ନୂଆଦିଲ୍ଲୀ: ଇସ୍ରାଏଲର ଏନଏସ୍ଓ ତିଆରି କରିଥିବା ପେଗାସସ ସ୍ପାଇୱେୟାରକୁ ନେଇ ଦେଶରେ ହଟଚମଟ ଚାଲିଥିବା ବେଳେ ଏହାର ତଦନ୍ତ ଆଗକୁ ବଢ଼ି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁଇନ୍ଦାଗିରି ପାଇଁ ଦେଶର ପ୍ରମୁଖ ୩୦୦ ବ୍ୟକ୍ତିଙ୍କ ବିରୋଧରେ ପେଗାସସ୍କୁ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗତବର୍ଷ ଅକ୍ଟୋବରରେ ଗୋଟିଏ କମିଟି ବା ପ୍ୟାନେଲ ଗଠନ କରିଥିଲେ। କିନ୍ତୁ ଏହି କମିଟିର ତଦନ୍ତ ଏବେ ଅଧାରେ ଅଟକି ରହିଛି। ତଦନ୍ତ ବେଳେ ପ୍ୟାନେଲ ଅଭିଯୋଗକାରୀଙ୍କ ମୋବାଇଲ ଓ କମ୍ପ୍ୟୁଟର ଭଳି ଡିଭାଇସର ଟେକ୍ନିକାଲ ଯାଞ୍ଚ କରିବାକୁ ଚାହିଁଥିଲା। ହେଲେ ଅଧିକାଂଶ ଲୋକ ସେମାନଙ୍କ ଡିଭାଇସକୁ ପ୍ୟାନେଲ ନିକଟରେ ଜମା କରି ନାହାନ୍ତି। ଏଥିଯୋଗୁ ପ୍ୟାନେଲର ତଦନ୍ତ ଆଗକୁ ବଢ଼ିପାରୁନି ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ପ୍ୟାନେଲ ନିକଟରେ ସାମ୍ବାଦିକ ଜେ ଗୋପିକ୍ରିଷ୍ଣନ ଓ ଝାରଖଣ୍ଡର ସାମାଜିକ କର୍ମୀ ରୂପେଶ କୁମାର ହିଁ ସେମାନଙ୍କ ଫୋନକୁ ଟେକ୍ନିକାଲ ଯାଞ୍ଚ ପାଇଁ ଦାଖଲ କରିଛନ୍ତି। ସେହିପରି ସେମାନଙ୍କ ମଧ୍ୟରୁ ଜଣେ ପ୍ୟାନେଲ ଆଗରେ ନିଜର ବୟାନ ରେକର୍ଡ କରାଇଛନ୍ତି।
ପୂର୍ବରୁ ଭିଡିଓ କନଫରେନ୍ସ ଜରିଆରେ ଯେଉଁ ୮ ଜଣ ପେଗାସସ୍ ସମ୍ପର୍କରେ ପ୍ରମାଣ ପ୍ୟାନେଲ ପାଖରେ ରେକର୍ଡ କରାଇଥିଲେ ସେମାନେ ନିଜର ଫୋନ ଦାଖଲ କରିନାହାନ୍ତି। ସେହିପରି ପ୍ରାୟ ୧୨ ଜଣ ଲୋକ କେବଳ ଯାଞ୍ଚ ସମ୍ପର୍କରେ ପଚାରି ଚୁପ ବସି ଯାଇଛନ୍ତି। ସେମାନେ ପ୍ୟାନେଲ ସହ ଆଉ କୌଣସି ପ୍ରକାରର ଯୋଗାଯୋଗ କରୁନାହାନ୍ତି।
ତଦନ୍ତ ଅଟକି ରହିଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାର ନିଯୁକ୍ତ ପ୍ୟାନେଲ ୨ ଥର ମିଡିଆ ଜରିଆରେ ସହଯୋଗ ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି। ପ୍ରଥମେ ଜାନୁଆରୀ ୧୨ରେ ପ୍ୟାନେଲ ପକ୍ଷରୁ ନୋଟିସ କରାଯାଇଥିଲା। ହେଲେ କେହି ବି ଏହାର ଜବାବ ଦେଇ ନଥିଲେ। ଏହାପରେ ପୁଣିଥରେ ଗୁରୁବାର ତଦନ୍ତରେ ସାମିଲ ହେବାକୁ ସମସ୍ତଙ୍କୁ କୁହାଯାଇଛି। ଏଥିରେ ପେଗାସସ ବିରୋଧରେ ଅଭିଯୋଗ କରିଥିବା ଲୋକମାନଙ୍କୁ ସେମାନଙ୍କ ଫୋନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି।
ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ ହୋଇଥିବା ଲ୍ୟାବ ଯାଞ୍ଚରେ ଅତିକମରେ ୧୪ ଜଣ ସାମାଜିକ କର୍ମୀ, ସାମ୍ବାଦିକ, ବିରୋଧୀ ଦଳ ନେତା ଓ ଅନ୍ୟ ଲୋକଙ୍କ ଫୋନକୁ ପେଗାସସ୍ ଦ୍ୱାରା ହ୍ୟାକ କରାଯାଇଥିବା ସ୍ପଷ୍ଟ ହୋଇଛି। ଏହାପରେ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ପ୍ୟାନେଲ ଗଠନ କରିଛନ୍ତି। ଏଥିରେ ଟେକ୍ନିକାଲ ବିଶେଷଜ୍ଞ ମଧ୍ୟ ରହିଛନ୍ତି। ହେଲେ ଅଭିଯୋଗକାରୀ ନିଜର ଫୋନ ଯାଞ୍ଚ ପାଇଁ ଦାଖଲ ନ କଲେ, କେମିତି ତଦନ୍ତ ଆଗକୁ ବଢ଼ିବ, ତା’ହା ବର୍ତ୍ତମାନ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ମାସରେ ଭାରତର ଦୁଇ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍ ଜରିଆରେ ଗୁଇନ୍ଦାଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ କିଛି ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି ଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା। ଏହି ବ୍ୟକ୍ତିମାନଙ୍କ ଫୋନ୍ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍।
ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍ସଆପ୍ ଚ୍ୟାଟ୍, ଫେସ୍ବୁକ୍ ଅପଡେଟ୍ ଆଦି ବହୁ ତଥ୍ୟ ଫୋନ୍ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍ ସ୍ପାଇୱେୟାର୍ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍ ବିଶ୍ୱର ବହୁ ଲୋକଙ୍କର ଫୋନ୍ ତଥ୍ୟ ହାସଲ କରିଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଓ ଫରବିଡିନ୍ ଷ୍ଟୋରିଜ୍ ଦାବି କରିଥିଲେ।
ଏହି ଦୁଇ ସଂସ୍ଥା ସହିତ ଆଉ କେତେକ ସଂସ୍ଥା ମିଶି ପେଗାସସ୍ ପ୍ରକଳ୍ପ ନାମରେ କିଛି ବର୍ଷ ହେଲା ଏକ ଅନୁସନ୍ଧାନ ଚଳାଇଥିଲେ। ଏହି ଦୁଇ ସଂସ୍ଥା ସହ ସାମିଲ ଥିବା ଅନ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ହେଲେ ଆମେରିକାର ୱାଶିଂଟନ୍ ପୋଷ୍ଟ, ଇଂଲଣ୍ଡର ଦ ଗାର୍ଡ଼ିଆନ୍, ଫ୍ରାନ୍ସର ଲେ ମଣ୍ଡେ ଓ ଭାରତର ଦ ୱେୟାର।
ଏହି ରିପୋର୍ଟ ପରେ ଭାରତରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପେଗାସସକୁ ଭାରତ ସରକାର କିଣି ଲୋକଙ୍କ ବିରୋଧରେ ବ୍ୟବହାର କରୁଥିବା ବିରୋଧୀ ଅଭିଯୋଗ କରିଥିଲେ। କିନ୍ତୁ ସରକାର ଏହାକୁ ଖଣ୍ଡନ କରିଛନ୍ତି।
The post କାହିଁକି ଆଗେଇ ପାରୁନି ସୁପ୍ରିମକୋର୍ଟ ପ୍ୟାନେଲଙ୍କ ପେଗାସସ୍ ତଦନ୍ତ appeared first on Odisha Reporter.
from Odisha Reporter https://ift.tt/T2O7tyd
No comments:
Post a Comment