ଚଣ୍ଡିଗଡ଼: ବିଜେପି ନେତା ତଜିନ୍ଦର ବଗାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ପଞ୍ଜାବ ଓ ହରିଆଣା ହାଇକୋର୍ଟ ରାତି ଅଧରେ ଶୁଣାଣି କରି ତାଙ୍କୁ ମେ’ ୧୦ ତାରିଖ ପର୍ଯ୍ୟନ୍ତ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି। ପଞ୍ଜାବର ମୋହାଲି କୋର୍ଟରୁ ବଗାଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ଗିରଫ ପରୱାନା ଉପରେ ହାଇକୋର୍ଟ ଦେଇଛନ୍ତି ଏହି ନିର୍ଦ୍ଦେଶ। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୦ ତାରିଖରେ ହେବ।
ମୋହାଲି କୋର୍ଟ ଦ୍ୱାରା ଜାରି ଜାମିନବିହୀନ ଗିରଫ ପରୱାନାକୁ ଖାରଜ କରିବା ପାଇଁ ଅନୁରୋଧ କରି ତଜିନ୍ଦର ବଗା ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ସେଥିରେ ଉଲ୍ଲେଖ କରିଥିଲେ ଯେ ଏହା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଗିରଫ କରିବା ଓ ତାଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରିବା। ଏହା ସହିତ ନିଜ ରାଜନୀତିକ ମୁଖ୍ୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି।
ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଆଦି ଅଭିଯୋଗରେ ତାଙ୍କ ନାଁରେ ପଞ୍ଜାବ ପୁଲିସ୍ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ମୋହାଲିର ଆପ୍ ନେତା ସନ୍ନି ଆଲୁୱାଲିଆଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା ରୁଜୁ କରିଥିଲା।
ଏହି ମାମଲା ଏପ୍ରିଲ୍ ୧ ତାରିଖରେ ରୁଜୁ ହୋଇଥିଲା। ମାର୍ଚ୍ଚ ୩୦ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବଗା ମଧ୍ୟ ସାମିଲ ହୋଇଥିଲେ। ଆଉ ତା’ପରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା।
ଗତ ଶୁକ୍ରବାର ପଞ୍ଜାବ ପୁଲିସ୍ ତଜିନ୍ଦର ବଗାଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ତାଙ୍କୁ ପଞ୍ଜାବ ନିଆଯାଉଥିବା ବେଳେ ହରିଆଣା ପୁଲିସ୍ ଅଟକାଇଥିଲା। ପରେ ଦିଲ୍ଲୀ ପୁଲିସ୍ ଆସି ବଗାଙ୍କୁ ନେଇଯାଇଥିଲା। ଏହା ପରେ ଗତକାଲି ମୋହାଲି କୋର୍ଟ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ।
The post ମଧ୍ୟରାତ୍ରିରେ ହାଇକୋର୍ଟଙ୍କ ଶୁଣାଣି, ବଗାଙ୍କୁ ମିଳିଲା ଆଶ୍ୱସ୍ତି appeared first on Odisha Reporter.
from Odisha Reporter https://ift.tt/LzCUl8J
No comments:
Post a Comment