ବେଜିଂ: ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ଚାଇନା ଓ ପାକିସ୍ତାନ। ରବିବାର ବେଜିଂରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏହାପରେ ଦୁଇ ଦେଶ ପକ୍ଷରୁ ଜାରି ମିଳିତ ବିବୃତିରେ କଶ୍ମୀର ପ୍ରସଙ୍ଗକୁ ସ୍ଥାନ ଦିଆଯାଇଛି। ସ୍ଥିତି ବିଗାଡ଼ିବା ଭଳି ଯେକୌଣସି ଏକତରଫା କାର୍ଯ୍ୟାନୁଷ୍ଠାନକୁ ଚାଇନା ଦୃଢ଼ ଭାବେ ବିରୋଧ କରିବ ବୋଲି ଏଥିରେ କୁହାଯାଇଛି। ଏଥିସହ ଇମ୍ରାନ ଖାନ ମଧ୍ୟ ବୈଠକ ବେଳେ କଶ୍ମୀର ବିଷୟରେ ଜିନିପିଙ୍ଗକୁ ସବୁ କଥା କହିଛନ୍ତି।
ଭାରତ ସରକାରଙ୍କ ପକ୍ଷରୁ ଏଯାଏ ଏହା ଉପରେ ବିଧିବଦ୍ଧ ଭାବେ ପ୍ରତିକ୍ରିୟା ପ୍ରକାଶ ପାଇନି। କିନ୍ତୁ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଉଭୟ ପାକିସ୍ତାନ ଓ ଚାଇନା ମନେରଖିବା ଦରକାର ବୋଲି ସରକାରୀ ସୂତ୍ରରେ କୁହାଯାଇଛି।
ଚାଇନା ଓ ପାକିସ୍ତାନ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ ଇସଲାମାବାଦ ନିକଟରେ କଶ୍ମୀରରେ ଘଟୁଥିବା ଘଟଣା ବିଷୟରେ ବେଜିଂକୁ ଅବଗତ କରାଇଛି। ଏଥିରେ ଜମ୍ମୁ-କଶ୍ମୀରକୁ ନେଇ ପାକିସ୍ତାନ ପ୍ରକଟ କରିଥିବା ଚିନ୍ତା, ସ୍ଥିତାବସ୍ଥା ଓ ଆଭିମୁଖ୍ୟ ଆଦି ବିଷୟ ରହିଛି।
ପାକିସ୍ତାନ ଠାରୁ ସବୁ କଥା ଶୁଣିବା ପରେ ଚାଇନା ମଧ୍ୟ କଶ୍ମୀରକୁ ନେଇ ତା’ର ମତ ରଖିଛି। ଚାଇନାର କହିବା କଥା କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଗୋଟିଏ ବିବାଦ। ଏଥିସହ ଏହି ବିବାଦ ଶାନ୍ତିପୂର୍ଣ୍ଣ ଓ ଜାତିସଂଘ ସୁରକ୍ଷା ପରିଷଦର ଗାଇଡଲାଇନ ଅନୁସାରେ ସମାଧାନ ହେବା ଉଚିତ। ଉଭୟ ଦେଶ ପରସ୍ପର ସହ କରିଥିବା ଚୁକ୍ତିକୁ ମଧ୍ୟ ପାଳନ କରିବା ଦରକାର ବୋଲି ବେଜିଂ ମତ ରଖିଛି। ହେଲେ କଶ୍ମୀରକୁ ନେଇ କୌଣସି ଏକତରଫା କାର୍ଯ୍ୟାନୁଷ୍ଠାନକୁ ଚାଇନା କେବେ ହେଲେ ସହ୍ୟ କରିବ ନାହିଁ ବୋଲି ମିଳିତ ବିବୃତିରେ କୁହାଯାଇଛି। ଏହି ବିବୃତିରେ ଆଲୋଚନା ଓ ସଂକଳ୍ପ ଦ୍ୱାରା ବିବାଦର ସମାଧାନ କରି ଆଞ୍ଚଳିକ ସହଭାଗିତା ପ୍ରତିଷ୍ଠା କରିବା ଦିଗରେ ପରାମର୍ଶ ମଧ୍ୟ ଦିଆଯାଇଛି।
ଚାଇନା ଓ ପାକିସ୍ତାନ ନିଜର ମିଳିତ ବିବୃତିରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ନାହାନ୍ତି। ପୂର୍ବରୁ ମଧ୍ୟ ଦୁଇ ଦେଶ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଇବାର ନଜିର ରହିଛି। ହେଲେ କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କହି ନୂଆଦିଲ୍ଲୀ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇ ଆସୁଛି। ତଥାପି ରବିବାର ଉଭୟ ଦେଶ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି।
ସୂଚନାଯୋଗ୍ୟ, ବେଜିଂ ୱିଣ୍ଟର ଅଲିମ୍ପିକ୍ସ ପାଇଁ ଇମ୍ରାନ ଖାନଙ୍କ ସମେତ ପ୍ରାୟ ୨୦ଟି ଦେଶର ପ୍ରତିନିଧି ଚାଇନା ଗସ୍ତ କରିଛନ୍ତି। ୪ ତାରିଖରେ ଏମାନେ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ। ତେବେ ଭାରତ, ଆମେରିକା ଓ ବ୍ରିଟେନ ଭଳି ଅନେକ ଦେଶ ଚାଇନାର ଆଚରଣକୁ ବିରୋଧ କରି ଏହି ଉତ୍ସବକୁ କୂଟନୀତିକସ୍ତରରେ ବୟକଟ କରିଛନ୍ତି।
The post ଜିନପିଙ୍ଗ ଓ ଇମ୍ରାନଙ୍କ ଭେଟଘାଟ ବେଳେ ଉଠିଲା କଶ୍ମୀର ପ୍ରସଙ୍ଗ appeared first on Odisha Reporter.
from Odisha Reporter https://ift.tt/gl9LRhY
No comments:
Post a Comment