ମୁମ୍ବାଇ: ‘ତାଜମହଲ ତଳୁ ଖୋଜା ଚାଲିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀ। ସେମାନେ ମୋଦିଙ୍କ ଡିଗ୍ରୀ ଖୋଜୁଛନ୍ତି।’ ଶନିବାର ମହାରାଷ୍ଟ୍ରର ଭିୱଣ୍ଡିରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଏଭଳି କହି ବର୍ଷିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି। ଏଥିସହ ଦେଶରେ ଚାରିଆଡେ ଜାରି ରହିଥିବା ମନ୍ଦିର-ମସଜିଦ ଖୋଳାଯାଉଥିବା ବିବାଦକୁ ନେଇ ମଧ୍ୟ ମୋଦି ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି।
ଓୱେସି ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି, ‘ଦେଶରେ ମନ୍ଦିର ମସଜିଦ ଖନନ କରାଯାଉଛି, ସେଠାରେ ପ୍ରକୃତରେ ମୋଦିଙ୍କ ଡିଗ୍ରୀ ଖୋଜା ଚାଲିଛି। ନିକଟରେ ତାଜମହଲ ତଳୁ ମଧ୍ୟ ମୋଦିଙ୍କ ହିଁ ଡିଗ୍ରୀ ଖୋଜା ଚାଲିଥିଲା।’
ଏଆଇଏମ୍ଆଇଏମ୍ ମୁଖ୍ୟ ନାଁ ନ ନେଇ କହିଛନ୍ତି, ‘ତାଙ୍କର ଦାଢ଼ି ରଖିଲେ ଅସୁବିଧା, ଟୋପିକୁ ନେଇ ଅସୁବିଧା, ମସଜିଦ ଓ ଅଜାନକୁ ନେଇ ମଧ୍ୟ ସମସ୍ୟା ରହିଛି। ଯେତେବେଳେ ଦେଶରେ ବାବ୍ରି ମସଜିଦର ନିଷ୍ପତ୍ତି ଆସିଥିଲା, ସେତେବେଳେ ମୁଁ କହିଥିଲି, ଏହାପରେ ଜ୍ଞାନବାପୀ, ମଥୁରା ଏବଂ ଅନ୍ୟାନ୍ୟ ସ୍ଥାନର ନାମ ଉଠିବ। ଆଉ ଆଜି ତାହା ସବୁ ସତ ହେଉଛି।’
ଓୱେସି ଆହୁରି କହିଛନ୍ତି, ଯଦି ମୋଦି, ଉଦ୍ଧବ ଠାକରେ, ଶରଦ ପାୱାର, ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କେହି କିଛି କୁହନ୍ତି, ତେବେ ସେମାନଙ୍କ ଘର ଉପରେ ଆକ୍ରମଣ କରାଯାଉଛି। ଯେଉଁମାନେ କହୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତା’ହେଲେ ଯଦି କେହି ଆମର ବିଶ୍ୱାସ ବିରୁଦ୍ଧରେ ଆମ ବିରୁଦ୍ଧରେ କଥା ହୁଅନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଉ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଭାରତ ମୋର ନୁହେଁ, ଠାକ୍ରେଙ୍କର ନୁହେଁ, ମୋଦି-ଶାହଙ୍କର ମଧ୍ୟ ନୁହେଁ। ଯଦି ଭାରତ କାହାର ହୋଇଥାଏ, ତାହା ହେଉଛି ଦ୍ରବିଡ଼ ଓ ଆଦିବାସୀମାନଙ୍କର। ‘ବିଜେପି-ଆର୍ଏସ୍ଏସ୍’ କେବଳ ମୋଗଲମାନଙ୍କ ସହିତ ଲାଗିଛନ୍ତି। ବାସ୍ତବରେ ଆଫ୍ରିକା, ଇରାନ୍, କେନ୍ଦ୍ରୀୟ ଏସିଆ ଏବଂ ପୂର୍ବ ଏସିଆରୁ ଲୋକମାନେ ଆସିବା ପରେ ଭାରତ ଗଠନ ହୋଇଛି ବୋଲି ଦୃଢ଼ ସ୍ୱରରେ ଓୱେସି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆଗ୍ରା ସ୍ଥିତ ତାଜମହଲର ୨୨ଟି ବନ୍ଦ କୋଠରି ଭିତରେ କ’ଣ ରହିଛି ଜାଣିବା ପାଇଁ ସେଗୁଡ଼ିକୁ ଖୋଲାଯାଉ ବୋଲି ‘ବିଜେପି’ର ଜେଣ ନେତା ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ, ସେ କଥା ଐତିହାସିକମାନଙ୍କ ଉପରେ ଛାଡ଼ି ଦିଆଯାଉ କହି ଅଦାଲତ ଉକ୍ତ ପିଟିସନ୍କୁ ଖାରଜ କରିଦେଇଥିଲେ। ବିଶାଳ ସମାଧି ତାଜମହଲ ବାସ୍ତବରେ ଗୋଟିଏ ପୁରାତନ ଶିବ ମନ୍ଦିର ବୋଲି ଉକ୍ତ ପିଟିସନ୍ରେ ଦାବି କରାଯାଇଥିଲା।
The post ତାଜମହଲ ତଳୁ ଖୋଜା ଚାଲିଛି ମୋଦିଙ୍କ ଡିଗ୍ରୀ: ଓୱେସି appeared first on Odisha Reporter.
from Odisha Reporter https://ift.tt/wAxM8Cu
No comments:
Post a Comment