ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଟିଲା କୋଭିଡ୍ କଟକଣା। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଆଉ ଦେଖାଇବାକୁ ପଡ଼ିବନି କୋଭିଡ୍ ଟିକାର ପ୍ରମାଣପତ୍ର। ତା’ ସହ ଶ୍ରଦ୍ଧାଳୁଙ୍କୁ କିଓସ୍କରେ ଧାଡ଼ିରେ ମଧ୍ୟ ଛିଡ଼ା ହେବାକୁ ପଡିବନି। କିଅସ୍କ ହଟିବା ପରେ ଶ୍ରଦ୍ଧାଳୁଙ୍କୁ ଆଉ ଲମ୍ବା ସମୟ ପ୍ରତୀକ୍ଷା କରିବାକୁ ପଡୁନାହିଁ। ମନ୍ଦିର ପ୍ରବେଶର କଟକଣାକୁ ହଟାଇ ଦିଆଯାଇଛି। ନୀତି ସବକମିଟି ଓ ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପାଇଁ ଏହି ନୂଆ ମାର୍ଗଦର୍ଶିକା ଜାରି ହୋଇଛି।
ଶ୍ରୀମନ୍ଦିରରେ ଗତକାଲିଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ବିନା କଟକଣାରେ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ପୂର୍ବ ଭଳି ଭକ୍ତମାନେ ପୂର୍ବ ଦ୍ୱାରରେ ପ୍ରବେଶ କରି ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି। ତେବେ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି। କୋରନାର ପ୍ରକୋପ ଥମିବା ପରେ ଶ୍ରୀମନ୍ଦିରେ ଭକ୍ତଙ୍କ ପାଇଁ କଟକଣା ଉଠାଇ ଦିଆଯାଇଥିବାରୁ ଭକ୍ତ ମହଲରେ ଖୁସିର ଲହରି ଖେଳି ଯାଇଛି। ଏ ନିଷ୍ପତ୍ତିକୁ ସେମାନେ ସ୍ୱାଗତ କରିଛନ୍ତି।
ଗତ ୧୪ ତାରିଖରେ ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକରେ ବିନା କୋଭିଡ ଟିକା ପ୍ରମାଣପତ୍ରରେ ଦର୍ଶନ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଥିଲା। ସପ୍ତାହ ରେ ୬ ଦିନ ଜଗା ଦର୍ଶନର ସୁବିଧା ସୁଯୋଗ ପାଇପାରିବେ ଶ୍ରଦ୍ଧାଳୁ। ରବିବାର ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରିବା ଉଦ୍ଦେଶ୍ୟରେ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ତେବେ କୋଭିଡ୍ ସଂକ୍ରମଣ ହାର ସମ୍ପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।
ପୂର୍ବରୁ ଅଗଷ୍ଟ ୨୦୨୧ରେ ଦୀର୍ଘ ୪ ମାସ ଅପେକ୍ଷା ପରେ ଯେତେବେଳେ ଶ୍ରୀମନ୍ଦିର ଖୋଲିଥିଲା, କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଦୁଇ ଡୋଜ ଟିକା ପ୍ରମାଣ ପତ୍ର କିମ୍ବା କୋଭିଡ ନେଗେଟିଭ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ଥିଲା।
The post ଏଣିକି ବିନା କୋଭିଡ କଟକଣାରେ ଶ୍ରୀଜିଉଙ୍କ ଦର୍ଶନ appeared first on Odisha Reporter.
from Odisha Reporter https://ift.tt/09wPCdR
No comments:
Post a Comment