ମସ୍କୋ: ପୁଣିଥରେ ୟୁକ୍ରେନର ୫ ସହରରେ ଯୁଦ୍ଧ ବିରତି ଲାଗୁ କରିଛି ରୁଷ। ୟୁକ୍ରେନର ଚେରନିହିଭ, ସୁମୀ, ଖାରକିଭ, ମାରିୟୁପୋଲ ଓ ଜାପୋରଜିଆରେ ରୁଷ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ପ୍ରକାରର ହମଲା କରାଯିବନି। ଏଠାରେ ରହୁଥିବା ସାଧାରଣ ଲୋକଙ୍କ ସ୍ଥାନାନ୍ତରଣ ପାଇଁ ରୁଷ ଏପରି ପଦକ୍ଷେପ ଗ୍ରହଣ କରିଛି। ସେହିପରି ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ରୁଷ ମାନବୀୟ କରିଡର୍ରେ ସହାୟତା କରିବ ବୋଲି ମଧ୍ୟ କହିଛି।
ବୁଧବାର ସକାଳୁ ରୁଷ ପକ୍ଷରୁ ମାନବୀୟ ଯୁଦ୍ଧ ବିରତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଯୁଦ୍ଧ ବିରତିକୁ ରୁଷ ପକ୍ଷରୁ ସାଇଲେନ୍ସ ମୋଡ ଭାବେ ନାମିତ କରାଯାଇଛି। ଏହାର ଅର୍ଥ ଏହି ସମୟରେ କୌଣସି ପ୍ରକାରର ଗୁଳି ଚାଲିବ ନାହିଁ। ପୂର୍ବରୁ ମଧ୍ୟ ବିଭିନ୍ନ ଯୁଦ୍ଧତ୍ରସ୍ତ ସହରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ରୁଷ ଯୁଦ୍ଧ ବିରତି ଘୋଷଣା କରିଥିଲା।
ହେଲେ କିଛି ସ୍ଥାନରେ ଯୁଦ୍ଧ ବିରତି ସମୟରେ ମଧ୍ୟ ହମଲାର ଖବର ମିଳିଛି। ସେହିପରି ମାନବୀୟ କରିଡର ପାଇଁ ହୋଇଥିବା ଚୁକ୍ତିରେ ଖିଲାଫ କରାଯାଉଥିବା ଉଭୟ ରୁଷ ଓ ୟୁକ୍ରେନ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏସବୁ ଭିତରେ ହିଁ ଆଜି ରୁଷ ପୁଣି ଯୁଦ୍ଧରେ ବିରାମ ଲଗାଇଛି।
ମାନବୀୟ ସଂଯୋଜନା କେନ୍ଦ୍ରର ମୁଖ୍ୟ ମିଖାଇଲ ମିଜିଣ୍ଟସେଭ କହିଛନ୍ତି, “ରୁଷ ପୁଣିଥରେ ସାଧାରଣ ଲୋକଙ୍କ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ହୋଇଥିବା ରାସ୍ତା ସମ୍ପର୍କରେ ୟୁକ୍ରେନକୁ ଅବଗତ କରାଯାଇଛି। ରୁଷ ପ୍ରସ୍ତୁତ କରିଥିବା ରାସ୍ତାରେ ୟୁକ୍ରେନ ସରକାର ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇପାରିବେ।
ୟୁକ୍ରେନ ମଧ୍ୟ ଉକ୍ତ ମାନବୀୟ କରିଡର ଦ୍ୱାରା ଗତକାଲି ଅନେକ ଲୋକଙ୍କୁ ସ୍ଥାନାନ୍ତର କରିଛି। ଆଜି ପୁଣି ସାଧାରଣ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ। ରୁଷ ଏନେଇ ସହଯୋଗ କରିବ। ଏଥିସହ ସୁରକ୍ଷା ଗ୍ୟାରେଣ୍ଟି ପାଇଁ ଲଖିତ ପତ୍ର ମଧ୍ୟ ରୁଷ ଦାଖଲ କରିଛି।”
ଗତକାଲି ସୁମୀ ଓ କିଭ୍ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହିକ୍ରମରେ ସୁମୀରେ ଫସିଥିବା ୬୯୪ ଜଣ ଭାରତୀୟ ମଧ୍ୟ ବସ୍ ଯୋଗେ ପୋଲଟାଭା ଯାଇଛନ୍ତି। ସେଠାରୁ ସେମାନେ ଟ୍ରେନ ଯୋଗେ ପଶ୍ଚିମ ୟୁକ୍ରେନ ଅର୍ଥାତ ପୋଲାଣ୍ଡରେ ପହଞ୍ଚିବେ। ପୋଲାଣ୍ତରୁ ସମସ୍ତଙ୍କୁ ବିମାନ ଯୋଗେ ଭାରତ ଅଣାଯିବ।
The post ପୁଣି ୫ ସହରରେ ଯୁଦ୍ଧ ବିରତି ଲାଗୁ କଲା ରୁଷ appeared first on Odisha Reporter.
from Odisha Reporter https://ift.tt/6raVMUA
No comments:
Post a Comment