ନୂଆଦିଲ୍ଲୀ: ବିପ୍ଳବୀ କବି, ସାମାଜିକ କର୍ମୀ ତଥା ଭୀମା କୋରେଗାଓଁ ହିଂସା ଘଟଣାର ଅଭିଯୁକ୍ତ ବରବରା ରାଓଙ୍କୁ ଶେଷରେ ସୁପ୍ରିମକୋର୍ଟ ବୁଧବାର ନିୟମିତ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଥିଲେ ମଧ୍ୟ ମୁମ୍ବାଇ ନ ଛାଡ଼ିବାକୁ ସର୍ତ୍ତ ରଖିଛନ୍ତି।
ଚିକିତ୍ସା ପାଇଁ ଶ୍ରୀ ରାଓଙ୍କୁ ବମ୍ବେ ହାଇକୋର୍ଟ ୬ ମାସର ଅନ୍ତରୀଣ ଜାମିନ ଦେଇଥିଲେ। ଏହା ବିରୋଧରେ ସେ ନିୟମିତ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଏହାର ଶୁଣାଣି ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି।
ଶ୍ରୀ ରାଓଙ୍କ ଆବେଦନକୁ ବିରୋଧ କରି ଏନଆଇଏ ନିଜର ପକ୍ଷ ରଖିଥିଲା। ଏଥିସହ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ଉଦାହରଣ ମଧ୍ୟ ଦେଇଥିଲା। ଏନଆଇଏ କହିଥିଲା ଯେ ଆଶାରାମ ବାବୁଙ୍କ ବୟସ ୮୦ ବର୍ଷରୁ ଅଧିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡ଼ିତ। ତଥାପି ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ତେଣୁ ଶ୍ରୀ ରାଓଙ୍କ କ୍ଷେତ୍ରେ ମଧ୍ୟ ସମାନ ନୀତି ଆପଣା ଯିବା ଦରକାର ବୋଲି ଏନଆଇଏ କହିଥିଲା।
ହେଲେ ରାଓଙ୍କ ଓକିଲ କହିଥିଲେ ଯେ ଏନଆଇଏ ମାମଲା ବିଚାର ପାଇଁ ଆଦୌ ଚାହୁଁନାହିଁ। ତଦନ୍ତକାରୀ ସଂସ୍ଥା କେବଳ ଜେଲ ଭିତରେ ଫାଦର ଷ୍ଟାନ ସ୍ୱାମୀଙ୍କ ଭଳି ଶ୍ରୀ ରାଓ ପ୍ରାଣ ହରାନ୍ତୁ ବୋଲି ଚାହୁଁଛି।
ଶ୍ରୀ ରାଓଙ୍କ ପାଇଁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର କହିଥିଲେ ଯେ ମାମଲାର ବିଚାର ଶେଷ ହେବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିପାରେ। କାରଣ ମାମଲାରେ ଚାର୍ଜଫ୍ରେମ ଏଯାଏ କରାଯାଇନି। ଏହାକୁ କାଉଣ୍ଟର କରି ଆଡିସନାଲ ସଲିସିଟର ଜେନେରାଲ ଏସଭି ରାଜୁ କହିଥିଲେ ଯେ ଦେଢ଼ ବର୍ଷ ଭିତରେ ଚାର୍ଜଫ୍ରେମ କରାଯିବ ଓ ମାମଲାର ତ୍ୱରିତ୍ୱ ବିଚାର ହେବ।
ଖଣ୍ଡପୀଠ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଶ୍ରୀ ରାଓ ଜାମିନ ପାଇଁ କରିଥିବା ଆବେଦନ ଯର୍ଥାଥ ବୋଲି କହିଛନ୍ତି। ଶୁଣାଣିରେ ବିଳମ୍ବ ଓ ଅଭିଯୁକ୍ତଙ୍କ ବୟସକୁ ଦୃଷ୍ଟିରେ ରଖି ତାଙ୍କୁ ନିୟମିତ ଜାମିନ ମିଳିବା ଉଚିତ ବୋଲି ଖଣ୍ଡପୀଠ ରୁଲିଂ ଦେଇଛନ୍ତି। ହେଲେ ଶ୍ରୀ ରାଓ ତାଙ୍କ ନିଜ ରାଜ୍ୟ ତେଲେଙ୍ଗାନାକୁ ଯିବା ନେଇ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ସେ ମୁମ୍ବାଇରେ ହିଁ ରହିବେ ଓ ମାମଲାର କୌଣସି ସାକ୍ଷୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୮୩ ବର୍ଷୀୟ ରାଓଙ୍କୁ ୨୦୨୧ ମସିହା ଫେବୃଆରୀରେ ୬ ମାସ ଯାଏ ଅନ୍ତରୀଣ ଜାମିନ ମିଳିଥିଲା। ଏହାପରେ କୋର୍ଟ ଏହି ଅବଧିକୁ ବୃଦ୍ଧି କରି ଚାଲିଛନ୍ତି। ଏବେ ବି ଶ୍ରୀ ରାଓ ଜାମିନରେ ଅଛନ୍ତି। କିନ୍ତୁ ତାଙ୍କୁ ନିୟମିତ ବେଲ୍ ମିଳୁ ନଥିବାରୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୧୭ ମସିହା ଡିସେମ୍ବର ୩୧ରେ ପୁଣେରେ ହୋଇଥିବା ଏଲଗାର ପରିଷଦ ସମ୍ମିଳନୀରେ ଶ୍ରୀ ରାଓ କୁଆଡ଼େ ଉତ୍ତେଜନା ସୃଷ୍ଟି କରିବା ଭଳି ଦେଶ ବିରୋଧୀ ଭାଷଣ ଦେଇଥିଲେ। ଏଥିପାଇଁ ଦିନକ ପରେ କୋରେଗାଓଁ-ଭୀମା ଯୁଦ୍ଧ ସ୍ମାରକୀ ନିକଟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପୁଣେ ପୁଲିସ୍ ଦାବି କରି ତାଙ୍କୁ ଗିରଫ କରିଥିଲା। ଭୀମା କୋରେଗାଓଁ ହିଂସା ଘଟଣାରେ ୨୦୧୮ରେ ଶ୍ରୀ ରାଓଙ୍କୁ ଗିରଫ କରାଯାଇଥିଲା।
The post ବରବରା ରାଓଙ୍କୁ ସୁପ୍ରିମକୋର୍ଟରୁ ନିୟମିତ ଜାମିନ, ମୁମ୍ବାଇ ଛାଡ଼ି ପାରିବେନି appeared first on Odisha Reporter.
from Odisha Reporter https://ift.tt/lS9TFrs
No comments:
Post a Comment