କଟକ(ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲ(ଏସସିବି) ରେ ଭର୍ତ୍ତି ହୋଇଛି କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ଅଣାଯାଇଥିବା ଜଣାଯାଇଛି। ଏସସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ଜଗାର ସିଟି ସ୍କାନ ଓ ଏମ୍ଆରଆଇ କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ।
ସୂଚନାଯୋଗ୍ୟ, କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଶିଶୁଙ୍କ ଚିକିତ୍ସା ପାଇଁ ସେମାନଙ୍କ ମାଆ ପୁଷ୍ପାଞ୍ଜଳି କଅଁର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କ ପରୀକ୍ଷା ନିରୀକ୍ଷା ପରେ ୨୦୧୭ରେ ସେମାନଙ୍କୁ ଏମ୍ସ ପଠାଯାଇଥିଲା। ନୂଆଦିଲ୍ଲୀସ୍ଥିତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧ କୋଟି ଟଙ୍କା ମଞ୍ଜୁର କରିଥିଲେ।
ଏହାପରେ ଦିଲ୍ଲୀ ଏମ୍ସରେ ନ୍ୟୁରୋ ସର୍ଜିରୀ ବିଭାଗର ତତ୍କାଳୀନ ମୁଖ୍ୟ ପ୍ରଫେସର ଅଶୋକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦୧୭ ଜୁନ୍ ମାସରେ ଉଭୟଙ୍କୁ ସଫଳତାର ସହ ପୃଥକ କରାଯାଇଥିଲା । ପ୍ରାୟ ୨ବର୍ଷ ଧରି ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଉଭୟ ଓଡ଼ିଶା ଫେରିଥିଲେ। ପରେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍।
ଗତ ଦେଢ଼ବର୍ଷ ତଳେ କାଳିଆ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କିଛି ଦିନ ପରେ ଜଗାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।
The post ଏସସିବିରେ ଜଗା, ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ appeared first on Odisha Reporter.
from Odisha Reporter https://ift.tt/WjOEqyU
No comments:
Post a Comment