ଜୟପୁର(ଟି. ଗୌରିଶଙ୍କର ): ପାଠପଢ଼ା ତଥା ପରୀକ୍ଷା ଦେବାର ନ ଥାଏ କୌଣସି ବୟସ ସୀମା। ଯେକୌଣସି ବୟସରେ ବି ମଣିଷ ସାଜିପାରେ ପରିକ୍ଷାର୍ଥୀ। ଏହା ପ୍ରମାଣିତ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପୁଜାରୀପୁଟର ଗାଁର ଜ୍ୟୋତ୍ସ୍ନା ପାଢୀ (୩୫) । ବିବାହର ୧୫ ବର୍ଷ ପର୍ଯ୍ୟନ୍ତ ଜଞ୍ଜାଳରେ ଫସି ରହିଥିବା ଜ୍ୟୋତ୍ସ୍ନା ଏବେ ମାଟ୍ରିକ ପରୀକ୍ଷା ଦେବାକୁ ମନ ବଳାଇଛନ୍ତି । ଫଳରେ ଚଳିତ ବର୍ଷ ସେ ସାଜିଛନ୍ତି ପରିକ୍ଷାର୍ଥୀ। ସବୁଠୁ ରୋଚକ କଥା ହେଉଛି ଚଳିତ ବର୍ଷ ଜ୍ୟୋତ୍ସ୍ନାଙ୍କ ପୁଅ ମଧ୍ୟ ମାଟ୍ରିକ ପରୀକ୍ଷା ଦେଉଛନ୍ତି।
ଉଭୟ ମା’ପୁଅ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜ୍ୟୋତ୍ସ୍ନା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବାବେଳେ ତାଙ୍କ ପୁଅ ଆଲୋକନାଥ ପାତ୍ର ପୁଜାରୀପୁଟ ହାଇସ୍କୁଲରେ ପରୀକ୍ଷା ଦେଉଛନ୍ତି ।
୨୦ ବର୍ଷ ବୟସରେ ବିବାହ କରି ସାଂସରିକ ଜଞ୍ଜାଳରେ ଫସି ରହିଥିବା ଜ୍ୟୋତ୍ସ୍ନା ମାଟ୍ରିକ ପାସ୍ କରିପାରି ନ ଥିଲେ। ପାଠପଢ଼ା ପାଇଁ ମନ ଭିତରେ ଇଚ୍ଛା ଅବଦମିତ ହୋଇ ରହିଥିଲେ ବି ସେ କିନ୍ତୁ ସମୟ ସୁବିଧା ପାଇ ନ ଥିଲେ। ଚଳିତ ବର୍ଷ ଜ୍ୟୋତ୍ସ୍ନାଙ୍କ ପୁଅ ମାଟ୍ରିକ ପରୀକ୍ଷା ଦେଉଥିବାରୁ ପୁଅକୁ ଦେଖି ନିଜ ଇଚ୍ଛା ବିଷୟରେ ପରିବାର ଲୋକଙ୍କୁ ଜଣାଇଲେ। ଏଥିରେ ପରିବାର ଲୋକ ବି ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଫଳରେ ଘର କାମ ସହ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲେ ଜ୍ୟୋତ୍ସ୍ନା । ଗତକାଲି ପ୍ରଥମ ଦିନ ଇଂରାଜୀ ପରୀକ୍ଷା ଦେଇଥିବା ବେଳେ ଖୁବ୍ ଭଲ ହୋଇଥିବା କହିଛନ୍ତି । ଏଥିସହ ଚଳିତ ଥର ମାଟ୍ରିକ ପାସ କରିଯିବେ ବୋଲି ସମ୍ପୂର୍ଣ୍ଣ ବିଶ୍ୱାସ ଥିବା କହିଛନ୍ତି ।
ବିବାହର ୧୫ ବର୍ଷ ପରେ ମାଟ୍ରିକ ପରୀକ୍ଷା ଦେବାକୁ ଆଗକୁ ଆସିଥିବା ଜ୍ୟୋତ୍ସ୍ନା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏଥିସହ ସେ କହିଛନ୍ତି, ପରୀକ୍ଷା ଦେବା ପାଇଁ କୌଣସି ବୟସ ନାହିଁ । ସଙ୍କୋଚ ନ କରି ନିଜ ପାଠପଢ଼ାକୁ ଆଗେଇ ନେବାକୁ ସମସ୍ତେ ଆଗଭର ହେବା ଦରକାର ।
The post ପୁଅ ସହ ମା’ ବି ସାଜିଲେ ମାଟ୍ରିକ ପରିକ୍ଷାର୍ଥୀ appeared first on Odisha Reporter.
from Odisha Reporter https://ift.tt/7m8zBeY
No comments:
Post a Comment