ବିଜୟରୁ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କଲେ ପାଣ୍ଡ୍ୟା, ୭ ୱିକେଟରେ ହାରିଲା ଆୟର୍ଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 26, 2022

ବିଜୟରୁ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କଲେ ପାଣ୍ଡ୍ୟା, ୭ ୱିକେଟରେ ହାରିଲା ଆୟର୍ଲ୍ୟାଣ୍ଡ

ଡବଲିନ: ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର କମାଣ ସମ୍ଭାଳିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଜୟରୁ ନିଜର କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ  ଏଠାରେ ଖେଳା ଯାଉଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ୭ ୱିକେଟରେ ଜିତି ନେଇଛି। ଏଥିସହ ୨ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇ ଯାଇଛି। ଦ୍ରୁତ ବୋଲର ଉମ୍ରାନ ମଲିକ ଏହି ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ମଧ୍ୟ ପ୍ରଭାବଶୂନ୍ୟ ରହିଛନ୍ତି। ସେ ବିଜୁଳି ବେଗରେ ବୋଲିଂ କରିଥିଲେ ମଧ୍ୟ କେବଳ ଗୋଟିଏ ଓଭର ବୋଲିଂ କରି ୧୪ ରନ୍‌ ବ୍ୟୟ କରିଛନ୍ତି।

ବର୍ଷା ଯୋଗୁ ରବିବାର ରାତି ୧୧.୨୦ରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ୧୨ ଓଭର ବିଶିଷ୍ଟ ହୋଇଥିଲା। ଟସ୍ ହାରି ଆୟର୍ଲ୍ୟାଣ୍ଡ ନିର୍ଦ୍ଧାରିତ ୧୨ ଓଭର୍‌ରେ ୪ ୱିକେଟ ହରାଇ ୧୦୮ ରନ୍‌ କରିଥିଲା। ଏହାର ଜବାବରେ ଟିମ୍‌ ଇଣ୍ଡିଆ ୯.୨ ଓଭରରେ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ଦଳ ପକ୍ଷରୁ ଦୀପକ ହୁଡ୍ଡା ଅପରାଜିତ ୪୭ ରନର ଇନିଂସ ଖେଳିଥିବା ବେଳେ ଈଶନ କିଶନ ୨୬ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୨୪ ରନ୍‌ କରିଛନ୍ତି। ଦଳର ନିୟମିତ ଓପନର ଋତୁରାଜ ଗାଏକ୍ୱାଡ ଗତକାଲିର ମ୍ୟାଚ୍‌ ଖେଳୁଥିଲେ ମଧ୍ୟ ଆହତ କାରଣରୁ ବ୍ୟାଟିଂ କରି ନାହାନ୍ତି। ତାଙ୍କ ବଦଳରେ ଈଶନ କିଶନଙ୍କ ସହ ଦୀପକ ହୁଡ୍ଡା ଇନିଂସ ଆରମ୍ଭ କରିଥିଲେ।

ବର୍ଷା ଯୋଗୁ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୨ ଘଣ୍ଟା ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଏଥିପାଇଁ ମ୍ୟାଚକୁ ୧୨ ଓଭର ବିଶିଷ୍ଟ କରାଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆୟର୍ଲ୍ୟାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ହିଁ ଭୁବନେଶ୍ୱର କୁମାର ଅଧିନାୟକ ଆଣ୍ଡି ବଲବରିନ(୦)ଙ୍କୁ ଆଉଟ କରି ଦେଇଥିଲେ।

ଏହାର ପରବର୍ତ୍ତୀ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ୪ ରନ୍‌ କରିଥିବା ପଲ ଷ୍ଟ୍ରିଲିଙ୍ଗଙ୍କୁ ପ୍ୟାଭିଲିନୟ ପଠାଇଥିଲେ। ଦଳୀୟ ସ୍କୋର ୨୨ ଥିବା ବେଳେ ଦଳ ଗାରେଥ ଡେଲାନୀ(୮)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଆଭେଶ ଖାନ ନେଇଥିଲେ। ୨୨ ରନର ୩ ୱିକେଟ ହରାଇ ଆୟର୍ଲ୍ୟାଣ୍ଡ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ହାରୀ ଟେକ୍ଟର ଓ ଲୋର୍କାନ ଟକ୍କର ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୫୦ ରନ୍‌ ଯୋଡ଼ି ଦଳୀୟ ସ୍କୋରକୁ ୭୨ରେ ପହଞ୍ଚାଇଥିଲେ। ଏହି ସମୟରେ ୧୮ ରନ୍ କରିଥିବା ଟକ୍କରଙ୍କୁ ୟୁଜବେନ୍ଦର ଚହଲ ଆଉଟ କରି ଦେଇଥିଲେ। କିନ୍ତୁ ଏହାର ପ୍ରଭାବ ଟେକ୍ଟରଙ୍କ ଉପରେ ପଡ଼ି ନଥିଲା। ସେ ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଟେକ୍ଟର ୩୩ ବଲରେ ଅପରାଜିତ ୬୪ ଓ ଜର୍ଜ ଡକରେଲ ଅପରାଜିତ ୪ ରନ୍ କରିବାରୁ ଆୟର୍ଲ୍ୟାଣ୍ଡ ୪ ୱିକେଟ ହରାଇ ୧୦୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଟେକ୍ଟର ତାଙ୍କ ଇନିଂସରେ ୩ଟି ଛକା ଓ ୬ଟି ଚୌକା ମାରିଛନ୍ତି।

