ଅକ୍ଷର ପଟେଲଙ୍କ ବିସ୍ଫୋରଣରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 24, 2022

ଅକ୍ଷର ପଟେଲଙ୍କ ବିସ୍ଫୋରଣରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ ସ୍ପେନ: ରେକର୍ଡ ୩୧୨ ରନ୍‌ର ଟାର୍ଗେଟକୁ ଚେଜ୍‌ କରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆ ସହ ସିରିଜ୍‌ କବଜା କରିଛି ଟିମ୍‌ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ ଖେଳୁଥିବା ଭାରତ ଗୋଟିଏ ମ୍ୟାଚ୍‌ ପୂର୍ବରୁ ହିଁ ଶୃଙ୍ଖଳା ହାତେଇ ନେଇଛି। ପ୍ରଥମ ମ୍ୟାଚ୍‌କୁ ୩ ରନରେ ଜିତିଥିବା ଭାରତ ଦ୍ୱିତୀୟ ଦିନିକିଆକୁ ୨ ବଲ ପୂର୍ବରୁ ୨ ୱିକେଟରେ ଜିତି ନେଇଛି।

ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବିସ୍ଫୋରଣ ବ୍ୟାଟିଂ(୩୫ ବଲରେ ଅପରାଜିତ ୬୪) ବଳରେ ଭାରତ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌ ସାଇ ହୋପଙ୍କ ଶତକୀୟ ଇନିଂସ ବଳରେ ୬ ୱିକେଟ ହରାଇ ୩୧୧ ରନ କରିଥିଲା। ଶତକୀୟ ମ୍ୟାଚରେ ଶତକ ହାସଲ କରିଥିବା ସାଇ ହୋପଙ୍କ ଏହି ଇନିଂସକୁ କିନ୍ତୁ ଭାରତୀୟ ବ୍ୟାଟରମାନେ ଫିକା କରି ଦେଇଛନ୍ତି।

ପ୍ରଥମେ ଶ୍ରେୟସ ଆୟର(୬୩), ପରେ ସଞ୍ଜୁ ସାମସନ(୫୪) ଓ ଶେଷରେ ଅକ୍ଷର ପଟେଲଙ୍କ ଦମଦାର ବ୍ୟାଟିଂ ଯୋଗୁ ଭାରତ ୩୧୨ ରନ୍ କରି ମ୍ୟାଚ୍ ସହ ସିରିଜ୍ ଜିତିଛି। ବିସ୍ଫୋରକ ବ୍ୟାଟିଂ ସହ ବୋଲିଂରେ ଗୋଟିଏ ୱିକେଟ ନେଇଥିବା ଅକ୍ଷର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଏବେ ସିରିଜର ଶେଷ ମ୍ୟାଚ୍ ବୁଧବାର ଖେଳାଯିବ।

ଦ୍ୱିତୀୟ ଦିନିକିଆରେ ଟସ୍‌ ଜିତି ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୂରନ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ନିଜର ୧୦୦ତମ ଦିନିକିଆ ଖେଳୁଥିବା ହୋପ ଓ କାଇଲ ମାୟର୍ସ ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ ପାଇଁ ୬୫ ରନ ଯୋଡ଼ିଥିଲେ। ମାୟର୍ସ(୩୯)ଙ୍କୁ ଆଉଟ କରି ଦୀପକ ହୁଡ୍ଡା ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ତେବେ ଦ୍ୱିତୀୟ ୱିକେଟ ପାଇଁ ହୋପ ଓ ସାମରା ବ୍ରୁକ୍ସ ପୁଣି ଗୋଟିଏ ଭଲ ଭାଗିଦାରୀ କରି ଦଳୀୟ ସ୍କୋରକୁ ୧୨୭ରେ ପହଞ୍ଚାଇଥିଲେ। ଏଥିସହ ହୋପ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ବ୍ରୁକ୍ସ(୩୫)ଙ୍କୁ ଆଉଟ କରି ଅକ୍ଷର ପଟେଲ ଇଣ୍ଡିଜକୁ ଦ୍ୱିତୀୟ ଝଟକା ଦେଇଥିଲେ। ବ୍ରେଣ୍ଡନ କିଙ୍ଗ ଖାତା ଖୋଲିବା ପୂର୍ବରୁ ହିଁ ୟୁଜବେନ୍ଦର ଚହଲଙ୍କ ବଲରେ ଆଉଟ ହୋଇଥିଲେ।

ତେବେ ୪ର୍ଥ ୱିକେଟ ପାଇଁ ହୋପ ଓ ଅଧିନାୟକ ପୂରନ ୧୧୭ ରନ ଯୋଡ଼ି ବଡ଼ ସ୍କୋର ଅଭିମୁଖେ ଇଣ୍ଡିଜକୁ ନେଇ ଯାଇଥିଲେ। ପୂରନ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୨୪୭ ଥିବା ବେଳେ ଶାର୍ଦ୍ଦୁଲ ଠାକୁର ୭୪ ରନ କରିଥିବା ପୂରନ ଓ ପରେ ୧୩ ରନ କରିଥିବା ବିସ୍ଫୋରକ ରୋଭମାନ ପାୱେଲଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ତଥାପି ହୋପ ଦମଦାର ବ୍ୟାଟିଂ କରି ନିଜର ୧୦୦ତମ ଦିନିକିଆରେ ଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୩୦୦ ଥିବା ବେଳେ ୧୧୫ ରନ କରିଥିବା ହୋପଙ୍କୁ ଆଉଟ କରିଦେଇଥିଲେ ଶାର୍ଦ୍ଦୁଲ ଠାକୁର। ହୋପ ଏହି ଇନିଂସରେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଶେଷ ଭାଗରେ ରୋମାରିଓ ଶେଫର୍ଡ ୧୧ ବଲରେ ୧୪ ଓ ଅକିଲ ହୋସେନ ୪ ବଲରେ ୬ ରନ କରିବାରୁ ଇଣ୍ଡିଜ୍‌ ୩୧୧ ରନ କରିଥିଲା। ଭାରତ ପକ୍ଷରୁ ଶାର୍ଦ୍ଦୁଲ ୩ଟି ୱିକେଟ ନେଇଥିବା ବେଳେ ଅକ୍ଷର, ଚହଲ ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

