କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ଯୌତୁକ ପାଇଁ ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ। ବାପ ଘର ଲୋକେ ଝିଅ ସୁକାନ୍ତି ସାହୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାପରେ ସ୍ୱାମୀ ରଞ୍ଜନ ସାହୁ,ଶାଶୂ ଓ ଶ୍ୱଶୁର ଫେରାର ହୋଇଯାଇଛି।
ଅଭିଯୋଗ ଅନୁସାରେ, ଯୌତୁକ ଜନିତ ସମସ୍ୟାକୁ ନେଇ ରଞ୍ଜନ ଓ ସୁକାନ୍ତିଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଗତକାଲି ରାତିରେ ଯୌତୁକ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରଞ୍ଜନ ଉତ୍ତ୍ୟକ୍ତ ହୋଇ ସୁକାନ୍ତିଙ୍କୁ ମାରି ଲହୁଲୁହାଣ କରି ଦେଇଥିଲେ। ପରେ ଘରର ବାଡ଼ିପଟେ ଗାତ ଖୋଳି ପୋତି ଦେଇଥିଲେ। ସୁକାନ୍ତିଙ୍କ ପରିବାର ଲୋକେ ଖବର ପାଇ ଝିଅକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସୁକାନ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୁକାନ୍ତିଙ୍କ ପରିବାର ଲୋକେ ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ସୁକାନ୍ତିଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି।
ଗତ ଦୁଇ ବର୍ଷ ତଳେ ରଞ୍ଜନ ସାହୁ ସୁକାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ। ବିବାହପରେ ଉଭୟଙ୍କ ମଧ୍ୟରେ ଯୌତୁକ ଜନିତ ସମସ୍ୟାକୁ ନେଇ ବାରମ୍ବାର କଳହ ଲାଗି ରହିଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ସମାଧାନ ମଧ୍ୟ ହୋଇଥିଲା ।
The post ଯୌତୁକ ନିର୍ଯାତନା; ସ୍ତ୍ରୀକୁ ଜିଅନ୍ତା ସମାଧି ଦେଇଦେଲା ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/jIiwPJ0
No comments:
Post a Comment