ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ସେଠାରୁ ବିଧାନସଭାକୁ ପାଛୋଟି ଅଣାଯିବ ।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଶ୍ରୀମତୀ ମୁର୍ମୁଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ବିଜେଡି ମଧ୍ୟ ନିଜର ପ୍ରତିନିଧିଙ୍କୁ ପଠାଇ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ କରିବ । ବିମାନ ବନ୍ଦରରୁ ଶ୍ରୀମତୀ ମୁର୍ମୁ ସିଧାସଳଖ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱଳ୍ପ ସମୟ ପାଇଁ ଭେଟିବେ ।
ସେଠାରୁ ରାଜ୍ୟ ଅତିଥି ଭବନ ଯିବେ ଓ କିଛି ସମୟ ରହି ସକାଳ ୧୧ଟାରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ଭେଟି ଭୋଟ ଦେବାକୁ ଅନୁରୋଧ କରିବେ । ଉକ୍ତ ସମୟରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । ପ୍ରାୟ ୩୦ ମିନିଟ୍ ରହିବା ପରେ ଶ୍ରୀମତୀ ମୁର୍ମୁ ପୁଣିଥରେ ରାଜ୍ୟ ଅତିଥି ଭବନକୁ ଯାଇ ସେଠାରେ ବିଜେପି ବିଧାୟକ ଓ ଅନ୍ୟ ନେତାମାନଙ୍କୁ ଭେଟିବେ । ତା’ପରେ ଦିନ ୧ଟାରେ ଭୁବନେଶ୍ୱରରୁ ଚାଟାର୍ଡ ଫ୍ଲାଇଟରେ ଲକ୍ଷ୍ନୌ ଯିବାର କାର୍ଯ୍ୟକ୍ରମ ରହିଛି।
ଓଡ଼ିଶାର ଝିଅ ତଥା ବିଜେପି ନେତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶାସକ ବିଜେଡି ପୂର୍ବରୁ ଘୋଷଣା କରିଥିବାବେଳେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ନିଜର ସମର୍ଥନ ଦେବେ ବୋଲି କହିଛନ୍ତି । ଶ୍ରୀମତୀ ମୁର୍ମୁ ଆଜି ପୂର୍ବାହ୍ନ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ଅପରାହ୍ନ ୧ଟାରେ ସେ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମତୀ ମୁର୍ମୁୁଙ୍କୁ ଏହି ରହଣୀ ସମୟରେ ରାଜ୍ୟ ସରକାର ‘ରାଜ୍ୟ ଅତିଥି’ ଭାବେ ଘୋଷଣା କରିଛନ୍ତି ।
The post ଆଜି ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ, ଭବ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତି appeared first on Odisha Reporter.
from Odisha Reporter https://ift.tt/SXhjEt2
No comments:
Post a Comment