ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ। ଏହା ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ଭୋଟ୍ ପାଇଁ ବାଲାଟ୍ ପେପରର ବ୍ୟବସ୍ଥା ହୋଇଛି। ଗୋଟିଏ ଗୋଟିଏ ବୁଥ୍ରେ ୩ ଶହରୁ ୫ଶହ ଭିତରେ ଭୋଟର୍ ଭୋଟ୍ ଦେବାର ବ୍ୟବସ୍ଥା ହୋଇଛି।
ଭୋଟର୍ ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସରଙ୍କ ନିକଟରେ ଯାଞ୍ଚ କରାଉଛନ୍ତି। ପରିଚୟ ଯାଞ୍ଚ ପାଇଁ ଭୋଟର୍ ଆଇଡି, ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯାଉଛି। ତାଲିକାରେ ନାଁ ଯାଞ୍ଚ ପରେ ସେକେଣ୍ଡ ପୋଲିଂ ଅଫିସର୍ ପାଖକୁ ଯାଇ ବାଁ ହାତର ବିଶି ଅଙ୍ଗୁଳିରେ କାଳି ଲଗାଇ ସେଠାରୁ ୪ଟି ପଦବୀ ପାଇଁ ବାଲାଟ୍ ପେପର୍ ନେଇ ପୋଲିଂ ଚ୍ୟାମ୍ବରକୁ ଯାଉଛନ୍ତି। ସରପଂଚ ପଦବୀ ଲାଗି ଗୋଲାପୀ, ଓ୍ୱାର୍ଡ ମେମ୍ବର ଲାଗି ହଳଦିଆ, ସମିତି ସଭ୍ୟ ଲାଗି ନୀଳ ଓ ଜିଲ୍ଲା ପରିଷଦ ଜୋନ୍ ଲାଗି ଧଳା ରଙ୍ଗର ବାଲାଟ୍ ପେପର୍ ଦିଆଯାଉଛି। ଭୋଟର୍ ମାନେ ପୋଲିଂ ଚ୍ୟାମ୍ବରରେ ବାଲାଟ୍ ପେପର ଗୁଡ଼ିକରେ ନିଜର ମନ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ପରେ ସେଗୁଡ଼ିକୁ ନେଇ ଭୋଟ୍ ବାକ୍ସରେ ଭର୍ତ୍ତି କରୁଛନ୍ତି।
ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ଭିତରୁ ୨୦୦ଟିରେ ଭୋଟ୍ ଗ୍ରହଣ କରାଯାଉଛି। ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ସମେତ ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ସେହିପରି ୨୨,୩୭୯ଟି ଓ୍ୱାର୍ଡ ସଭ୍ୟ ପାଇଁ ବି ମତଦାନ ଚାଲିଛି। ଆଜି ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୨,୩୭୯ଟି ବୁଥ୍ର ବ୍ୟବସ୍ଥା ହୋଇଛି। ଏଥିରୁ ୩୩୫୭ଟି ବୁଥ୍ ଉତ୍ତେଜନାପ୍ରବଣ। ଶାନ୍ତଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ନିମନ୍ତେ ମୋଟ ୨୨୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ରାଜ୍ୟ ସଶସ୍ତ୍ର ପୁଲିସ, ଇଣ୍ଡିଆନ ରିଜର୍ଭ ବାଟାଲିୟନ ଓ ସ୍ପେଶାଲ ରିଜର୍ଭ ବାଟାଲିୟନର ଯବାନଙ୍କ ସମେତ ମୋଟ ୩୭,୨୪୫ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି।
The post ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ସକାଳୁ ୭ଟାରୁ ଭୋଟ୍ ଦେଉଛନ୍ତି ଲୋକେ appeared first on Odisha Reporter.
from Odisha Reporter https://ift.tt/tN7c6hg
No comments:
Post a Comment