ଖୋର୍ଦ୍ଧା/ନୟାଗଡ଼(ଓଡ଼ିଶା ରିପୋର୍ଟର):ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ବଡ଼ପଣ୍ଡୁସର ବ୍ରିଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ତେଲ ବୋଝେଇ ଟ୍ୟାଙ୍କର ବ୍ରିଜ ବାଡ଼ାରେ ପିଟି ହୋଇ ତଳକୁ ଖସି ପଡ଼ିବାରୁ ବ୍ଲାଷ୍ଟ ହୋଇ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ୪ ମୃତକଙ୍କ ମଧ୍ୟରୁ ୨ ଜଣ ଗାଡ଼ିର ଡ୍ରାଇଭର, ହେଲପର ଓ ୨ ଜଣ ସ୍ଥାନୀୟ ଲୋକ ଥିବା ଜଣାଯାଇଛି। ଚାରି ମୃତକ ହେଲେ ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ I ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ପାରାଦ୍ୱୀପରୁ ଡିଜେଲ ନେଇ ଆସୁଥିବା ଏକ ଟ୍ୟାଙ୍କର ଗତକାଲି ରାତି ପ୍ରାୟ ୨ଟା ପାଖାପାଖି ସମୟରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବଡ଼ପଣ୍ଡୁସର ବ୍ରିଜ ଅତିକ୍ରମ କରୁଥିଲା। ଏହି ସମୟରେ ଦ୍ରୁତ ଗତିରେ ଥିବା ଗାଡ଼ିଟି ବ୍ରିଜ ବାଡ଼ାରେ ପିଟି ହୋଇ କେନାଲ ତଳକୁ ଖସି ପଡ଼ିଥିଲା। ଏହାପରେ ତେଲ ଭର୍ତ୍ତି ଟ୍ୟାଙ୍କରଟି ବ୍ଲାଷ୍ଟ ହୋଇ ଗାଡ଼ିଟି ଜଳିବାକୁ ଲାଗିଲା। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲପର ବାହାରି ନ ପାରି ଚିତ୍କାର କରିବାକୁ ଲାଗିଲେ।
ଏହି ସମୟରେ ପଛ ଗାଡ଼ିରେ ଥିବା ୨ ଜଣ ଓ ଜଣେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଗାଡ଼ି ନିକଟକୁ ଯାଇଥିଲେ। ମାତ୍ର ନିଆଁ ଏତେ ଭୟଙ୍କର ଥିଲା ଯେ, ଗାଡ଼ିର ଡ୍ରାଇଭର ଓ ହେଲପର ଜିଅନ୍ତା ଜଳି ଯାଇଥିବା ବେଳେ ଉଦ୍ଧାର କରିବାକୁ ଯାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ମଧ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଆଉ ଜଣେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଛନ୍ତି।
ଖବର ପାଇ ସ୍ଥାନୀୟ ଲୋକେ ଓ ଇଟାମାଟି ପୁଲିସ୍ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି। ଏଥିସହ ଆଜି ସକାଳେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ କେନାଲରୁ ୪ଟି ମୃତଦେହ ଉଦ୍ଧାର ହୋଇଛି ।
The post ବ୍ରିଜ ତଳକୁ ଖସି ବ୍ଲାଷ୍ଟ ହେଲା ତେଲ ବୋଝେଇ ଟ୍ୟାଙ୍କର, ୪ ଜୀବନ୍ତ ଦଗ୍ଧ appeared first on Odisha Reporter.
from Odisha Reporter https://ift.tt/jQ4x2WV
No comments:
Post a Comment