ଜୟପୁର: ରାଜସ୍ଥାନର ସମସ୍ତ ୨୦୦ ବିଧାୟକଙ୍କୁ ବଡ଼ ଉପହାର ଦେଇଛନ୍ତି ଅଶୋକ ଗେହଲଟ ସରକାର। ରାଜ୍ୟ ବଜେଟ ଉପସ୍ଥାପନ କରିବା ପରେ ସରକାରଙ୍କ ପକ୍ଷରୁ ବିଧାୟକମାନଙ୍କୁ ଆଇଫୋପ ୧୩ ଗିଫ୍ଟ କରାଯାଇଛି। ଏହି ଉପହାର ପାଇଁ ସବୁ ବିଧାୟକ ବେଶ ଖୁସି ମଧ୍ୟ ଦେଖାଯାଇଛନ୍ତି। ଗତବର୍ଷ ସରକାର ବିଧାୟକମାନଙ୍କୁ ଆଇ-ପ୍ୟାଡ୍ ସହ ଗୋଟିଏ ଲେଖାଏ ବଜେଟ କପି ଦେଇଥିଲେ।
ପ୍ରତିବର୍ଷ ଆଟାଚି ଭିତରେ ବିଧାୟକମାନଙ୍କୁ ବଜେଟର କପି ଦିଆଯାଏ। ହେଲେ ଏଥର ସରକାର ସ୍ମାର୍ଟ ଲେଦର ଆଟାଚି ବିଧାୟକମାନଙ୍କୁ ଦେଇଥିଲେ। ଏହା ଭିତରେ ରହିଥିଲା ନୂଆ ଆଇଫୋନ ୧୩ ମୋବାଇଲ। ଏହି ମୋବାଇଲର ଦାମ ୭୫ ହଜାରୁ ୧ ଲକ୍ଷ ଟଙ୍କା। ମୋବାଇଲ ସହ ସରକାର ସମସ୍ତଙ୍କୁ ବଜେଟର କପି ମଧ୍ୟ ଦେଇଛନ୍ତି।
ଏପରି ଦାମୀ ଉପହାର ବାବଦରେ ସରକାର ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅଧିକାଂଶ ବିଧାୟକ ଉପହାର ପାଇବା ପରେ ଦଳମତ ନିର୍ବିଶେଷରେ ବେଶ ଖୁସି ପ୍ରକାଶ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ବିରୋଧୀ ବିଜେପିର ରାଜ୍ୟ ମୁଖ୍ୟ ସତୀଶ ପୁନିଆ କହିଛନ୍ତି, ଦଳୀୟ ବିଧାୟକମାନେ ସେମାନଙ୍କ ଆଇଫୋନ ୧୩ ସରକାରଙ୍କୁ ଫେରାଇ ଦେବେ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପି ବିଧାୟକଙ୍କ ସହଖ୍ୟା ୭୧।
ସତୀଶ କହିଛନ୍ତି, “ସମସ୍ତ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବା ପରେ ବିଜେପି ବିଧାୟକମାନେ ଉପହାର ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆର୍ଥିକ ବୋଝକୁ ଦୃଷ୍ଟିରେ ରଖି କଂଗ୍ରେସ ସରକାର ଦେଇଥିବା ଆଇଫୋନ ବିଜେପି ବିଧାୟକମାନେ ଫେରାଇବେ।”
ଅନ୍ୟପକ୍ଷରେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ବଜେଟରେ ଅନେକ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଆସନ୍ତାବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ବିଜୁଳି ଦର ହ୍ରାସ କରିଥିବା ବେଳେ ଏମଜିନରେଗା ଭଳି ସହାରାଞ୍ଚଳରେ ମଧ୍ୟ ଲୋକଙ୍କ ପାଇଁ କାମ କରିବାର ଗ୍ୟାରେଣ୍ଟି ସ୍କିମ ଲାଗୁ ହେବ ବୋଲି କହିଛନ୍ତି।
ଏହି ସ୍କିମ ଅନୁଯାୟୀ, ସହରରେ ରହୁଥିବା ଗରିବଙ୍କୁ ୧୦୦ ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବ। ସେହିପରି ସରକାରୀ କର୍ମଚାରୀଙ୍କ ପାଇଁ ପେନସନ ବ୍ୟବସ୍ଥା ମଧ୍ୟ ପୂର୍ବଭଳି ଲାଗୁ ହେବ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ସରକାର ଶିଳ୍ପ ମାନ୍ୟତା ଦେଇଛନ୍ତି।
ପ୍ରଥମଥର ପାଇଁ ରାଜ୍ୟ ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ଚାଷୀଙ୍କ ଆୟ ୨ ଗୁଣ କରିବା ପାଇଁ ୧୧ଟି ଯୋଜନାର ବ୍ୟବସ୍ଥା କରାଯାଇଛି।
The post ସରକାରଙ୍କ ବଡ଼ ଉପହାର: ୨୦୦ ବିଧାୟକଙ୍କୁ ଦେଲେ ଆଇଫୋନ ୧୩ appeared first on Odisha Reporter.
from Odisha Reporter https://ift.tt/h3A1OXH
No comments:
Post a Comment