ନୂଆଦିଲ୍ଲୀ: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ କିଛି ସପ୍ତାହ ତଳେ ଜାମିନ ପାଇଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ବଢ଼ିଛି। ସିବିଆଇ ଏବେ ତାଙ୍କ ନାଁରେ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି। ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ମଧ୍ୟ ସମାନ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି।
ଏହାକୁ ଆଧାର କରି ସିବିଆଇ ଏବେ ମାମଲା କରିଛି। ମାମଲା ରୁଜୁ କରିବା ପରେ ଆଜି ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ୧୭ଟି ଠିକଣାରେ ଏକକାଳୀନ ଚଢ଼ଉ ଆରମ୍ଭ କରିଛି। ସିବିଆଇର ଗୋଟିଏ ଟିମ୍ ପାଟଣାରେ ଥିବା ଲାଲୁଙ୍କ ବାସଭବନରେ ମଧ୍ୟରେ ଯାଞ୍ଚ କରୁଥିବା ଖବର ପ୍ରକାଶ ପାଇଛି।
ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିଯୁକ୍ତି ପାଇଁ ଜମି ଲାଞ୍ଚ ଆକାରରେ ଦିଆଯାଥିବା ଘଟଣାରେ ଲାଲୁ ଓ ତାଙ୍କ ଝିଅ ମିଶା ଭାରତୀଙ୍କ ନାଁରେ ଏଫଆଇଆର ହୋଇଛି। ଏଫଆଇଆରକୁ ଆଧାର କରି ଆଜି ପାଟନାର ଏକାଧିକ ସ୍ଥାନ ସହ ଗୋପାଳଗଞ୍ଜ ଓ ଦିଲ୍ଲୀରେ ରେଡ୍ ହୋଇଛି। ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ଝିଅ ମିଶା ଭାରତୀଙ୍କ ମୋଟ ୧୭ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି।
ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ କିଛି ଲୋକଙ୍କୁ ଚାକିରି ଦେବା ପାଇଁ ଲାଞ୍ଚ ଆକାରରେ ଲାଲୁ ଓ ତାଙ୍କ ପରିବାର ଲୋକ ଜମି ବା ପ୍ଲଟ ନେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିବା ପରେ ଏବେ ସିବିଆଇ ବିଧିବଦ୍ଧ ଭାବେ ଏଫଆଇଆର ରୁଜୁ କରିଛି।
ଏବେ ସର୍ଚ୍ଚ ଅପରେସନପ ଚାଲିଥିବାରୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସିବିଆଇ ପକ୍ଷରୁ ଦିଆଯାଇନି। ରେଡ୍ ଶେଷ ହେବା ପରେ ପୂରା ତଥ୍ୟ ସାମ୍ନାକୁ ଆସିବ।
ସୂଚନାଯୋଗ୍ୟ, ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଯାଦବଙ୍କୁ ଗତ ମାସ ୨୨ ତାରିଖରେ ଝାରଖଣ୍ଡ ହାଇକୋର୍ଟ ଜାମିନ ଦେଇଥିଲେ। ଜାମିନ ମିଳିବା ପରେ ସେ କିଛି ଦିନ ଏମ୍ସରେ ଚିକିତ୍ସିତ ହୋଇଥିଲେ। ଏହାପରେ ସେ ଏବେ ନିଜ ବଡ଼ ଝିଅ ମିଶା ଭାରତୀଙ୍କ ଘରେ ଅଛନ୍ତି।
The post ଲାଲୁ ଯାଦବଙ୍କ ନାଁରେ ନୂଆ ମାମଲା, ଘରେ ପଶିଲା ସିବିଆଇ appeared first on Odisha Reporter.
from Odisha Reporter https://odishareporter.in/nation-world/india/cbis-new-corruption-case-against-lalu-yadav-735514
No comments:
Post a Comment