୧୦୯ ରନର ଟାର୍ଗେଟ ପାଇଥିବା ଟିମ୍ ଇଣ୍ଡିଆ ପାଇଁ ଈଶନ କିଶନ ବିସ୍ଫୋରକ ଆରମ୍ଭ କରିଥିଲେ। ସେ ମାତ୍ର ୧୧ ବଲରେ ୨୬ ରନ୍‌ କରିବା ସହ ପ୍ରଥମ ୱିକେଟ ପାଇଁ ଦୀପକ ହୁଡ୍ଡାଙ୍କ ସହ ମିଶି ୩୦ ରନର ଭାଗିଦାରୀ କରିଥିଲେ। ତେବେ କ୍ରେଗ ୟଙ୍ଗଙ୍କୁ ବଡ଼ ଶଟ ଖେଳିବା ଲୋଭରେ ଈଶନ କିଶନ ବୋଲ୍ଡ ହୋଇ ଯାଇଥିଲେ। ଏହାର ପରବର୍ତ୍ତୀ ବଲରେ ସେ ସୂର୍ଯ୍ୟ କୁମାର ଯାଦବ(୦)ଙ୍କୁ ମଧ୍ୟ ଏଲବିଡବ୍ଲ୍ୟୁ କରି ଦେଇଥିଲେ। ୩୦ ରନରେ ୨ଟି ୱିକେଟ ହରାଇ ଭାରତୀୟ ଟିମ ସାମାନ୍ୟ ବ୍ୟାକଫୁଟକୁ ଠେଲି ହୋଇ ଯାଇଥିଲା।

କିନ୍ତୁ ଦୀପକ ହୁଡ୍ଡା ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ୩ୟ ୱିକେଟ ପାଇଁ ୬୦ ରନ୍‌ ଯୋଡ଼ିବା ସହ ଭାରତକୁ ବିଜୟର ନିକଟତର କରାଇଥିଲେ। ଦଳୀୟ ସ୍କୋର ୯୪ ଥିବା ବେଳେ ହାର୍ଦ୍ଦିକ(୨୪) ଆଉଟ ହୋଇ ଯାଇଥିଲେ। ତାଙ୍କ ୱିକେଟ ଜୋଶ ଲିଟଲ ନେଇଛନ୍ତି। ପାଣ୍ଡ୍ୟା ଆଉଟ ହୋଇଥିଲେ ମଧ୍ୟ ଦୀପକ ହୁଡ୍ଡା ଆଉ କୌଣସି କ୍ଷତି ଘଟାଇବାକୁ ସୁଯୋଗ ଦେଇ ନଥିଲେ। ସେ ଦୀନେଶ କାର୍ତ୍ତିକ(୫*)ଙ୍କ ସହ ମିଶି ଭାରତ ପାଇଁ ୧୬ ବଲ ପୂର୍ବରୁ ବିଜୟ ମୁଣ୍ଡି ପାରିଥିଲେ। ଭାରତକୁ ଜିତିବା ପାଇଁ ୨ ରନ୍‌ ଦରକାର ଥିବା ବେଳେ ହୁଡ୍ଡା ଚୌକା ମାରି ଦଳକୁ ବିଜୟୀ କରାଇଥିଲେ। ସେ ୨୯ ବଲରେ ଅପରାଜିତ ୪୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୨ଟି ଛକା ଓ ୬ଟି ଚୌକା ମାରିଛନ୍ତି।

ତେବେ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିବା ଚହଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସେ ୩ ଓଭର୍‌ରେ ୧୧ ରନ୍‌ ଦେଇ ଗୋଟିଏ ୱିକେଟ ଦଖଲ କରିଛନ୍ତି।

The post ବିଜୟରୁ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କଲେ ପାଣ୍ଡ୍ୟା, ୭ ୱିକେଟରେ ହାରିଲା ଆୟର୍ଲ୍ୟାଣ୍ଡ appeared first on Odisha Reporter.



from Odisha Reporter https://ift.tt/axVIQCg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages