ମୁମ୍ବାଇ: ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଖ୍ୟାତନାମା ଗାୟକ କେକେ । ଆଜି ହେବ ତାଙ୍କ ଅନ୍ତିମ ସଂସ୍କାର । ମୁମ୍ବାଇ ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି । ଭର୍ସୋଭାର ପାର୍କ ପ୍ଲାଜା କଂମ୍ପ୍ଲେକ୍ସରେ କେକେ ରହୁଥିବାରୁ ଘର ନିକଟ ଶ୍ମଶାନରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିନ ୧୦ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ରଖାଯିବ । ଗତକାଲି ରାତିରେ କେକେଙ୍କ ମରଶରୀର କୋଲକତାରୁ ମୁମ୍ବାଇ ଅଣାଯାଇଥିଲା ।
ମଙ୍ଗଳବାର କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଇବା ବେଳେ ଅସୁସ୍ଥ ହୋଇପଡିଥିଲେ କେକେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୫୩ ବର୍ଷ ବୟସରେ କେକେଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ମାହୋଲ ଖେଳି ଯାଇଛି। ସ୍ତବ୍ଧ ହୋଇଯାଇଛି ପୂରା ବଲିଉଡ । କେକେଙ୍କ ଫ୍ୟାନ୍ସ ବି ନିଜ ପପୁଲାର ଷ୍ଟାରଙ୍କ ଏପରି ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ।
କେକେଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ କ୍ଷତଚିହ୍ନ ଠାବ ହେବା ଘଟଣାକୁ ଆହୁରି ରହସ୍ୟମୟ କରିଛି । କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅପମୃତ୍ୟୁ ଆଶଙ୍କାକୁ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ଖଣ୍ଡନ କରାଯାଇଛି । ହେଲେ କେକେଙ୍କର ଜଟିଳ ଯକୃତ ଓ ଫୁସଫୁସ୍ ସମସ୍ୟା ଥିବା ଜଣାଯାଇଛି । କୋଲକାତାର SSK ହସ୍ପିଟାଲରେ ପ୍ରାୟ ଦେଢ଼ ଘଣ୍ଟା ଧରି ଶବ ବ୍ୟବଚ୍ଛେଦ ଚାଲିଥିଲା ଏବଂ ଏହାର ଭିଡିଓ ରେକର୍ଡିଂ କରାଯାଇଥିବା ସୂଚନା ମିଳିଛି ।
ଏହା ମଧ୍ୟରେ ସାମ୍ନାକୁ ଆସିଛି କେକେଙ୍କ ଏକ ସିସିଟିଭି ଫୁଟେଜ୍ । ମଞ୍ଚରେ ଅସୁସ୍ଥ ଅନୁଭବ କରିବା ପରେ ସେ ହୋଟେଲ୍ ଫେରିଯାଇଥିଲେ । ଆଉ ହୋଟେଲ୍ ଲବି ଦେଇ ରୁମ ଯିବା ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିବା ବେଳେ ତାହା ଏବେ ଭାଇରାଲ ହେଉଛି।
The post ଆଜି ପଞ୍ଚଭୂତରେ ଲୀନ ହେବେ କେକେ, ମୁମ୍ବାଇରେ ହେବ ଶେଷକୃତ୍ୟ appeared first on Odisha Reporter.
from Odisha Reporter https://ift.tt/NnrA3Ck
No comments:
Post a Comment