ୱାଶିଂଟନ: ମାତ୍ର ୮ ଦିନର ବ୍ୟବଧାନ ପରେ ପୁଣି ଥରେ ଆମେରିକାରେ ଗର୍ଜିଛି ବନ୍ଧୁକ । ଗତଥର ଦୁର୍ବୃତ୍ତ ଟାର୍ଗେଟରେ ସ୍କୁଲ ଥିବା ବେଳେ ଏବେ ଟାର୍ଗେଟ ପାଲଟିଛି ହସ୍ପିଟାଲ । ଗତଥର ଦୁର୍ବୃତ୍ତର ଆଖି ବୁଜା ଗୁଳି ମାଡ଼ରେ ୧୮ ନୀରିହ ଛାତ୍ରଙ୍କ ସମେତ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ଏଥର ଆଖି ବୁଜିଛନ୍ତି ୪ ସାଧାରଣ ଲୋକ ।
ଓକ୍ଲାହୋମା ରାଜ୍ୟର ତୁଲସା ସହରସ୍ଥିତ ସିଟି ଫ୍ରାନ୍ସିସ୍ ହସ୍ପିଟାଲରେ ଗତକାଲି ଘଟିଛି ଏପରି ନାରକୀୟ କାଣ୍ଡ । ଏହି ଗୁଳିକାଣ୍ଡରେ ବହୁ ଜଣ ଗୁରୁତର ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ସଂପୃକ୍ତ ଦୁର୍ବୃତ୍ତର ମଧ୍ୟ ମୃତ୍ୟୁ ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି ।
ପୁଲିସ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲର ଦ୍ୱିତୀୟ ମହଲରେ ଗତକାଲି ଜଣେ ଯୁବକ ବନ୍ଧୁକ ଧରି ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା କର୍ମୀ ତୁରନ୍ତ ଉକ୍ତ ଦୁର୍ବୃତ୍ତର ପିଛା କରିଥିଲେ। ମାତ୍ର ଏହା ମଧ୍ୟରେ ଦୁର୍ବୃତ୍ତର ଆଖି ବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବହୁ ଜଣ ଗୁରୁତର ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ ପାଲଟା ଆକ୍ରମଣରେ ଘଟଣାସ୍ଥଳରେ ହିଁ ଦୁର୍ବୃତ୍ତଜଣକ ଆଖି ବୁଜିଥିବା ଜଣାଯାଇଛି। ତେବେ ତାଙ୍କ ପରିଚୟ ମିଳିପାରିନି
ଫ୍ରାନ୍ସିସ୍ ହସ୍ପିଟାଲରେ ବହୁ ସଂଖ୍ୟାରେ ରୋଗୀ ଚିକିତ୍ସିତ ହେଉଥିବାରୁ ପୁଲିସ୍ ପ୍ରତି ମହଲା ଯାଞ୍ଚ କରୁଛି। ଏହି ହସ୍ପିଟାଲକୁ ଖାଲି କରି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏଥିସହ ହସ୍ପିଟାଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।
ଆମେରିକାରେ ବାରମ୍ବାର ଘଟୁଥିବା ଏଭଳି ଅଭାବନୀୟ ଘଟଣା ଚିନ୍ତାର କାରଣ ପାଲଟିଛି । ବିଭିନ୍ନ ସହରରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୁଳିମାଡ଼ ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପ-ରାଷ୍ଟ୍ରପତି କମଲା ହାରିସ୍ ଦୁଃଖପ୍ରକାଶ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି। ଏଥିସହ ଆମେରିକା ଭଳି ଶାନ୍ତିପ୍ରିୟ ଦେଶରେ ଏଭଳି ଅପରାଧ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୨୪ ତାରିଖରେ ଜଣେ ୧୮ ବର୍ଷୀୟ ଯୁବକଙ୍କ ଆଖି ବୁଜା ଗୁଳି ମାଡ଼ରେ ରକ୍ତରଞ୍ଜିତ ହୋଇଥିଲା ଆମେରିକା ଟେକ୍ସାସ୍ର ୱାର୍ଲ୍ଡ ସହରରେ ଥିବା ରୋବ ଏଲିମେଣ୍ଟାରୀ ସ୍କୁଲ । ଏହି ଫାୟାରିଂରେ ୨୧ ନୀରିହ ଜୀବନ ଅକାଳରେ ଚାଲି ଯାଇଥିଲା । ମୃତକଙ୍କ ମଧ୍ୟରେ ୧୮ ଛାତ୍ରଛାତ୍ରୀ ଥିବା ବେଳେ ୩ ଜଣ ଶିକ୍ଷକ ଥିଲେ।
The post ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ: ଏଥର ରକ୍ତରଞ୍ଜିତ ହେଲା ହସ୍ପିଟାଲ appeared first on Odisha Reporter.
from Odisha Reporter https://ift.tt/jV6v8hu
No comments:
Post a Comment