ପାଟନା: ଥମୁନି ‘ଅଗ୍ନିପଥ’ ନିଆଁ । ଶନିବାର ଚତୁର୍ଥ ଦିନରେ ବି ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି ଏହି ନିଆଁ । ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ବିହାରରେ ଜୋରଦାର ବିରୋଧ କରାଯାଉଛି। ଏହି ଯୋଜନାକୁ ନେଇ ବିହାରର ଯୁବବର୍ଗଙ୍କ ମଧ୍ୟରେ ଥିବା ଆକ୍ରୋଶ କୁହୁଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି।
ଆଜି ସକାଳେ ବିହାରର ଜହାନାବାଦାରେ ବହୁ ସଂଖ୍ୟାରେ ଯୁବକ ସଡ଼କ ଉପରକୁ ଚାଲିଆସି କେନ୍ଦ୍ର ସରକାରଙ୍କ ଏହି ଯୋଜନା ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ସେମାନେ ଟେକା ପଥର ମାଡ଼ ବି କରିଥିଲେ। ଏହାପରେ ହଠାତ୍ ଆନ୍ଦୋଳକାରୀମାନେ ଟେହଟା ଆଉଟପୋଷ୍ଟ ନିକଟରେ ଏକ ବସ୍ ଓ ଟ୍ରକ୍ରେ ନିଆଁ ଲଗାଇଦେଲେ।
ଖବର ପାଇ ଜହାନାବାଦ ଜିଲ୍ଲାପାଳ, ଏସ୍ପି ସଦଳବଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା ଜାରି ରହିଛି। ସ୍ଥିତି ଅଣାୟତ୍ତ ହେବାରୁ ବିହାରର ୧୫ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି।
ସୂଚନାଯୋଗ୍ୟ, ‘ଅଗ୍ନିପଥ’ ନିଆଁ ସମଗ୍ର ଦେଶରେ କୁହୁଳୁଥିବା ବେଳେ ପ୍ରାୟତଃ ୧୦ରୁ ଊର୍ଦ୍ଧ୍ୱ ରାଜ୍ୟକୁ ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି। ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା, ତାଲିମନାଡ଼ୁ, ଦିଲ୍ଲୀ, ରାଜସ୍ଥାନ, ଓଡ଼ିଶା ଆଦି ରାଜ୍ୟରେ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି । ଅନେକ ସ୍ଥାନରେ ରାଜପଥ ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଥିବାବେଳେ ବେସରକାରୀ ଯାନବାହନ ତଥା ସାଧାରଣ ଲୋକେ ବି ଆକ୍ରୋଶରୁ ବର୍ତ୍ତି ପାରୁ ନାହାନ୍ତି। ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଚାରିଟି ଉତ୍ତରପ୍ରଦେଶର ୪ ଜିଲ୍ଲାରେ ୬ଟି ଏଫ୍ଆଇଆର୍ ରୁଜୁ ହୋଇଛି। ଏହି ହିଂସାରେ ସମ୍ପୃକ୍ତି ଅଭିଯୋଗରେ ୨୬୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଗିରଫ କରାଯାଇଛି।
ଶହ ଶହ ଆନ୍ଦୋଳନକାରୀ ରାସ୍ତା ଉପରକୁ ଚାଲି ଆସି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ମୁଖ୍ୟ ଟାର୍ଗେଟ ପାଲଟୁଛି ଟ୍ରେନ୍। ଏଯାବତ ଆନ୍ଦୋଳନକାରୀଙ୍କ ୧୨ରୁ ଊର୍ଦ୍ଧ୍ୱ ଟ୍ରେନରେ ନିଆଁ ଲଗାଇ ଦେଇଥିବା ବେଳେ ଆନ୍ଦୋଳନ ଯୋଗୁ ୩୪୦ଟି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।
ଏଥିଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇ ଯାଉଥିବା ବେଳେ ରେଳ ସମ୍ପତ୍ତି ନଷ୍ଟ ନ କରିବାକୁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ଏନେଇ ରେଳ ମନ୍ତ୍ରୀ ଅପିଲ କରିଛନ୍ତି, ରେଳବାଇ ଆପଣଙ୍କର ଓ ଦେଶର ସମ୍ପତ୍ତି । ଆପଣ ହିସାଂ ପନ୍ଥା ଆଚରଣ କରନ୍ତୁ ନାହିଁ ତଥା ରେଳବାଇ ସମ୍ପତ୍ତିର କୌଣସି କ୍ଷତି ଘଟାନ୍ତୁ ନାହିଁ।
‘ଅଗ୍ନିପଥ’ ଆନ୍ଦୋଳନ ଯୋଗୁ ୨ ଜଣ ଅକାଳରେ ଆଖି ବୁଜି ସାରିଥିବା ଜଣାଯାଇଛି । ତେଲେଙ୍ଗାନାରେ ଗୁଳିମାଡ଼ରେ ରାକେଶ ନାମକ ଆନ୍ଦୋଳନାକାରୀ ଆଖି ବୁଜିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ରାକେଶଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ସେହିପରି ବିହାରରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବିହାରର ଲଖିସରାୟରେ ଆନ୍ଦୋଳନକାରୀମାନେ ନୂଆଦିଲ୍ଲୀରୁ ଭାଗଲପୁର ଯାଉଥିବା ଏକ ଟ୍ରେନ୍ରେ ନିଆଁ ଲଗାଇ ଦେଇଥିଲେ। ଏହି ଟ୍ରେନ୍ରେ ଜଣେ ଅସୁସ୍ଥ ଯାତ୍ରୀ ଯାତ୍ରା କରୁଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଲଖିସରାୟ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସେଠାକାର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
The post ବିହାରରେ ଥମୁନି ‘ଅଗ୍ନିପଥ’ ନିଆଁ: ବସ୍, ଟ୍ରକ ଜାଳିଦେଲେ ଆନ୍ଦୋଳନକାରୀ appeared first on Odisha Reporter.
from Odisha Reporter https://ift.tt/bmTgeRF
No comments:
Post a Comment