ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିକିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ ଅଧୀନରେ ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜ୍ ଦିଆଯିବ। ଏହାର ପ୍ରଥମ ଦିନରେ ହିଁ ରେକର୍ଡ ସୃଷ୍ଟି ହୋଇଛି। ପୂର୍ବରୁ ଯେତିକି ଲୋକ ବୁଷ୍ଟର ଡୋଜ୍ ନେଉଥିଲେ ମାଗଣା ଅଭିଯାନର ପ୍ରଥମ ଦିନରେ ତା’ ଠାରୁ ୧୬ ଗୁଣ ଅଧିକ ହିତାଧିକାରୀ ଟିକା ନେଇଛନ୍ତି। ଶୁକ୍ରବାର ସମଗ୍ର ଦେଶରେ ୧୮ରୁ ୫୯ ବର୍ଷ ବର୍ଗରେ ଥିବା ୧୩.୨ ଲକ୍ଷ ଲୋକ କରୋନା ବିରୋଧରେ ବୁଷ୍ଟର ବା ପ୍ରିକସନ ଡୋଜ୍ ନେଇଛନ୍ତି।
ଗୁରୁବାର ଯାଏ ସମଗ୍ର ଦେଶରେ ମୋଟ ୭୮.୧ ଲକ୍ଷ ବୁଷ୍ଟର ଡୋଜ୍ ଲୋକମାନଙ୍କୁ ଦିଆଯାଇଥିଲା। ଏପ୍ରିଲ ୧୦ରୁ ଦେଶରେ ପ୍ରାପ୍ତ ବୟଙ୍କ ପାଇଁ ବୁଷ୍ଟର ଡୋଜ ନେବାର ସୁବିଧା ଉପଲବ୍ଧ କରାଯାଇଥିଲା। ସେବେଠାରୁ ଗୁରୁବାର ଯାଏ ଦୈନିକ ପ୍ରାୟ ୮୧,୦୦୦ ଡୋଜ୍ ଟିକା ଲୋକମାନେ ନେଉଥିଲେ। ହେଲେ ଶୁକ୍ରବାର ମାଗଣା ଅଭିଯାନ ଆରମ୍ଭ ହେବାରୁ ଲୋକଙ୍କ ମଧ୍ୟରେ ବୁଷ୍ଟର ଡୋଜ୍ ନେବାକୁ ଆଗ୍ରହ ଦେଖିବାକୁ ମିଳିଛି।
ଜୁଲାଇ ୧୪ ଯାଏ ଦେଶରେ ୧୮ରୁ ୫୯ ବର୍ଷ ବର୍ଗରେ ଥିବା ମୋଟ ୭୮,୧୧,୧୪୫ ଜଣ ଲୋକ କରୋନା ବିରୋଧରେ ବୁଷ୍ଟର ଡୋଜ୍ ନେଇଥିଲେ। ଏହାର ଅର୍ଥ ଦୈନି ୮୧,୩୬୬ ଡୋଜ୍ ଟିକାକରଣ ହେଉଥିଲା। ଗୁରୁବାର ଯାଏ ବିହାର, ଦିଲ୍ଲୀ ଓ ହରିଆଣାରେ ସର୍ବାଧିକ ଲୋକ ବୁଷ୍ଟର ଡୋଜ୍ ନେଇଥିଲେ। ଏହି ସବୁ ରାଜ୍ୟରେ ପୂର୍ବରୁ ହିଁ ମାଗଣାରେ ଲୋକଙ୍କୁ ପ୍ରିକସନ ଡୋଜ୍ ଦିଆଯାଉଥିଲା।
କେନ୍ଦ୍ର ସରକାର କେବଳ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦେଉଥିଲେ। ହେଲେ ୧୫ ତାରିଖ ଅର୍ଥାତ ଶୁକ୍ରବାର ଠାରୁ ସମସ୍ତ ପ୍ରାପ୍ତ ବୟସ୍କଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ବୁଷ୍ଟର ଡୋଜର ବ୍ୟବସ୍ଥା କରିଛନ୍ତି। ମାଗଣା ଅଭିଯାନ ଆରମ୍ଭ ହେବା ମାତ୍ରେ ଲୋକମାନେ ବୁଷ୍ଟର ଡୋଜ ନେବାକୁ ବିଭିନ୍ନ ସ୍ଥାନରେ ଧାଡ଼ି ବାନ୍ଧିବା ଆରମ୍ଭ କରିଛନ୍ତି।
The post ମାଗଣା ଅଭିଯାନ: ଦିନକରେ ୧୬ ଗୁଣ ଅଧିକ ଲୋକ ନେଲେ ବୁଷ୍ଟର ଡୋଜ୍ appeared first on Odisha Reporter.
from Odisha Reporter https://ift.tt/MsrTDNK
No comments:
Post a Comment