ଉମରକୋଟ(ଓଡ଼ିଶା ରିପୋର୍ଟର): ରାତି ପାହିଥିଲେ ମିଳିଥାନ୍ତା ପଦୋନ୍ନତି। ଅତିରିକ୍ତ ଥାନା ଅଧିକାରୀରୁ ହୋଇଥାନ୍ତେ ଥାନା ଆଇଆଇସି। ହେଲେ ଗୋଟିଏ ରାତି ଭିତରେ ହୋଇଗଲା ସବୁ ଏପଟ ସେପଟ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଉମରକୋଟର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କଠାରୁ ୨୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।
ଲିମରାଜ ଉମରକୋଟ ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଥିଲେ। ଆଜି ତାଙ୍କର ବଦଳି ଖାତିଗୁଡ଼ା ଥାନାକୁ ହୋଇଥାନ୍ତା। ସେଠାରେ ସେ ଆଇଆଇସି ଭାବେ କାର୍ଯ୍ୟ ତୁଲାଇଥାନ୍ତେ। ଗତକାଲି ଲିମରାଜଙ୍କ ଉମରକୋଟ ଥାନାରେ ଶେଷ ଦିବସ ଥିବା ବେଳେ ଏକ ଘରୋଇ ବିବାଦ ମାମଲାର ରଫାଦଫା କରିବାକୁ ନଳିନୀ କାନ୍ତ ନାୟକ ନାମକ ଜଣେ ଯୁବକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ନଳିନୀ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଲିମରାଜ ନଳିନୀଙ୍କୁ ଉମରକୋଟ ଥାନା ନିକଟରେ ଥିବା ବଜାରରେ ୨୦ ହଜାର ଟଙ୍କା ଧରି ଆସିବାକୁ କହିଥିଲେ। ନଳିନୀ ମଧ୍ୟ ଗତକାଲି ରାତିରେ ସେଠାକୁ ଟଙ୍କା ଧରି ଆସିଥିଲେ।
ଯୋଜନା ମୁତାବକ ଭିଜିଲାନ୍ସ କର୍ମଚାରୀ ସେଠାରେ ପ୍ରସ୍ତୁତ ହୋଇ ରହିଥିଲେ। ବଜାରରେ ନଳିନୀଙ୍କଠାରୁ ପୁଲିସ ବାବୁ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ଭିଜିଲାନ୍ସ ଲିମରାଜଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କର ଉମରକୋଟ ସ୍ଥିତ ବାସ ଭବନରେ ଚଢ଼ାଉ କରିଥିଲା। ତାଙ୍କୁ ଉମରକୋଟ ବସବଭବନରୁ ୨୩ ହଜାର ୬୦୦ ଟଙ୍କା ଜବତ କରିଥିଲା। ଭିଜିଲାନ୍ସ ଲିମରାଜଙ୍କ ଗିରଫ କରି ନବରଙ୍ଗପୁରରେ ପଚରାଉଚରା କରୁଥିବା ଜଣାଯାଇଛି।
The post ରାତି ପାହିଲେ ମିଳିଥାନ୍ତା ପଦୋନ୍ନତି, ତା’ଆଗରୁ ପୁଲିସବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/ULtXjuZ
No comments:
Post a Comment