କାଠମାଣ୍ଡୁ: ୨୨ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବିମାନଟି କ୍ରାଶ କରିବା ପରେ ଏହାକୁ ନେପାଳ ସେନା ପକ୍ଷରୁ ଫିଜିକାଲି ଠାବ କରାଯାଇଛି। ନେପାଳର ମୁସ୍ତାଙ୍ଗ ଜିଲ୍ଲାର ପର୍ବତ ଘେରା ଅଞ୍ଚଳ ଭିତରୁ ବିମାନଟିକୁ ଠାବ କରାଯାଇଛି। ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରୁ ୧୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ‘ତାରା ଏୟାର୍ ନାମକ ୯ଏନ୍ଏଇଟି ଡବଲ ଇଞ୍ଜିନ୍ ଥିବା ବିମାନଟି ଗତକାଲି ସକାଳ ୯.୫୫ରେ ଉଡ଼ାଣ ଭରିଥିଲା। ଏହାର କିଛି ସମୟ ପରେ ରାଡାର୍ରୁ ଅଦୃଶ୍ୟ ହୋଇ ଯାଇ ଥିଲା ବିମାନ । ଏଥିରେ ୪ ଭାରତୀୟଙ୍କ ସହ ୨୨ ଜଣ ଯାତ୍ରୀ ଥିଲେ। କାନାଡ଼ା ନିର୍ମିତ ଏହି ବିମାନଟି ପୋଖରାରୁ ଜୋମସୋମ ପର୍ଯ୍ୟଟନସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ବିମାନର ଯାତ୍ରୀମାନେ ପର୍ଯ୍ୟଟକ ଭାବେ ବୁଲିବାକୁ ଯାଇଥିଲେ। ବିମାନଟି ମୁସତାଙ୍ଗର ଜୋମସୋମ ଆକାଶରେ କିଛି କ୍ଷଣ ପାଇଁ ଦେଖାଯାଇଥିଲା ପରେ ଏହା ଗତିପଥ ବଦଳାଇଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ପରେ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ବିମାନରେ ୨୨ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଭାରତୀୟ ଥିଲେ। ସେହି ୪ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ସେମାନେ ଗୋଟିଏ ପରିବାରର ହୋଇଥିବା ବେଳେ ନେପାଳ ବୁଲିବାକୁ ଯାଇଥିଲେ।
ଏୟାର ଲାଇନ ପକ୍ଷରୁ ଏହି ୪ ଜଣଙ୍କ ନାମ ପ୍ରକାଶ କରାଯାଛି। ଏହି ୪ ଜଣ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବୀ ତ୍ରିପାଠୀ। ଏମାନେ ମୁମ୍ବାଇରେ ରୁହନ୍ତି। ଖରାପ ପାଗ ସହ ତୁଷାରପାତ ହେବାରୁ ରବିବାର ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳେ ପୁନଶ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ନେପାଳ ସେନା କହିଛି । ସ୍ଥାନୀୟ ବାସିନ୍ଦା ନେପାଳ ସେନାକୁ ଦେଇଥିବା ସୂଚନା ଅନୁସାରେ, ମାନପାଠି ହିମାଳ ଭୂସ୍ଖଳନ ତଳଭାଗରେ ଥିବା ଲମଚେ ନଦୀ ନିକଟରେ ତାରା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ନେପାଳ ଗୃହମନ୍ତ୍ରୀ ଘଟଣାସ୍ଥଳକୁ ଦୁଇଟି ପ୍ରାଇଭେଟ ହେଲିକପ୍ଟର ପଠାଇଥିଲେ। ପରେ ବିମାନଟିର ସନ୍ଧାନ ମିଳିଥିଲା। ମୁସତାଙ୍କ ହେଉଛି ନେପାଳର ସବୁଠାରୁ ପର୍ବତଘେରା ବିପଦପୂର୍ଣ୍ଣ ଅଞ୍ଚଳ। ବିଶ୍ୱର ୧୪ଟି ସର୍ବୋଚ୍ଚ ଶୃଙ୍ଗ ମଧ୍ୟରେ ନେପାଳରେ ୮ଟି ରହିଛି। ୨୦୧୬ରେ ସମାନ ଏୟାର ଲାଇନସ୍ କମ୍ପାନୀ ପକ୍ଷରୁ ଏକ ବିମାନ ଦୁର୍ଘଟଣା ଘଟି ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା।
The post ଆସିଲା ନେପାଳ ବିମାନ କ୍ରାଶର ଚିତ୍ର, ଘଟଣାସ୍ଥଳରେ ସେନା appeared first on Odisha Reporter.
from Odisha Reporter https://ift.tt/xtnTsEm
No comments:
Post a Comment