ଫ୍ଲୋରିଡା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜକୁ ୩-୧ କବଜା କରିଥିବା ଟିମ ଇଣ୍ଡିଆ ୫ମ ତଥା ଶେଷ ମ୍ୟାଚକୁ ବି ଜିତି ନେଇଛି। ରବିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍ରେ ଟିମ ଇଣ୍ଡିଆର କୌଣସି ଅଭିଜ୍ଞ କ୍ରିକେଟର ଖେଳୁ ନଥିଲେ। ତଥାପି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ ଇଣ୍ଡିଆ ୮୮ ରନରେ ମ୍ୟାଚ୍କୁ ଜିତି ନେଇଛି।
ଭାରତ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ ହରାଇ ୧୮୮ ରନ କରିଥିଲା। ଏହାର ଜବାବରେ ନିକୋଲସ ପୂରନଙ୍କ ଇଣ୍ଡିଜ ଟିମ୍ ୧୫.୩ ଓଭର୍ରେ ୧୦୦ ରନ କରି ଅଲଆଉଟ ହୋଇଯାଇଛି। ଦମଦାର ବୋଲିଂ ପାଇଁ ଭାରତର ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି। ସେହିପରି ପୂରା ସିରିଜ୍ରେ ଦମ ଦେଖାଇଥିବା ଭାରତର ଯୁବ ତାରକା ଅର୍ଶଦୀପ ସିଂହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ରୋହିତ ଶର୍ମା ଓ ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଟସ୍ ହାରି ଦଳ ପ୍ରଥମ ବ୍ୟାଟିଂ କରୁଥିବା ବେଳେ ୩୮ ରନରେ ଈଶାନ କିଶନ(୧୧)ଙ୍କୁ ହରାଇଥିଲା। ତେବେ ଇନିଂସ ଆରମ୍ଭ କରିଥିବା ଶ୍ରେୟସ ଆୟର ଓ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡ୍ଡା କାଉଣ୍ଟର ଆଟାକ କରିଥିଲେ। ଏଥିସହ ଆୟର ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।
ଦଳୀୟ ସ୍କୋର ୧୧୮ ଥିବା ବେଳେ ବ୍ୟକ୍ତିଗତ ୩୮ ରନ କରି ହୁଡ୍ଡା ଆଉଟ ହୋଇଥିଲେ। ଏହାପରେ ଶ୍ରେୟସ ଆୟର(୬୪)ଙ୍କୁ ଜେସନ ହୋଲ୍ଡର ପ୍ୟାଭିଲିୟନ ପଠାଇ ଦେଇଥିଲେ। ସଞ୍ଜୁ ସାମସନ(୧୫)ଙ୍କୁ ଓଡେନ ସ୍ମିଥ ଆଉଟ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ଦୀନେଶ କାର୍ତ୍ତିକ ମଧ୍ୟ କେବଳ ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଅଧିନାୟକ ହାର୍ଦ୍ଦିକ ୨୮ ରନ କରିବାରୁ ଦଳୀୟ ସ୍କୋର ୧୮୧ରେ ପହଞ୍ଚିଥିଲା। ଶେଷ ଭାଗରେ ଅକ୍ଷର ପଟେଲ ମଧ୍ୟ ୯ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭର୍ରେ ୭ ୱିକେଟ ହରାଇ ୧୮୮ ରନ କରିଥିଲା।
୧୮୯ ରନର ଟାର୍ଗେଟ ପାଇଥିବା ୱେଷ୍ଟଇଣ୍ଡିଜକୁ ଅକ୍ଷର ପଟେଲ ଆରମ୍ଭରୁ ରନ କରିବାର କୌଣସି ସୁଯୋଗ ଦେଇ ନଥିଲେ। ସେ ନିଜର ପ୍ରଥମ ଓଭର୍ରେ ଜେସନ ହୋଲ୍ଡରଙ୍କୁ କ୍ଲିନବୋଲ୍ଡ କରିଦେଇଥିଲେ। ବ୍ରୁକ୍ସ(୧୩) ଅକ୍ଷର ପଟେଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଡେଭନ ଥୋମାସ(୧୦)ଙ୍କୁ ଆଉଟ କରି ଅକ୍ଷର ପଟେଲ ପାୱାର ପ୍ଲେ ମଧ୍ୟରେ ଇଣ୍ଡିଜକୁ ତୃତୀୟ ଝଟକା ଦେଇଥିଲେ। ୩୩ ରନରେ ୩ଟି ୱିକେଟ ହରାଇଥିବା ଘରୋଇ ଟିମ୍ ଅଧିନାୟକ ପୂରନଙ୍କ ଠାରୁ ବଡ଼ ଇନିଂସ ଆଶା କରୁଥିଲା।
ହେଲେ ସେ ମାତ୍ର ୩ ରନ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ରବି ବିଷ୍ଣୋଇ ନିଜର ଯାଦୁ ଦେଖାଇ ପ୍ରଥମେ ରୋଭମନ ପାୱେଲ(୯), କେମୋ ପଲ(୦) ଓ ଓବେଦ ମ୍ୟାକୟଙ୍କୁ ଆଉଟ କରିଥିଲେ। ଗୋଟିଏ ପଟେ ୱିକେଟ ଝଡ଼ୁଥିବା ବେଳେ ଅନ୍ୟପଟେ ଶିମରନ ହେଟମେୟର ଦମଦାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୬ ରନ କରିଥିବା ବେଳେ ରବି ବିଷ୍ଣୋଇଙ୍କ ବଲରେ ଆଉଟ ହୋଇଥିଲେ।
ସେ ଏକାକୀ ୫୬ ରନ କରିଥିବା ବେଳେ ଇଣ୍ଡିଜର ପୂରା ଟିମ ୧୦୦ ରନ କରି ଅଲଆଉଟ ହୋଇ ଯାଇଛି। ବିଷ୍ଣୋଇଙ୍କ ବ୍ୟତୀତ କୁଲଦୀପ ଯାଦବ ମଧ୍ୟ ଦମ ଦେଖାଇଛନ୍ତି। ସେ ପୂରନ, ଡୋମିନିକ ଡ୍ରାକ୍ସ ଓ ହାୟଡେନ ୱାଲ୍ସଙ୍କ ୱିକେଟ ନେଇଛନ୍ତି। ୱେଷ୍ଟଇଣ୍ଡିଜର ୩ ଜଣ ବ୍ୟାଟରଙ୍କୁ ଛାଡ଼ି ଦେଲେ ଆଉ କେହି ବି ଦୁଇ ଅଙ୍କ ଛୁଇଁ ନାହାନ୍ତି।
ଭାରତ ପକ୍ଷରୁ ବିଷ୍ଣୋଇ ୪ଟି ୱିକେଟ ନେଇଥିବା ବେଳେ କୁଲଦୀପ ଓ ଅକ୍ଷର ପଟେଲ ୩ଟି ଲେଖାଏ ସଫଳତା ପାଇଛନ୍ତି।
The post ଇଣ୍ଡିଜ ବିପକ୍ଷ ଶେଷ ଟି-୨୦ ବି ଜିତିଲା ଟିମ୍ ଇଣ୍ଡିଆ appeared first on Odisha Reporter.
from Odisha Reporter https://ift.tt/bz8C5gh
No comments:
Post a Comment