ଆସିକା(ମନୋଜ ମୁନି): ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗତକାଲି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା IIC ଦେବ ଗମାଙ୍ଗଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାକୁ ସହଜେ ହଜମ କରିପାରୁ ନାହାନ୍ତି ପରିବାର ଲୋକ । ପ୍ରାଥମିକ ତଦନ୍ତରୁ ସର୍ଭିସ ରିଭଲଭର ଗୁଳିରୁ ହିଁ ଆଇଆଇସିଙ୍କ ଜୀବନ ଯାଇଥିବା ଗଞ୍ଜାମ ଏସ୍ପି କହିଥିବା ବେଳେ ଏନେଇ ତାଙ୍କ ମା’ କିନ୍ତୁ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ ।
ଗତକାଲି ଅପରାହ୍ନରେ ଏହି ଦୁଃଖଦାୟକ ଘଟଣା ଆଇଆଇସିଙ୍କ ସରକାରୀ କ୍ୱାଟର୍ସରେ ଘଟିଥିବା ବେଳେ ଉକ୍ତ ସମୟରେ ଉପସ୍ଥିତ ଥିଲେ ତାଙ୍କ ମା’ । ଏନେଇ ଗଣମାଧ୍ୟମକୁ ବୟାନ ଦେଇ ତାଙ୍କ ମା’ କହିଛନ୍ତି, ଗତକାଲି ପୁଅ ଅପରାହ୍ନରେ ଘରକୁ ଆସିଥିବା ବେଳେ ତା’ ସହ ୨ ଜଣ ଥ୍ରୀ ଷ୍ଟାର ଅଧିକାରୀ ମଧ୍ୟ ଥିଲେ। ମୁଁ ଘରେ ଥିବା ବେଳେ ସେମାନେ ମୋତେ ଗାଧୋଇ ଯିବାକୁ କହିଥିଲେ। ମୁଁ ବାଥରୁମ୍କୁ ଯିବାରୁ ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ପାଇଲି। ସଙ୍ଗେ ସଙ୍ଗେ ଦୌଡ଼ି ଆସିବାରୁ ମୋ ପୁଅ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଲି । ପୁଅ ଅଣ୍ଟା ତଳକୁ ଦୁଇ ରାଉଣ୍ଡ ଗୁଳି ବାଜିଥିଲା। ଏହାପରେ ତାକୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଆଇଆଇସି ଦେବ ଗମାଙ୍ଗ ପ୍ରାୟ ୪ ମାସ ପୂର୍ବେ ଗାଙ୍ଗପୁର ଥାନାକୁ ବଦଳି ହୋଇ ଆସିଥିବା ବେଳେ ନିଜ ମା’ଙ୍କ ସହ ସରକାରୀ କ୍ୱାଟର୍ସରେ ରହୁଥିଲେ। ତାଙ୍କ ପତ୍ନୀ ନବରଙ୍ଗପୁର ଜିଲ୍ଲାର ଏକ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଉଭୟଙ୍କର ୪ ମାସର ଯାଆଁଳା ଶିଶୁ ଥିବା ଜଣାଯାଇଛି।
ଆଇଆଇସି ଦେବ ଗମାଙ୍ଗ କିଛି ଦିନ ପୂର୍ବେ ଗାଙ୍ଗପୁର ଥାନାକୁ ଆସିଥିଲେ ମଧ୍ୟ ସେ ସବୁବେଳେ ଅନ୍ୟମନସ୍କ ରହୁଥିବା ଆଲୋଚନା ହେଉଛି। ତେବେ କେଉଁ କାରଣ ପାଇଁ ସେ ଅନ୍ୟମନସ୍କ ରହୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସେପଟେ ଶ୍ରୀ ଗମାଙ୍ଗ ମାନସିକ ଦୁଶ୍ଚିତାରେ ରହୁଥିବା କଥାକୁ ସ୍ୱୀକାର କରିଛନ୍ତି ଗଞ୍ଜାମ ଏସ୍ପି। ସେ କହିଛନ୍ତି, କିଛି ଦିନ ହେଲାଣି ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସ୍ପି ।
ସର୍ଭିସ ପିସ୍ତଲରୁ ଫୁଟିବାକୁ ଗୁଳିରୁ ହିଁ ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁ ହୋଇଥିବା ଏସ୍ପି କହିଥିବା ବେଳେ ଏହାକୁ ନେଇ ବଢ଼ିଛି ସନ୍ଦେହ । କାରଣ ଦେବ କୁମାରଙ୍କ ମୃତଦେହରେ ପୁଲିସ୍ ବର୍ଦ୍ଦି ନ ଥିଲା । ସେ ସାଧା ପୋଷାକ ପିନ୍ଧିଥିବା ବେଳେ ସର୍ଭିସ ପିସ୍ତଲ କେଉଁଠି ରଖିଥିଲେ, ସେଥିରୁ କିପରି ଗୁଳି ଫୁଟିଲା ତାହା ବୁଝା ପଡ଼ୁନି ।
ଏଠାରେ ପ୍ରଶ୍ନ ଉଠୁଛି ଦେବ ଗମାଙ୍ଗଙ୍କ ସହ ୨ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିବା ବେଳେ ସେମାନେ କାହିଁକି ତାଙ୍କ ମା’ଙ୍କୁ ସେଠାରୁ ପଠାଇଥିଲେ। ଏହାବାଦ ୨ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କିପରି ହଠାତ୍ ଗୁଳି ଫୁଟିଲା, ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଥିବା ବେଳେ ଏହା ଉପରୁ କେବେ ପରଦା ହଟୁଛି ତାହା ଆଗାମୀ ସମୟରେ ହିଁ ଜଣାପଡ଼ିବ ।
The post ‘ଗୁଳି ଫୁଟିବା ବେଳେ ମୋ’ ପୁଅ ସହ ୨ ଥ୍ରୀ ଷ୍ଟାର ଅଧିକାରୀ ଥିଲେ’ appeared first on Odisha Reporter.
from Odisha Reporter https://ift.tt/SgMkPiu
No comments:
Post a Comment