ମୁମ୍ବାଇ: ଚଳିତ ଆଇପିଏଲରେ ତାରକା ଖଚିତ ରାଜସ୍ଥାନ ରୟାଲ୍ସର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନ୍ରେ ହରାଇ ଦେଇଛି। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ରାଜସ୍ଥାନ ଏଯାଏ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟିରେ ଜିତିଛି ଓ ୨ଟିରେ ହାରିଛି। ସେହିପରି ଦିଲ୍ଲୀ ସମାନ ସଂଖ୍ୟକ ମ୍ୟାଚ୍ରୁ ୩ଟିରେ ଜିତିଛି ଓ ୪ଟିରେ ହାରିଛି। ଏବେ ଦିଲ୍ଲୀ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ ଗୁଜରାଟ ଦ୍ୱିତୀୟ ସ୍ଥାନରେ, ୩ୟରେ ଆରସିବି ଓ ୪ର୍ଥରେ ଲକ୍ଷ୍ନୌ ରହିଛି।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ରାତିରେ ଦିଲ୍ଲୀ ଓ ରାଜସ୍ଥାନ ମୁହାଁମୁହିଁ ହୋଇଥିଲେ। ଜୋଶ ବଟଲରଙ୍କ ବିସ୍ଫୋରକ ୧୧୬ ଓ ଦେବଦତ୍ତ ପାଡ୍ଡିକଲଙ୍କ ୫୪ ରନ୍ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍ରେ ୨ ୱିକେଟ ହରାଇ ୨୨୨ ରନ୍ କରିଥିଲା। ଚଳିତ ସିଜିନରେ ଏହା ବଟଲରଙ୍କ ତୃତୀୟ ଶତକ।
୨୨୩ ରନ୍ର ଟାର୍ଗେଟ ପାଇଥିବା ଦିଲ୍ଲୀ ଆଶା ଅନୁଯାୟୀ ଇନିଂସ ଆରମ୍ଭ କରିପାରି ନଥିଲା। ପୃଥ୍ୱୀ ଶ’ ୩୭ ଓ ଡାଭିଡ ୱାର୍ଣ୍ଣର ୨୮ ରନ କରିବାକୁ ସକ୍ଷମ ହୋଇଥିଲେ। ସର୍ଫରାଜ ଖାନ ୧ ରନ୍ କରି ଆଉ ହୋଇଥିବାବେଳେ ମଧ୍ୟକ୍ରମରେ ଋଷଭ ପନ୍ତ ୪୪ ଓ ଲଳିତ ଯାଦବ ୩୭ ରନ୍ର ଇନିଂସ ଖେଳିଥିଲେ।
ଶେଷ ଭାଗରେ ରୋଭମାନ ପାୱେଲ ୧୫ ବଲରେ ବିସ୍ଫୋରକ ୩୬ ରନ୍ କରିବାରୁ ଦିଲ୍ଲୀ ମ୍ୟାଚ୍କୁ ଶେଷ ଓଭର୍ ଯାଏ ନେଇଥିଲା। ହେଲେ ଟାର୍ଗେଟ ଅଧିକ ଥିବାରୁ ଦଳ ଏହାଠାରୁ ୧୫ ରନ୍ ପଛରେ ରହି ଯାଇଥିଲା। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭର୍ରେ ୮ ୱିକେଟ ହରାଇ ୨୦୭ ରନ୍ କରିପାରି ଥିଲା।
ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୨ଟି, ଓବେଡ ମ୍ୟାକକୋୟ ଓ ୟୁଜବେନ୍ଦର ଚହଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ଅନ୍ୟପକ୍ଷରେ ଆଜି ଆଇପିଏଲରେ ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ ୩.୩୦ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ। ସେହିପରି ସନ୍ଧ୍ୟା ୭.୩୦ରେ ଆରସିବି ଓ ହାଇଦ୍ରାବାଦ ମୁହାଁମୁହିଁ ହେବ।
The post ଦିଲ୍ଲୀକୁ ହରାଇ ଶୀର୍ଷରେ ରାଜସ୍ଥାନ, ଆଜି ଡବଲ ହେଡର୍ appeared first on Odisha Reporter.
from Odisha Reporter https://ift.tt/J0zhl18
No comments:
Post a Comment