କାବୁଲ: ପୁଣିଥରେ ସମୂହ ନମାଜ ପାଠ ବେଳେ ମସଜିଦରେ ହୋଇଛି ଭୟଙ୍କର ବିସ୍ଫୋରଣ। ନର୍ଦ୍ଦନ ଆଫଗାନିସ୍ତାନର ଗୋଟିଏ ମସଜିଦରେ ଶୁକ୍ରବାର ପ୍ରାର୍ଥନା ବେଳେ ବିସ୍ଫୋରଣ ହେବାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଛନ୍ତି। ଦିନକ ପୂର୍ବରୁ ଆଫାଗାନିସ୍ତାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏଥିପାଇଁ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି। ହମଲା ପାଇଁ ଆଇଏସଆଇଏସ୍ ନିଜକୁ ଦାୟୀ କରି ବିବୃତି ଜାରି କରିବାର ଦିନକ ପରେ ହିଁ ପୁଣି ଗୋଟିଏ ମସଜିଦରେ ବିସ୍ଫୋରଣ ହୋଇଛି।
ଶୁକ୍ରବାର ହମଲା ସମ୍ପର୍କରେ ସୂଚନା ଦେଇ ତାଲିବାନ ସରକାରର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, “କୁଣ୍ଡୁଜରେ ଥିବା ଗୋଟିଏ ମସଜିଦରେ ଆତଙ୍କାବାଦୀମାନେ ହମଲା କରିଛନ୍ତି। ସମୂହ ନମାଜ ପାଠ ପାଇଁ ଲୋକମାନେ ଏକାଠି ହୋଇଥିବା ବେଳେ ହମଲା ହୋଇଛି। ଏହି ଘଟଣାରେ ଛୋଟ ପିଲାଙ୍କ ସହ ମୋଟ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪୩ ଜଣ ଆହତ ହୋଇଛନ୍ତି। ଆମେ ଘଟଣାକୁ ନିନ୍ଦା କରୁଛୁ ଓ ମୃତାହତଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛୁ।”
ଜଣେ ଗୁଇନ୍ଦା ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ମସଜିଦରେ ବିସ୍ଫୋରଣ ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। ଏଥିପାଇଁ ମସଜିଦ ଭିତରେ ବୋମା ଖଞ୍ଜା ଯାଇଥିଲା। ହେଲେ କେଉଁଠି ଏବଂ କେମିତି ବୋମା ଖଞ୍ଜା ଯାଇଥିଲା, ସେକଥା ଜଣାପଡ଼ିନି। ଉତ୍ତର କୁଣ୍ଡୁଜର ମୌଲବୀ ସିକନ୍ଦର ମସଜିଦରେ ଏପରି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ମସଜିଦର ଗୋଟିଏ ପଟ କାନ୍ଥରେ ବଡ଼ଧରଣ ଗାତ ହୋଇଛି। ସେହିପରି ଏହାର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ତେବେ ଏହି ଆତଙ୍କବାଦୀ ହମଲା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଏଯାଏ ନିଜକୁ ଦାୟୀ କରିନାହାନ୍ତି। ତାଲିବାନ ସରକାରର ସୁରକ୍ଷାକର୍ମୀମାନେ ଘଟଣାସ୍ଥଳକୁ କର୍ଡନ କରି ଯାଞ୍ଚ ଆରମ୍ଭ କରିଛନ୍ତି।
ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଶାସନ ଗାଦିରେ ବସିବା ପରେ ଆତଙ୍କୀ ହମଲା ଆଶାତୀତ ଭାବେ ହ୍ରାସ ପାଇଥିଲା। କିନ୍ତୁ ଏଇ କିଛି ମାସ ହେଲା ଦେଶର ବିଭିନ୍ନ ସ୍ଥାନରେ ଆତଙ୍କୀମାନେ ହମଲା କରିବା ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ସ୍କୁଲ ଓ ମସଜିଦକୁ ସେମାନେ ଟାର୍ଗେଟ କରୁଛନ୍ତି।
The post ପ୍ରାର୍ଥନା ବେଳେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୩୩ ଜୀବନ appeared first on Odisha Reporter.
from Odisha Reporter https://ift.tt/VWPy8tD
No comments:
Post a Comment