ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ହେଲେ ତରଙ୍ଗର ବ୍ରାଣ୍ଡ୍ ଆମ୍ବାସଡର୍ । ପବିତ୍ର ରଜ ଉତ୍ସବ ଅବସରରେ ଅର୍ଚ୍ଚିତାଙ୍କୁ ତରଙ୍ଗ ଚ୍ୟାନେଲର ନୂଆ ବ୍ରାଣ୍ଡ ଆମ୍ବାସଡର୍ ଭାବେ ଘୋଷଣା କରିଛନ୍ତି ଓଡ଼ିଶା ଟେଲିଭିଜନ୍ ନେଟଓ୍ୱର୍କର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା । ତରଙ୍ଗ ପକ୍ଷରୁ କଟକ ନଖରାସ୍ଥିତ ଗ୍ରାଣ୍ଡ ବଜାରରେ ଆୟୋଜିତ ‘ଘୋ ଘା ରଜ’ କାର୍ଯ୍ୟକ୍ରମ ଅବସରରେ ସେ ଏନେଇ ଘୋଷଣା କରିଛନ୍ତି।
୨୦୦୮ ମସିହାରେ ମନୋରଞ୍ଜନଧର୍ମୀ ଚ୍ୟାନେଲ ‘ତରଙ୍ଗ’ ଆତ୍ମପ୍ରକାଶ କରିଥିଲା ଏବଂ ସଂଯୋଗବଶତଃ ସେହି ବର୍ଷ ଅର୍ଚ୍ଚିତା ମଧ୍ୟ ସିନେ ଦୁନିଆରେ ପାଦ ଥାପିଥିଲେ । ବିଗତ ବର୍ଷଗୁଡ଼ିକ ମଧ୍ୟରେ ଉଭୟ ଅର୍ଚ୍ଚିତା ଓ ତରଙ୍ଗ ଖୁବ୍ ଲୋକପ୍ରିୟତା ସାଉଁଟିଛନ୍ତି । ତେଣୁ ଆଗକୁ ମଧ୍ୟ ଅର୍ଚ୍ଚିତାଙ୍କ ସହଭାଗିତା ତରଙ୍ଗ ବ୍ରାଣ୍ଡକୁ ଲୋକପ୍ରିୟ କରିବାରେ ଆହୁରି ଅଧିକ ସହାୟକ ହେବ । ଉଭୟଙ୍କ ପାର୍ଟନରସିପ୍ ଭବିଷ୍ୟତରେ ଶିଖର ଛୁଇଁବ ବୋଲି ଆଶା ରଖିଥିବା କହିଛନ୍ତି ଜଗି ମଙ୍ଗତ ପଣ୍ଡା।
ଏନେଇ ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା କହିଛନ୍ତି, ତରଙ୍ଗ ସହ ଆଗରୁ ବହୁ କାମ କରିଛି। ହେଲେ ଏବେ ଯେଉଁ ସହଭାଗିତା ଆରମ୍ଭ ହୋଇଛି, ସେଥିପାଇଁ ବହୁତ ଖୁସି ଅଛି ଓ ଗର୍ବିତ ଅନୁଭବ କରୁଛି । ତରଙ୍ଗ ସବୁବେଳେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗକୁ ଯାଇଛି। ଓଡ଼ିଆ ଭାଷା ସାହିତ୍ୟକୁ ଆଗକୁ ନେବାକୁ ମୋତେ ଏହାଠୁ ଭଲ ସୁଯୋଗ ମିଳି ନ ଥାନ୍ତା। ବାହାଘର ପରେ ମୁଁ ଓଡ଼ିଆ ଘରର ପରମ୍ପରା, ପର୍ବପର୍ବାଣୀ ବିଷୟରେ ଅଧିକ ଜାଣିବାକୁ ପାଉଛି। ତେଣୁ ଠିକ୍ ସମୟରେ ମୋତେ ଠିକ୍ ସୁଯୋଗ ମିଳିଛି। ଆମେ ଓଡ଼ିଆ, ଏହି ଭାବନାକୁ ମନରେ ରଖି ପ୍ରତି ଓଡ଼ିଆ ଆଗକୁ ବଢ଼ିଥାନ୍ତି । ନିଜ ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିବାକୁ ମୁଁ ସବୁବେଳେ ଚେଷ୍ଟା ଜାରି ରଖିବି।
ଏହି ଅବସରରେ ଓଡ଼ିଶା ଟେଲିଭିଜନ୍ ଲିମିଟେଡର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥୀ ମଧ୍ୟ କହିଛନ୍ତି ଯେ, ‘ରଙ୍ଗ ଓଡ଼ିଆ, ଢଙ୍ଗ ଓଡ଼ିଆ’ ବାର୍ତ୍ତା ଜରିଆରେ ‘ତରଙ୍ଗ’କୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାରେ ଅର୍ଚ୍ଚିତା ବଡ଼ ଭୂମିକା ଗ୍ରହଣ କରିବେ ।
The post ତରଙ୍ଗର ବ୍ରାଣ୍ଡ ଆମ୍ବାସଡର୍ ହେଲେ ଅର୍ଚ୍ଚିତା, କହିଲେ-ବେଶ୍ ଗର୍ବିତ appeared first on Odisha Reporter.
from Odisha Reporter https://ift.tt/iUd23LX
No comments:
Post a Comment