ଲଣ୍ଡନ: ବ୍ରିଟେନ୍ରେ ଦେଖାଦେଇଛି ରଜନୈତିକ ସଙ୍କଟ। ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ଟଳମଳ ହେଲାଣି ଆସନ। ନିଜ ପଦ ବଞ୍ଚାଇ ରଖିବା ପାଇଁ ଏବେ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ। ବୁଧବାର ଦୁଇ ମନ୍ତ୍ରୀ ପଦ ଛାଡିବା ପରେ ବ୍ରିଟେନରେ ରାଜନୀତିକ ସଙ୍କଟ ଆହୁରି ଘନେଇବାରେ ଲାଗିଛି। କଞ୍ଜରଭେଟିଭ ଦଳରେ ବିଦ୍ରୋହ ପରେ ବର୍ତ୍ତମାନ ସୁଦ୍ଧା ୩୯ ମନ୍ତ୍ରୀ ଏବଂ ସଂସଦୀୟ ସଚିବ ଇସ୍ତଫା ଦେଇଛନ୍ତି। ଏପରିକି ଗୃହମନ୍ତ୍ରୀ ପ୍ରୀତି ପଟେଲ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି।
ବୁଧବାର ଦିନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଉ ଏକ ଏଭଳି ପଦକ୍ଷେପ ନେଇଥିଲେ, ଯାହା ତାଙ୍କ ଆସନକୁ ବିପଦରେ ପକାଉଥିବା ଜଣାପଡିଛି। ସେ ଲେଭେଲିଂ ଅପ୍ ହାଉସିଂ ଆଣ୍ଡ କମ୍ୟୁନିଟି ସେକ୍ରେଟାରୀ ମାଇକେଲ ଗୋଭଙ୍କୁ ବରଖାସ୍ତ କରିଥିଲେ। ତାଙ୍କ କ୍ୟାବିନେଟରେ ବିଦ୍ରୋହ ପରେ ପରିସ୍ଥିତିକୁ କାବୁ କରିବା ପାଇଁ ସେ ଏହା କରିଥିଲେ। ଏହାପରେ ତାଙ୍କ ଇସ୍ତଫାକୁ ନେଇ ଦାବି ଜୋର ଧରିଛି।
ସୂଚନାନୁସାରେ, ଗୋଭ ଗଣମାଧ୍ୟମକୁ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଏହା ପରେ ତାଙ୍କୁ ବୋରିସ୍ ଜନସନ ବରଖାସ୍ତ କରିଛନ୍ତି। ସେ କହିଛନ୍ତି ଯେ ଏଭଳି ଘଟଣା ସାର୍ବଜନୀନ କରାଯିବା ଉଚିତ ନୁହେଁ। ଏଭଳି ପରିସ୍ଥିତିରେ ବୋରିସ୍ ଜନସନଙ୍କ ସହାୟକମାନେ ତାଙ୍କୁ ପ୍ରଶ୍ନ କରିଥିଲେ।
କନଜରଭେଟିଭ୍ ପାର୍ଟିର ଦୁଇ ଜଣ ବରିଷ୍ଠ ନେତା କହିଛନ୍ତି, ପରିବହନ ମନ୍ତ୍ରୀ ଗ୍ରାଣ୍ଟ ସାପ୍ସ, ନିର୍ଦେନ ଆର୍ୟଲାଣ୍ଡର ସେକ୍ରେଟାରୀ ବାରଡୋନ ଲୁଇସ ଏବଂ ୱେଲ୍ସ ସେକ୍ରେଟାରୀ ସିମନ ହାର୍ଟ ନମ୍ୱର ୧୦କୁ ଯାଇ ଜନସନଙ୍କୁ ପଦ ଛାଡିବାକୁ କହିପାରନ୍ତି। ଅନ୍ୟପଟେ ଟୋରୀର ଜଣେ ଅଧିକାରୀ କହିଛନ୍ତି, କ୍ୟାବିନେଟର ବରିଷ୍ଠ ମନ୍ତ୍ରୀଙ୍କ ବିଶ୍ୱାସ ସ୍ଥିତି ହାତରୁ ଖସିସାରିଛି ଏବଂ ଜନସନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରିପାରନ୍ତି।
ଅନ୍ୟପଟେ ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ କ୍ୱାସୀ କ୍ୱାର୍ଟେଙ୍ଗ ମଧ୍ୟ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି। ବାଣିଜ୍ୟ ମନ୍ତ୍ରୀ କ୍ୱାସୀ ପ୍ରଧାନମନ୍ତ୍ରୀ ଜନସନଙ୍କ ଉପରୁ ବିଶ୍ୱାସ ହରାଇ ସାରିଛନ୍ତି ଏବଂ ଖୁବଶୀଘ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ଜଣାଇ ସାରିଥିବା ତାଙ୍କ ସହଯୋଗୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବୋରିସ ଜନସନ ସରକାରରେ ଇସ୍ତଫାର ଝଡ ଜାରି ରହିଛି। ଗତ ୨୪ ଘଣ୍ଟା ଭିତରେ ଜନସନଙ୍କ ନେତୃତ୍ୱକୁ ବିରୋଧ କରି ସରକାରରୁ ୩୦ରୁ ଅଧିକ ଜଣ ଇସ୍ତଫା ଦେଇସାରିଛନ୍ତି। ଏଥିରେ କ୍ୟାବିନେଟ୍ ମନ୍ତ୍ରୀ, ଅଣ-କ୍ୟାବିନେଟ୍ ମନ୍ତ୍ରୀ, ପାର୍ଲିମେଣ୍ଟାରୀ ପ୍ରାଇଭେଟ୍ ସେକ୍ରେଟାରୀ (ପିପିଏସ), ବାଣିଜ୍ୟ ଦୂତ, କନଜରଭେଟିଭ୍ ପାର୍ଟିର ଉପାଧ୍ୟକ୍ଷ ଏବଂ ସୋଲିସିଟର ଜେନେରାଲ ଆଦି ସାମିଲ ଅଛନ୍ତି।
The post ବଢ଼ିଲା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସଙ୍କଟ, ଇସ୍ତଫା ଦେଲେଣି ୩୯ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/LbAVkJP
No comments:
Post a Comment