କିଭ୍: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ହୋଇଥିବା ଯୁଦ୍ଧ ଥମିବାର ନା ଧରୁନି। ୟୁକ୍ରେନ୍କୁ କଳେବଳେ କୌଶଳେ ହାତେଇବା ପାଇଁ ଲାଗିପଡିଛି ରୁଷ। ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଆଗକୁ ପରମାଣୁ ଆକ୍ରମଣ ହୋଇପାରେ ବୋଲି ସାରା ବିଶ୍ୱକୁ ଚେତାଇ ଦେଇଛନ୍ତି। ଏଥିପାଇଁ ବିଶ୍ୱ ପ୍ରସ୍ତୁତ ରହିବା ଉଚିତ ବୋଲି ସେ କହିଛନ୍ତି।
ସାମ୍ବାଦିକଙ୍କ ସହ କଥା ହୋଇ ଶନିବାର ଜେଲେନସ୍କି କହିଛନ୍ତି, ‘ରୁଷ ଆଗକୁ ଆଣବିକ ଅସ୍ତ୍ର ବ୍ୟବହାର କରିବା ସମ୍ଭାବନା ରହିଛି। ଏଥିପାଇଁ ଅପେକ୍ଷା ନକରି ପୂରା ବିଶ୍ୱ ପ୍ରସ୍ତୁତ ରହିବା ଉଚିତ। ରୁଷ୍ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ନିଷ୍ପତ୍ତି ନେଇ ସାରିଥିବାରୁ ଆଉ ମୁହୂର୍ତ୍ତେ ବି ବିଳମ୍ବ କରିବା ଉଚିତ ନୁହେଁ। ଆମକୁ ସେଥିପ୍ରତି ପ୍ରସ୍ତୁତି କରିବା ପଡିବ। ଏଥିପାଇଁ ବିକିରଣ-ନିରୋଧୀ ଔଷଧ ଏବଂ ବିମାନ ଆକ୍ରମଣ ନିରୋଧୀ ଆଶ୍ରୟସ୍ଥଳ ଆବଶ୍ୟକ ହେବ। ରୁଷୀୟମାନେ ଯେକୌଣସି ଅସ୍ତ୍ର ପ୍ରୟୋଗ କରି ପାରନ୍ତି ବୋଲି ମୁଁ ଜାଣି ସାରିଛି।’ ଏହା ପୂର୍ବରୁ ପୁଟିନ୍ ଯୋଗୁଁ ଥିବା ବିପଦ ପ୍ରତି ସାରା ବିଶ୍ୱ ଚିନ୍ତିତ ହେବା ଉଚିତ ବୋଲି ଶୁକ୍ରବାର ଦିନ ଜେଲେନସ୍କି ଚେତାଇଥିଲେ।
ୟୁକ୍ରେନ୍ ରାଷ୍ଟ୍ରପତି ଆହୁରି କହିଛନ୍ତି, ମାରିୟୁପୋଲ୍ରେ ଏବେ ଚାଲିଥିବା ନରସଂହାର ଓ ଧ୍ୱଂସଲୀଳା ସବୁ ପ୍ରକାରର ବୁଝାମଣା ପାଇଁ ପଥରୋଧ କରିପାରେ। ମାରିୟୁପୋଲ୍କୁ ରକ୍ଷା କରିବା ନିମନ୍ତେ ୟୁକ୍ରେନ୍ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଠାରୁ ଆହୁରି ସହାୟତା ଆବଶ୍ୟକ କରୁଛି। ସେଠାକାର ପରିସ୍ଥିତି ଅତ୍ୟନ୍ତ ଅମାନବୀୟ। ସେଠାରେ ଯିଏ ଅଛନ୍ତି ଓ ଯାହାକିଛି ଅଛି ରୁଷ୍ ସେସବୁକୁ ଜାଣିଶୁଣି ନଷ୍ଟ କରିବାକୁ ଉଦ୍ୟମ କରୁଛି।
ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ୱର୍ନସ୍ ଗୁରୁବାର କହିଛନ୍ତି ଯେ ୟୁକ୍ରେନ ବିରୁଦ୍ଧରେ ହୋଇଥିବା ଆକ୍ରମଣରେ ରୁଷର ନିରାଶା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱଳ୍ପ ଦୂରଗାମୀ ଏବଂ କମ୍ ଶକ୍ତିଶାଳୀ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାରେ ଉସକାଉପାରେ।
ସେପଟେ ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର୍ କୋନାଶେଙ୍କୋଭ୍ କହିଛନ୍ତି, ଅଧିକାଂଶ ନଗରୀରୁ ୟୁକ୍ରେନୀୟ ସୈନିକମାନଙ୍କୁ ତଡ଼ି ଦିଆଯାଇଛି। କେବଳ ବିରାଟକାୟ ‘ଆଜୋଭ୍ସ୍ତଲ୍ ଇସ୍ପାତ କାରଖାନା’ରେ କିଛି ସୈନିକ ଅଛନ୍ତି।
ବିସ୍ଫୋରଣ ଘଟି ‘ମୋସ୍କଭ୍’ ଯୁଦ୍ଧପୋତ କୃଷ୍ଣସାଗରରେ ବୁଡ଼ି ଯିବାରୁ ଉତ୍କ୍ଷିପ୍ତ ହୋଇପଡିଥିବା ରୁଷ ସମ୍ପ୍ରତି କିଭ୍ ଏବଂ ପଶ୍ଚିମ ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ ଜୋର୍ଦାର୍ କରିଛି।
The post ବିଶ୍ୱକୁ ଚେତାଇଲେ ଜେଲେନସ୍କି: ରୁଷ ପରମାଣୁ ଆକ୍ରମଣ କରିପାରେ, ପ୍ରସ୍ତୁତ ରହିବାକୁ ପଡିବ appeared first on Odisha Reporter.
from Odisha Reporter https://ift.tt/9nO3Voh
No comments:
Post a Comment