ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜି ହୀରାକୁଦ ଡ୍ୟାମରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂର୍ବାହ୍ନ ୧୧ଟା ବେଳେ ଖୋଲାଯିବ ହୀରାକୁଦ ଗେଟ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ । ଏହା ଫଳରେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି ।
ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି । ଆଜି ଡ୍ୟାମର ଜଳପତ୍ତନ ୬୧୩.୦୮ ଫୁଟ୍ ରହିଛି । ତେବେ ଡ୍ୟାମ୍ ଭିତରକୁ ୧ ଲକ୍ଷ ୩୫ ହଜାର ୧୪୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୩୯ ହଜାର ୩୪୮ କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି ।
ଏହାକୁ ନଜରରେ ରଖି ଆଜି ଗେଟ୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ବନ୍ୟାଜଳ ପ୍ରବେଶ ଯୋଗୁ ମହାନଦୀ ଓ ତାର ଶାଖା ନଦୀ ଫୁଲିବ । ତେଣୁ ତଳମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଏହି ବର୍ଷା ଲାଗି ରହିଲେ ଆଗକୁ ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବା ନେଇ ଅନୁମାନ କରାଯାଉଛି।
The post ଆଜି ଖୋଲିବ ହୀରାକୁଦ ଗେଟ୍, ଛଡ଼ାଯିବ ପ୍ରଥମ ବନ୍ୟା ଜଳ appeared first on Odisha Reporter.
from Odisha Reporter https://ift.tt/ahrJALu
No comments:
Post a Comment