ଅହମଦାବାଦ: ସରିଯାଇଛି ଆଇପିଏଲ୍ ୨୦୨୨। ଚାମ୍ପିଅନ ହୋଇଛି ଗୁଜରାଟ ଟାଇଟନ୍ସ। ଚଳିତ ବର୍ଷ ନୂଆ ଦଳ ଭାବେ ଏହା ଆଇପିଏଲ୍ରେ ସାମିଲ ହୋଇଥିଲା। ଆଉ ପଦାର୍ପଣରେ ହିଁ ଦଳ କମାଲ କରି ଦେଇଛି।
ମୁମ୍ବାଇ (୫ଥର ଚାମ୍ପିଅନ) ଓ ଚେନ୍ନାଇ (୪ ଥର ଚାମ୍ପିଅନ) ଭଳି ଟିମ୍ ଏଥର ମାଟି କାମୁଡ଼ି ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ବାଜି ମାରି ନେଇଛି। ଲିଗ୍ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ଅକ୍ତଆର କରିବା ପରେ ଫାଇନାଲ୍ ମ୍ୟାଚ୍କୁ ବି ଜିତିବାରେ ସମର୍ଥ ହୋଇଛି। ଗତକାଲି ଅହମଦାବାଦରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ରେ ଦଳ ଆଇପିଏଲ୍ର ପ୍ରଥମ ଚାମ୍ପିଅନ (୨୦୦୮) ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ପଦାର୍ପଣରେ ହିଁ ଟାଇଟଲ୍ ଜିତିଛି।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସକୁ ୧୩୦ ରନ୍ରେ ସୀମିତ ରଖିଥିଲା ଗୁଜରାଟ ଟାଇଟନ୍ସ। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ମାତ୍ର ୧୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ଗୁଜରାଟ ଟାଇଟନ୍ସର ଶାଣିତ ବୋଲିଂ ଆଗରେ ରାଜସ୍ଥାନର ବ୍ୟାଟ୍ସମ୍ୟାନ୍ ମାନେ ତିଷ୍ଠି ପାରି ନଥିଲେ। ନିଜେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରିଥିଲେ। ସେ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ଜୋଶ୍ ବଟଲର, ସଞ୍ଜୁ ସାମସନ ଓ ସିମ୍ରନ ହେଟ୍ମାୟରଙ୍କ ଭଳି ଖେଳାଳିଙ୍କ ୱିକେଟ୍ ନେଇ ସେ ବିପକ୍ଷ ଟିମ୍ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।
ଅପରପକ୍ଷରେ ୧୩୦ ରନ୍ର ବିଜୟ ଟାର୍ଗେଟ୍କୁ ଗୁଜରାଟ ଟାଇଟନ୍ସ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ବୋଲିଂ ଭଳି ବ୍ୟାଟିଂରେ ବି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବଡ଼ ଯୋଗଦାନ ରହିଥିଲା। ରିଦ୍ଧିମାନ ଶାହ ଓ ମାଥ୍ୟୁ ୱାଦେ ଯଥାକ୍ରମେ ୫ ଓ ୮ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ଶୁବମନ ଗିଲ୍ଙ୍କ ସହିତ ମିଶି ପାଳିକୁ ସମ୍ଭାଳି ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ୩୦ଟି ବଲ୍ରୁ ୩ଟି ଚୌକା ସହାୟତାରେ ୩୪ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଶୁବମନ ଗିଲ୍ (୪୫) ଓ ଡେଭିଡ୍ ମିଲର (୩୨) ଅପରାଜିତ ରହି ମ୍ୟାଚ୍କୁ ୧୮.୧ ଓଭରରେ ଜିତାଇ ଦେଇଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଫାଇନାଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
The post ପଦାର୍ପଣରେ ଗୁଜରାଟ ଟାଇଟନ୍ସକୁ ଆଇପିଏଲ୍ ଟାଇଟଲ appeared first on Odisha Reporter.
from Odisha Reporter https://ift.tt/A9SqR8u
No comments:
Post a Comment