ନୂଆଦିଲ୍ଲୀ: ସକାଳୁ ସକାଳୁ ଘଟିଛି ବଡ଼ ଦୁର୍ଘଟଣା। ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଦୁଇଟି ଡବଲ ଡେକର ବସ୍ ପରସ୍ପରକୁ ଧକ୍କା ଦେଇଥିବାରୁ ଚାଲି ଯାଇଛି ୮ ଜଣଙ୍କ ଜୀବନ। ଏହି ଦୁର୍ଘଟଣାରେ ଆଉ ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌ ପଠାଯାଇଛି।
ପୁଲିସ୍ କହିଛି ଯେ ବାରବାଙ୍କି ଜିଲ୍ଲା ନରେନ୍ଦ୍ରପୁର ମାର୍ଦ୍ଧା ଗାଁ ନିକଟ ଦେଇ ଯାଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି ଯାକ ବସ୍ ଲୋକଙ୍କୁ ଧରି ବିହାରରୁ ଦିଲ୍ଲୀ ଯାଉଥିଲେ। ତେବେ ଅଧା ରାସ୍ତାରେ ଏତେ ବଡ଼ ଅଘଟଣ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ଦୁର୍ଘଟଣା ଯୋଗୁ ଦୁଇଟି ଯାକ ବସ ପୂରା ଛିନଛତ୍ର ହୋଇ ଯାଇଛି। ସେହିପରି ଗୋଟିଏ ବସ୍ ରାସ୍ତା ଉପରେ ଥିବା ବେଳେ ଆଉ ଗୋଟିଏ ବସ୍ ଡିଭାଇଡର ଉପରେ ଚଢ଼ି ଯାଇଛି। ରାସ୍ତାରେ ଦୁଇଟି ଯାକ ବସ୍ ଯାଉଥିଲା। ତେବେ ଆଗରେ ଯାଉଥିବା ବସ୍ଟି ହଠାତ୍ ଅଟକି ଯାଇଥିଲା। ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଆଉ ଗୋଟିଏ ବସ୍ ଏହାକୁ ଧକ୍କା ଦେଇଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ବସ୍ରେ ଥିବା ଜଣେ ଯାତ୍ରୀଙ୍କ କହିବା କଥା ଯେ ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଛି। ଦୁର୍ଘଟଣା ବେଳେ ଅଧିକାଂଶ ଯାତ୍ରୀ ନିଘୋଡ଼ ନିଦରେ ଶୋଇଥିଲେ। ତେବେ ଜୋରରେ ଶବ୍ଦ ହେବାରୁ ସମସ୍ତେ ଚିତ୍କାର କରିଥିଲେ। ଆଖି ଖୋଲିଲା ବେଳକୁ ଆମ ବସ୍ର ଧକ୍କା ଆଉ ଗୋଟିଏ ବସ୍ ସହ ହୋଇଥିବା ଦେଖିବାକୁ ପାଇଥିଲୁ। ପୁଲିସ୍ ଓ ଅନ୍ୟମାନେ ମିଳିତ ଭାବେ ବସ୍ ମଧ୍ୟରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିବା ଯାତ୍ରୀ ଜଣଙ୍କ କହିଛନ୍ତି।
ଅନ୍ୟପକ୍ଷରେ ରବିବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ମଧ୍ୟ ଭୟଙ୍କର ଦୁର୍ଘଟଣା ଘଟିଛି। ଜିଲ୍ଲାର ସାତରୁଣ୍ଡି ନିକଟରେ ଗୋଟିଏ କାର୍ ଖାତକୁ ଖସିପଡ଼ିବାରୁ ୫ ଜଣଙ୍କ ଜୀବନ ଯାଇଛି। ସେହିପରି ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ଗୁରଦାସପୁରର ହୋଇଥିବା ବେଳେ ଜଣେ ଚାମ୍ବା ଜିଲ୍ଲାର ବୋଲି ଜଣାପଡ଼ିଛି।
The post ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/yGrxXOo
No comments:
Post a Comment