୩୧୨ ରନ ଟାର୍ଗେଟ ପାଇଥିବା ଭାରତ ୪୮ ରନରେ ଅଧିନାୟକ ଶିଖର ଧୱନ(୧୩)ଙ୍କୁ ହରାଇଥିଲା। ସେହିପରି ଦଳୀୟ ସ୍କୋର ୬୬ ଥିବା ବେଳେ ଶୁବମନ ଗିଲ୍‌(୪୩) ଆଉଟ ହୋଇଥିଲେ। ସୂର୍ଯ୍ୟ କୁମାର ଯାଦବ ମଧ୍ୟ କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ। ୭୯ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଶ୍ରେୟସ ଆୟର ଓ ସଞ୍ଜୁ ସାମସନ ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୯୯ ରନର ଭାଗିଦାରୀ କରି ଦଳକୁ ମ୍ୟାଚ୍‌ରେ କମବ୍ୟାକ କରାଇଥିଲେ। ଏଥିସହ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

କିନ୍ତୁ ଦଳୀୟ ସ୍କୋର ୧୭୮ ଥିବା ବେଳେ ଶ୍ରେୟସ ବ୍ୟକ୍ତିଗତ ୬୩ ରନ କରି ଅଲଜାରି ଯୋଶେଫଙ୍କ ବଲରେ ଆଉଟ ହୋଇଥିଲେ। ସଞ୍ଜୁ ସାମସନ(୫୪) ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ରନ ଆଉଟ ହୋଇ ଯାଇଥିଲେ। ସାମସନ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୨୦୫ ଥିଲା। ଏହି ସମୟରେ ଦୀପକ ହୁଡ୍ଡା(୩୩)ଙ୍କୁ ସାଥୀ କରି ଅକ୍ଷର ପଟେଲ ଭାରତର କମାଣ ସମ୍ଭାଳିଥିଲେ। ଉଭୟ ୬ ୱିକେଟ ପାଇଁ ୫୧ ରନ ଯୋଡ଼ିଥିଲେ। ହୁଡ୍ଡା ଆଉଟ ହେବା ପରେ ଅକ୍ଷର ପଟେଲ ଏକାକୀ ଲଢ଼ିଥିଲେ।

୭ମ ୱିକେଟ ପାଇଁ ସେ ଶାର୍ଦ୍ଦୁଲ ଠାକୁରଙ୍କ ସହ ମିଶି ଦଳୀୟ ସ୍କୋରକୁ ୨୮୦ରେ ପହଞ୍ଚାଇଥିଲେ। ଏହି ଭାଗିଦାରୀରେ ଶାର୍ଦ୍ଦୁଲ କେବଳ ୩ ରନ କରିଥିଲେ। ଦିନିକିଆରେ ଡେବ୍ୟୁ କରିଥିବା ଆଭେଶ ଖାନ(୧୦) କିଛି ସମୟ ପାଇଁ ଅକ୍ଷରଙ୍କ ସାଥ ଦେଇଥିଲେ। ଶେଷରେ ଅକ୍ଷର ପଟେଲ ଦ୍ୱିତୀୟ ଭାରତୀୟ ଭାବେ ଦିନିକିଆରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୭ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହ ମ୍ୟାଚ୍‌କୁ ଶେଷ ଓଭର ଯାଏ ନେଇଥିଲେ। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୮ ରନ ଦରକାର ଥିଲା। ଏହି ଟାର୍ଗେଟକୁ ସେ ୨ ବଲ ପୂର୍ବରୁ ହାସଲ କରି ନେଇଥିଲେ।

ସବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଛକା ମାରି ମ୍ୟାଚ୍‌ ସହ ଭାରତକୁ ସିରିଜ୍‌ ଭେଟି ଦେଇଛନ୍ତି। ୩୫ ବଲରେ ଅପରାଜିତ ୬୪ ରନର ଇନିଂସ ଖେଳିଥିବା ଅକ୍ଷର ୫ଟି ଛକା ଓ ୩ଟି ଚୌକା ମାରିଛନ୍ତି। ତାଙ୍କ ସହ ମ୍ୟାଚ୍ ଶେଷ ବେଳକୁ ମହମ୍ମଦ ସିରାଜ ୧ ରନ କରି ଅପରାଜିତ ରହିଥିଲେ।

ଇଣ୍ଡିଜ ପକ୍ଷରୁ ଯୋଶେଫ, ମାୟର୍ସ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ଜୟଦେନ ସିଲେସ, ହୋସେନ ଓ ଶେଫର୍ଡ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

The post ଅକ୍ଷର ପଟେଲଙ୍କ ବିସ୍ଫୋରଣରେ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/3dDSCms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages