ମୁମ୍ବାଇ: ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛନ୍ତି ମହାରାଷ୍ଟ୍ର ସରକାର। ସୋମବାର ଠାରୁ ଆରମ୍ଭ ହୋଇଥିବା ବିଦ୍ରୋହ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ତେବେ ଗୋଟିଏ ପଟେ ବିଦ୍ରୋହ ଚାଲିଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ମାତ୍ର ୪ ଦିନ ମଧ୍ୟରେ ୨୮୦ଟି ଯୋଜନା ଉପରେ ମୋହର ମାରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତରବରିଆ ଭାବେ ଯୋଜନା ଗୁଡ଼ିକ ଉପରେ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଦ୍ରୋହ ଘୋଷଣା ହେବା ଦିନ ଠାରୁ ଏମଭିଏ ସରକାର ଦୈନିକ ୨୫ରୁ ୩୦ଟି ଯୋଜନାକୁ ଅନୁମୋଦନ ଦେବା ଆରମ୍ଭ କରିଛନ୍ତି। ବିଶେଷ କରି ଯେଉଁ ବିଭାଗର କ୍ୟାବିନେଟ ମନ୍ତ୍ରୀମାନେ ଏବେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି, ସେହି ବିଭାଗ ସହ ଜଡ଼ିତ ବିଭିନ୍ନ ଯୋଜନାକୁ ଅନୁମୋଦନ ଦିଆଯାଉଛି।
ତେବେ ସରକାର ନେଇଥିବା ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ୧୬ଶହ କୋଟି ଟଙ୍କାର ପାଣ୍ଠି ଆବଶ୍ୟକ। ମୁମ୍ବାଇ ଛାଡ଼ିବା ପୂର୍ବରୁ ବିଦ୍ରୋହୀ କ୍ୟାବିନେଟ ମନ୍ତ୍ରୀମାନେ ଯେମିତି ଏହି ସବୁ ଯୋଜନା ଉପରେ ଦସ୍ତଖତ କରିବେ, ତା’ର ବ୍ୟବସ୍ଥା ମଧ୍ୟ ହୋଇଛି। ସେମାନେ ଉପଯୁକ୍ତ ନିଷ୍ପତ୍ତି ନେଇଛନ୍ତି ଓ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ବଜେଟକୁ ମଧ୍ୟ ଅନୁମୋଦନ କରିଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।
ବିର୍ଦ୍ଦଭ, ମରାଠାୱାଡା ଓ ଉତ୍ତର ମହାରାଷ୍ଟ୍ର ଭଳି ପଛୁଆ ଅଞ୍ଚଳରେ ଥିବା ଶିଳ୍ପାଞ୍ଚଳ ଗ୍ରାହକଙ୍କୁ ରିହାତି ଦରରେ ବିଜୁଳି ଯୋଗାଇ ଦେବା ପାଇଁ ସରକାର ୧୨ଶହ କୋଟିର ବ୍ୟୟ ବରାଦକୁ ମଞ୍ଜୁରୀ ଦେଇଛନ୍ତି। ଘରୋଇ ହାଉସିଂ ସୋସାଇଟିକୁ ଜଳ ଯୋଗାଣ ପାଇଁ ମଧ୍ୟ ଅନୁମୋଦନ ମିଳିଛି। ଜଳ ଯୋଗାଣ ବିଭାଗ ସହ ଜଡ଼ିତ ୧୮ଟି ନିଷ୍ପତ୍ତି ଉପରେ ମୋହର ମରାଯାଇଛି। ଏହି ବିଭାଗର ଦାୟିତ୍ୱ ବିଦ୍ରୋହ ଘୋଷଣା କରିଥିବା ମନ୍ତ୍ରୀ ଗୁଲାବରାଓ ପାଟିଲଙ୍କ ହାତରେ ରହିଛି।
ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏକାଧିକ ଜଳ ଯୋଗାଣ ଯୋଜନାକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ବିଶେଷ କରି ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ଏହାବାଦ ପୁଣେ-ନାଶିକ ରେଳ ଲାଇନ ପାଇଁ ରାଜ୍ୟର ଭାଗ ହିସାବରେ ୨୪୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।
ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଥିବା ଦାଦା ଭୁଶେଙ୍କ ହାତରେ କୃଷି ବିଭାଗ ରହିଛି। ଏହି ବିଭାଗ ଅଧୀନରେ ପ୍ରାୟ ୬ଟି ଯୋଜନା ଲାଗୁ କରିବାକୁ ସରକାରୀ ଅନୁମୋଦନ ମିଳିଛି। ମେଡିକାଲ ଏଡୁକେସନ ବିଭାଗ ନାନ୍ଦେଦ ମେଡିକାଲ କଲେଜ ପାଇଁ ବାଳିକା ହଷ୍ଟେଲ ନିର୍ମାଣକୁ ଅନୁମତି ଦେଇଛି। ସେହିପରି କଲେଜ ୪ ପାଖରେ ପାଚେରୀ ନିର୍ମାଣ ପାଇଁ ମଧ୍ୟ ବିଭାଗ ପକ୍ଷରୁ ଗ୍ରୀନ ସିଗ୍ନାଲ ଦିଆଯାଇଛି। ନକଲି ଭେଟରନାରୀ ଡାକ୍ତରଙ୍କୁ ଚିହ୍ନଟ ପାଇଁ ବିଭାଗ ପକ୍ଷରୁ ଗୋଟିଏ କମିଟି ଗଠନ କରାଯାଇଥିବା ଜଣାପଡ଼ିଛି। ତରବରିଆ ଏତେ ସଂଖ୍ୟକ ଯୋଜନାକୁ କାର୍ଯ୍ୟକାରୀ କରିବା ପଛର କାରଣ ଜଣାପଡ଼ିନାହିଁ।
The post ବିଦ୍ରୋହ ଜାରି: ୪ ଦିନରେ ୨୮୦ ଯୋଜନାକୁ ଅନୁମତି ଦେଲେଣି ମହାରାଷ୍ଟ୍ର ସରକାର appeared first on Odisha Reporter.
from Odisha Reporter https://ift.tt/2DvdAFo
No comments:
Post a Comment