ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ପୁଲିସର କାମ ହେଲା ଜନତାଙ୍କ ସେବା। ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା। ସେମାନଙ୍କ ସମସ୍ୟା ଦୂର କରିବା। ସେମାନଙ୍କ ରକ୍ଷକ ସାଜିବ। ହେଲେ ଏଠି ରକ୍ଷକ ସାଜିଛି ଭକ୍ଷକ। ସେବା ଭୁଲିଯାଇ ନିଜ ଦାୟିତ୍ୱ ପୂରା ନକରି ମାଗୁଛନ୍ତି ଲାଞ୍ଚ। ଲାଞ୍ଚ ବି ଏମିତି ସେମିତି ନୁହଁ। ଆମିଷ ଲାଞ୍ଚ, ତା’ସହ ନଗଦ ଟଙ୍କା। ଟଙ୍କା ଆଉ ମାଛ ଦେଲା ପରେ ଯାଇ ଆରମ୍ଭ ହେବ କାମ। ଏଭଳି କିଛି ଅଭିଯୋଗ ସାମ୍ନାକୁ ଆସିଛି ଆନନ୍ଦପୁରରୁ।
ଅପହୃତ ନାବାଳିକାକୁ ଉଦ୍ଧାର କରିବା ପାଇଁ ପୁଲିସ ମାଗିଛି ନଗଦ ୫ ହଜାର ଟଙ୍କା ଲାଞ୍ଚ। ଖାଲି ଟଙ୍କା ନୁହେଁ, ଥାନାବାବୁ ୨ କେଜି ମାଛ ବି ନେଇଥିବା ଅଭିଯୋଗ ଆଣିଛନ୍ତି ଅପହୃତ ନାବାଳିକାଙ୍କ ପରିବାର ଲୋକେ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର କାଠକଟା ପଞ୍ଚାୟତରୁ।
ସୂଚନା ମୁତାବକ, ନାବାଳିକାଙ୍କୁ ପାଖ ଗାଁର ଜଣେ ଯୁବକ ଅପହରଣ କରିନେଇଥିବା ପରିବାର ଲୋକେ ଆନନ୍ଦପୁର ଥାନାରେ ଗତ ୫ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପୁରୁଣା ଘାଟି ଗ୍ରାମର ରାଜୁ ପାତ୍ର ସଂପୃକ୍ତ ନାବାଳିକାକୁ ଅପହରଣ କରି ନେଇଥିଲେ। ପରେ ପୁଲିସ ଯୁବକଙ୍କ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ତେବେ ୫ ହଜାର ଟଙ୍କା ଦେଲେ ଝିଅକୁ ୨ ଦିନ ଭିତରେ ଫେରାଇ ଅଣାଯିବ ବୋଲି ଥାନା ଏସ୍ଆଇ କହିଥିବା ନାବାଳିକାଙ୍କ ବାପା ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ଝିଅକୁ ଫେରାଇ ଆଣିବା ପାଇଁ ସେ ପୁଲିସକୁ ୨ କେଜି ମାଛ ମଧ୍ୟ ଦେଇଥିବା କହିଛନ୍ତି। ଅନ୍ୟପକ୍ଷରେ ଝିଅକୁ ଉଦ୍ଧାର କରାଯାଇଛି ମାଛ ଓ ଟଙ୍କା କଥା ସମ୍ପୂର୍ଣ୍ଣ ମିଛ ବୋଲି ଆନନ୍ଦପୁର ଏସ୍ଡିପିଓ କହିଛନ୍ତି।
The post ପୁଲିସ ବାବୁଙ୍କ ମାଛ ଲୋଭ, ନାବାଳିକାଙ୍କୁ ଖୋଜିବାକୁ ମାଗିଲେ ଲାଞ୍ଚ appeared first on Odisha Reporter.
from Odisha Reporter https://ift.tt/SL7Y82F
No comments:
Post a Comment