୍ଯ୍ୟାୟ ଟ୍ରାଏଲ ହାଇଦ୍ରାବାଦ ସ୍ଥିତ ଡା ରେଡ୍ଡୀ ଲ୍ୟାବ ନେତୃତ୍ୱରେ କରାଯାଇଥିଲା। ଟ୍ରାଏଲ ବେଳେ ସଫଳତା ମିଳିବାରୁ ଏବେ ଟିକାର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ସ୍ପୁଟନିକ ଲାଇଟକୁ ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଥିବାରୁ ଏବେ ଲୋକମାନଙ୍କୁ ଆଉ କରୋନା ଟିକାର ଡବଲ ଡୋଜ୍ ନେବାକୁ ପଡ଼ିବନି। ଗୋଟିଏ ଡୋଜ୍ ହିଁ କରୋନାକୁ ମାତ୍ ଦେବାକୁ ସକ୍ଷମ ହେବ।
DCGI has granted emergency use permission to Single-dose Sputnik Light COVID-19 vaccine in India.
This is the 9th #COVID19 vaccine in the country.
This will further strengthen the nation’s collective fight against the pandemic.
— Dr Mansukh Mandaviya (@mansukhmandviya) February 6, 2022
ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) କହିଛି, ସିଙ୍ଗଲ ଡୋଜ୍ ସ୍ପୁଟନିକ ଲାଇଟ କରୋନା ଟିକା ନେବାର ୨୮ ଦିନ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି। ଏହା କରୋନାକୁ ମାତ୍ ଦେବାରେ ୭୯.୪% ସଫଳ। ୨୦୨୦ ଡିସେମ୍ବର ୫ରୁ ୨୦୨୧ ଏପ୍ରିଲ ୨୧ ମଧ୍ୟରେ ଲୋକଙ୍କୁ ଟିକାର ସିଙ୍ଗଲ ଡୋଜ୍ ଦିଆଯାଇ ପରୀକ୍ଷା କରାଯାଇଥିଲା। ରୁଷରେ ଟିକାର ୩ୟ ପର୍ଯ୍ୟାୟ ଟ୍ରାଏଲରେ ୭ ହଜାର ଲୋକ ସାମିଲ ହୋଇଥିଲେ।
ଏହାବାଦ ୟୁଏଇ, ଘାନା ଓ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହାର ଟ୍ରାଏଲ କରାଯାଇଛି। ଟ୍ରାଏଲ ବେଳେ ସକାରାତ୍ମକ ଫଳାଫଳ ମିଳିଥିବାରୁ ରୁଷ ଗତବର୍ଷ ଠାରୁ ସ୍ପୁଟନିକ ଲାଇଟର ବ୍ୟବହାର କରୁଛି। ସେହିପରି ଟ୍ରାଏଲ ଶେଷ କରିଥିବା ଦେଶଗୁଡ଼ିକ ମଧ୍ୟ ସିଙ୍ଗଲ ଡୋଜ୍ ଟିକାକୁ ବ୍ୟବହାର କରି ସଫଳତା ପାଇଛନ୍ତି।
ଭାରତରେ ଗତବର୍ଷ ଜୁଲାଇ ମାସରେ ସ୍ପୁଟନିକ ଲାଇଟର ଜରୁରୀକାଳିନ ବ୍ୟବହାର ପାଇଁ ସୁପାରିସ କରାଯାଇଥିଲା। କିନ୍ତୁ ଦେଶରେ ଟିକାର ପରୀକ୍ଷା ହୋଇ ନଥିବାରୁ ଡିସିଜିଆଇ ଏହାକୁ ଆଗ୍ରାହ୍ୟ କରି ଦେଇଥିଲା। ଏବେ ଟ୍ରାଏଲ ପରେ ଟିକାର ବ୍ୟବହାର ପାଇଁ ଅନୁମତି ମିଳିଛି।
ନିକଟରେ ‘ଦି ଲାନ୍ସେଟ୍’ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କୋଭିଡ୍-୧୯ ବିପକ୍ଷରେ ‘ସ୍ପୁଟ୍ନିକ୍-ଲାଇଟ୍’ ୭୮.୬% ରୁ ୮୩.୭% ଫଳପ୍ରଦ ହେଉଛି। ଆର୍ଜେଣ୍ଟିନାର ୪୦ ହଜାର ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ‘ସ୍ପୁଟ୍ନିକ୍-ଲାଇଟ୍’ ଟିକା ନେଇଥିବା ବ୍ୟକ୍ତି ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନେ ଡାକ୍ତରଖାନା ଯିବା ସମ୍ଭାବନାକୁ ୮୨.୧% ରୁ ୮୭.୬% ପର୍ଯ୍ୟନ୍ତ ହ୍ରାସ ପାଉଛି ବୋଲି ଅଧ୍ୟୟନରୁ ଜଣାପଡ଼ିଛି।
The post ଭାରତକୁ ମିଳିଲା ସିଙ୍ଗଲ ଡୋଜ୍ କରୋନା ଟିକା appeared first on Odisha Reporter.
from Odisha Reporter https://ift.tt/gcHbqp8
No comments:
Post a Comment