ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟାହ୍ନରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ଓଡ଼ିଶା ବିଜେପିର ସମସ୍ତ ବିଧାୟକ ଓ ବିଜେଡି ପକ୍ଷରୁ ପ୍ରସ୍ତାବ ସାଜିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ। ଏହାବାଦ ବିଜେପି ଓ ଏହାର ସହଯୋଗୀ ଦଳର ଅନେକ ନେତା ମଧ୍ୟ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ତେବେ ନାମାଙ୍କନ ଦାଖଲ କରିବା ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଦଳ ୱାଇଏସ୍ଆର କଂଗ୍ରେସ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବ। ଜଗନ ମୋହନଙ୍କ ଦଳ ସବୁବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସଂପ୍ରଦାୟର ଲୋକଙ୍କ ବିକାଶ ଉପରେ ଫୋକସ କରି ଆସିଛି। ତେଣୁ ରାଷ୍ଟ୍ରପତି ନିର୍ବାଚନରେ ୱାଇଏସ୍ଆର କଂଗ୍ରେସ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ ଜଗନ ମୋହନ ରେଡ୍ଡୀ କହିଛନ୍ତି।
ତେବେ ସେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ଦାଖଲ କରିବା ସମୟରେ ଉପସ୍ଥିତ ରହିପାରିବେ ନାହିଁ। ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ। ତେଣୁ ତାଙ୍କ ବଦଳରେ ଦଳର ରାଜ୍ୟସଭା ସାଂସଦ ତଥା ସଂସଦୀୟ ଦଳର ନେତା ବିଜୟସାଇ ରେଡ୍ଡୀ ଓ ଲୋକସଭା ସାଂସଦ ମିଦହୁନ ରେଡ୍ଡୀ ଶ୍ରୀମତୀ ମୁର୍ମୁ ନାମାଙ୍କନ ଦାଖଲ କରିବେ ବେଳେ ଉପସ୍ଥିତ ରହିବେ।
ଏହାପୂର୍ବରୁ ଅଣ ଏନଡିଏ ଦଳ ଭାବେ ଓଡ଼ିଶାର କ୍ଷମତାସୀନ ବିଜେଡି ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଘୋଷଣା କରିଥିଲା। ସେ ଓଡ଼ିଶା ମାଟିର ଝିଅ ହୋଇଥିବାରୁ ତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସବୁ ଦଳର ସହଯୋଗ କାମନା କରିଥିଲେ। ଏନଡିଏ ସମେତ ବିଜେଡି ଓ ଜଗନ ମୋହନ ରେଡ୍ଡୀଙ୍କ ଦଲ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି।
ଯଦି ସେ ବିଜୟୀ ହୁଅନ୍ତି, ତା’ହେଲେ ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିବ। ସେହିପରି ପ୍ରଥମ ଓଡ଼ିଆ ଭାବେ ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାର ରେକର୍ଡ କରିବେ।
The post ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ, ସମର୍ଥନ ଘୋଷଣା କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/TYeLDow
No comments:
Post a Comment