ମୁମ୍ବାଇ: ମହାରାଷ୍ଟ୍ର ଓ ହରିଆଣାରେ ବିରୋଧୀଙ୍କୁ ଚକମା ଦେଇଛି କେନ୍ଦ୍ରରେ କ୍ଷମତାସୀନ ବିଜେପି। ରାଜ୍ୟସଭା ନିର୍ବାଚନରେ ବିଜେପି ହରିଆଣାରେ କଂଗ୍ରେସକୁ କ୍ଲିନବୋଲ୍ଡ କରିଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ମେଣ୍ଟ ସରକାରକୁ ଚକମା ଦେବାରେ ସକ୍ଷମ ହୋଇଛି। ମହାରାଷ୍ଟ୍ରର ୬ଟି ରାଜ୍ୟସଭା ଆସନରୁ ମେଣ୍ଟ ସରକାର ୩ଟିରେ ଜିତିଥିବା ବେଳେ ବିଜେପି ଖାତାକୁ ବାକି ୩ଟି ଆସନ ଯାଇଛି।
ସେହିପରି ହରିଆଣାର ୨ଟି ଆସନରୁ ବିଜେପି ଗୋଟିଏ ଜିତିଥିବା ବେଳେ ଆଉ ଗୋଟିଏ ଆସନରେ ମିଡିଆ ଟାଇକୁନ କାର୍ତ୍ତିକେୟ ଶର୍ମା ବାଜିମାତ କରିଛନ୍ତି। କାର୍ତ୍ତିକେୟଙ୍କୁ ବିଜେପି ସମର୍ଥନ କରିଥିଲା। ଏଠାରେ କଂଗ୍ରେସ ଗୋଟିଏ ଆସନ ଜିତିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ଏଠାରୁ ପରାସ୍ତ ହୋଇଛନ୍ତି।
ଉଭୟ ମହାରାଷ୍ଟ୍ର ଓ ହରିଆଣାରେ କ୍ରସ ଭୋଟିଂ ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାତି ତମାମ ଛକା ପଞ୍ଝା ସହ ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ଧରି ଗଣତି ଚାଲିଥିଲା। ଏହାପରେ ବିଳମ୍ବିତ ରାତିରେ ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଜଣେ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ୪୧ଟି ଭୋଟର ଆବଶ୍ୟକ କରୁଥିଲେ।
୬ଟି ଆସନରୁ ମେଣ୍ଟ ସରକାର ବେଶ ଆରାମରେ ୩ଟିରେ ଓ ବିଜେପି ୨ଟିରେ ଜିତିବ ବୋଲି ସମସ୍ତେ ଜାଣିଥିଲେ। ୬ଷ୍ଠ ଆସନ ପାଇଁ ଜୋରଦାର ଲଢ଼େଇ ହୋଇଥିଲା। ଗୋଟିଏ ପଟେ ଶିବସେନାର ସଞ୍ଜୟ ପାୱାର ଥିବା ବେଳେ ଅନ୍ୟପଟେ ଥିଲେ ବିଜେପିର ଧନଞ୍ଜୟ ମାହାଦିକ ଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଧନଞ୍ଜୟଙ୍କ ସପକ୍ଷରେ ଅତିରିକ୍ତ ୧୦ଟି ଭୋଟ ପଡ଼ିଥିଲା। ତେଣୁ ସେ ଶିବସେନାର ସଞ୍ଜୟ ପାୱାରଙ୍କୁ ହରାଇବାକୁ ସକ୍ଷମ ହୋଇଛନ୍ତି। ବିଜେପିର ଆଉ ୨ ବିଜୟୀ ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଓ ଅନୀଲ ବୋଣ୍ଡେ। ଉଭୟ ୪୮ଟି ଲେଖାଏ ଭୋଟ ପାଇଛନ୍ତି। ମେଣ୍ଟ ସରକାର ପକ୍ଷରୁ କଂଗ୍ରେସର ଇମ୍ରାନ ପ୍ରତାପଗଡ଼ି, ଏନସିପିର ପ୍ରଫୁଲ୍ଲ ପଟେଲ ଓ ଶିବସେନାର ସଞ୍ଜୟ ରାଉତ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।
ମହାରାଷ୍ଟ୍ରରେ ବିଜୟ ପରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, “ନିର୍ବାଚନ କେବଳ ଲଢ଼ିବା ପାଇଁ ନୁହେଁ, ବିଜୟ ପାଇଁ। ଜୟ ମହାରାଷ୍ଟ୍ର। ଧନଞ୍ଜୟ ଶିବସେନାର ସଞ୍ଜୟ ରାଉତଙ୍କ ଠାରୁ ଅଧିକ ଭୋଟ ପାଇଛନ୍ତି। ସେହିପରି ସେ ସଞ୍ଜୟ ପାୱାରଙ୍କୁ ହରାଇଛନ୍ତି। କାଲି ସମସ୍ତେ କହିବେ ନିର୍ବାଚନ କମିଶନ ଗୋଟିଏ ଭୋଟକୁ ନାକଚ କରିଦେଲେ। ଯଦି ବି ସଞ୍ଜୟ ପାୱାର ଉକ୍ତ ଭୋଟ ପାଇଥାଆନ୍ତେ, ତା’ହେଲେ ବି ଆମେ ଜିତି ଥାଆନ୍ତୁ। ଏପରି କି ଯଦି ଜେଲରୁ ଆସି ନବାବ ମଲିକ ଭୋଟ ଦେଇଥାଆନ୍ତେ, ତା’ହେଲେ ବି ସଞ୍ଜୟ ପାୱାର ହାରି ଥାଆନ୍ତେ।”
ହରିଆଣାର ଗୋଟିଏ ଆସନରେ କାର୍ତ୍ତିକେୟ ଶର୍ମା ଜିତିଥିବା ବେଳେ ଅନ୍ୟ ଆସନଟିରେ ବିଜେପିର କ୍ରିଷ୍ଣା ଲାଲ ପନୱର ବାଜିମାତ କରିଛନ୍ତି। ଏଠାରେ କଂଗ୍ରେସର କିଛି ବିଧାୟକ କ୍ରସ ଭୋଟିଂ କରିଛନ୍ତି। ସେହିପରି ଜଣେ ବିଧାୟକଙ୍କ ଭୋଟ ନାକଚ ମଧ୍ୟ କରାଯାଇଥିଲା। ଏହି କାରଣରୁ କଂଗ୍ରେସର ଅଜୟ ମାକେନଙ୍କ ଜିତିବା ଆଶା ମଉଳି ଯାଇଛି।
The post ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ର ଓ ହରିଆଣାରେ ବିରୋଧୀଙ୍କୁ ଚକମା ଦେଲା ବିଜେପି appeared first on Odisha Reporter.
from Odisha Reporter https://ift.tt/YiZm5dW
No comments:
Post a Comment