ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଜଳୁଛି ପୂରା ଦେଶ। ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ତ୍ୱେ ଅଗ୍ନିପଥ ବିବାଦ ଥମିବାର ନାଁ ନେଉ ନାହିଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଦେଶର ପ୍ରାୟ ଅଧାରୁ ଅଧିକ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଆଜି ବିଭିନ୍ନ ସଂଗଂଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଶେଷ କରି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଯୋଗୁଁ ରେଲୱେର ଅଧିକାଂଶ କ୍ଷତି ହୋଇଛି। ପରିସ୍ଥିତିକୁ ନଜରରେ ରଖି ହାଇଆଲର୍ଟରେ ରହିଛନ୍ତି ଆରପିଏଫ ଓ ଜିଆରପି। ସେମାପେ ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖିଛନ୍ତି।
ପ୍ରଦର୍ଶନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଉଭୟ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଆନ୍ଦୋଳନ ନାଁରେ ହିଂସା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ଏଥିସହ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ମୋବାଇଲ, ସିସିଟିଭି, କ୍ୟାମେରାରେ କଏଦ ହୋଇଥିବା ଫଟୋକୁ ଡିଜିଟାଲ ସାକ୍ଷୀ ଭାବେ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତ ବନ୍ଦ ସମୟରେ ଅଧିକ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କୁ ସେଫ୍ଟି ଗିୟର ପିନ୍ଧିବାକୁ କୁହାଯାଇଛି। ଯେଉଁ ଷ୍ଟେସନ ଗୁଡିକ ସମ୍ବେଦନଶୀଳ ସେଠାକୁ ବାରମ୍ବାର ଗସ୍ତ କରି ନୀରିକ୍ଷଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କୁହାଯାଇଛି। ସେପଟେ ସୁରକ୍ଷା ଦୃଷ୍ଟିରୁ ଝାଡ଼ଖଣ୍ଡରେ ସବୁ ସ୍କୁଲ ବନ୍ଦ କରିଛନ୍ତି ସରକାର। ଏହି ବନ୍ଦ ପାଳନ ପାଇଁ କେଉଁ ସଙ୍ଗଠନ ଆହ୍ୱାନ ଦେଇଛି ତାହା ଜଣାପଡ଼ିନଥିଲେ ମଧ୍ୟ ଗୁଇନ୍ଦା ରିପୋର୍ଟକୁ ଆଧାର କରି ବିଭିନ୍ନ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ବିଭିନ୍ନ ରାଜ୍ୟରେ ଏବଂ ବିଶେଷ କରି ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ବ୍ୟାପକ ହିଂସାତ୍ମକ ପ୍ରତିବାଦ ହୋଇଛି। ଏହା ପଛରେ ସଶସ୍ତ୍ର ସେନାରେ ନିଯୁକ୍ତି ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରାଉଥିବା କୋଚିଂ ସେଣ୍ଟରଗୁଡ଼ିକର ହାତ ରହିଥିବା ପୁଲିସ ସନ୍ଦେହ କରୁଛି। ଆନ୍ଧ୍ର ପୁଲିସ ଆବୁଲା ସୁବ୍ବା ରାଓ ନାମକ ସେନାର ଜଣେ ଅବସରପ୍ରାପ୍ତ ହାବିଲଦାରଙ୍କୁ କେନ୍ଦ୍ରର ଯୋଜନା ବିରୋଧରେ ଯୁବଗୋଷ୍ଠୀଙ୍କୁ ଉସକାଇବା ଅଭିଯୋଗରେ ଗିରଫ କରିଛି। ସେପଟେ ଅଗ୍ନିପଥ ଯୋଜନା ଓ ଅଗ୍ନିବୀର ସମ୍ପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା କାରଣରୁ ଗୃହ ମନ୍ତ୍ରାଳୟ ୩୫ଟି ହ୍ବାଟ୍ସଆପ୍ ଗ୍ରୁପ୍କୁ ନିଷିଦ୍ଧ କରିଛି।
The post ଥମୁନି ଅଗ୍ନିପଥ ନିଆଁ, ଆଜି ଭାରତ ବନ୍ଦ ଡାକରା appeared first on Odisha Reporter.
from Odisha Reporter https://ift.tt/GTXDZ4V
No comments:
Post a Comment