ବର୍ମିଂହାମ: ପୁଣିଥରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲରେ ହାରିଛି ଭାରତୀୟ ମହିଳା କ୍ରିକେଟ ଟିମ୍। ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ମହିଳା ଦଳ ଠିକଣା ସମୟରେ ୱିକେଟ ହାସଲ କରି ଭାରତ ବିପକ୍ଷ ମ୍ୟାଚ୍ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛି। ଏଥିସହ ଭାରତୀୟ ମହିଳା ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ କରିଛି।
ସ୍ୱର୍ଣ୍ଣ ପଦକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍ରେ ୮ ୱିକେଟ ହରାଇ ୧୬୧ ରନ କରିଥିଲା। ଏହାର ଜବାବରେ ହରମନପ୍ରୀତ କୌରଙ୍କ ଭାରତ ୧୫୨ ରନରେ ଅଲଆଉଟ ହୋଇ ଯାଇଛି। ଅଧିନାୟକ ହରମନପ୍ରୀତ କୌର ୬୫ ଓ ଇନଫର୍ମ ଜେମିମା ରୋଡ୍ରିଗସ ୩୩ ରନର ଇନିଂସ ଖେଳିଥିଲେ ମଧ୍ୟ ଟିମ ଇଣ୍ଡିଆ ଟାର୍ଗେଟରୁ ୯ ରନ ପଛରେ ରହି ଯାଇଥିଲା।
ଅଷ୍ଟ୍ରେଲିଆ ଦେଇଥିବା ୧୬୨ ରନର ଟାର୍ଗେଟକୁ ପିଛା କରୁଥିବା ଭାରତ ଆରମ୍ଭରୁ ସ୍ମୃତି ମନ୍ଧାନା(୧୧) ଓ ଶେଫାଳି ବର୍ମା(୬)ଙ୍କୁ ହରାଇଥିଲା। ତେବେ ତୃତୀୟ ୱିକେଟ ପାଇଁ ହରମନପ୍ରୀତ ଓ ଜେମିମା ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୧୮ରେ ପହଞ୍ଚାଇ ଦେଇଥିଲେ। ଏଥିସହ ଉଭୟ ୪ର୍ଥ ୱିକେଟ ପାଇଁ ୯୬ ରନର ଭାଗିଦାରୀ କରି ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଜବରଦସ୍ତ କମବ୍ୟାକ କରିଥିଲା। ମେଘନା ସ୍କୁଟ ପ୍ରଥମେ ୩୩ ରନ କରିଥିବା ଜେମିମାଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହାପରେ ଗାର୍ଡେନର କ୍ରମାଗତ ଦୁଇଟି ବଲରେ ଦୁଇଟି ୱିକେଟ ଦଖଲ କରିଥିଲେ। ସେ ପ୍ରଥମେ ପୂଜା ବସ୍ତ୍ରକର(୧) ଓ ଏହାପରେ ଅର୍ଦ୍ଧଶତକ ହାସଲ କରିଥିବା ହରମନପ୍ରୀତ କୌରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଭାରତୀୟ ମହିଳା ଦଳକୁ ମ୍ୟାଚ ଜିତିବା ପାଇଁ ଏକଦା ୩୦ ବଲରେ ୪୦ ରନ ଦରକାର ଥିଲା। ସେହିପରି ଦଳ ହାତରେ ୭ ୱିକେଟ ମଧ୍ୟ ରହିଥିଲା। କିନ୍ତୁ ସ୍କୁଟ ଓ ଗାର୍ଡେନର ଠିକଣା ସମୟରେ ୱିକେଟ ଦଖଲ କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ।
ହରମନପ୍ରୀତ କୌର ଆଉଟ ହେବା ପରେ ଦୀପ୍ତି ଶର୍ମା(୧୩), ସ୍ନେହା ରାଣା(୮), ରାଧା ଯାଦବ(୧), ୟାସ୍ତିକା ଭାଟିଆ(୨) ଓ ମେଘନା ସିଂହ(୧) ଜଣଙ୍କ ପରେ ଜଣେ ଆଉଟ ହୋଇଥିଲେ। ଶେଷରେ ପୂରା ଟିମ୍ ୧୯.୩ ଓଭର୍ରେ ୧୫୨ ରନ କରି ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଗାର୍ଡେନର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ସ୍କୁଟ ୨ଟି, ଜେସ ଜୋନାସେନ ଓ ଡାର୍ସି ବ୍ରାଉନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟକୁ ଚଳିତ ବର୍ଷ ସାମିଲ କରାଯାଇଥିଲା। ପ୍ରଥମ ସଂସ୍କରଣରେ ଭାରତ ରୌପ୍ୟ ଓ ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ପଦକ ଜିତିଛି।
The post ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା କ୍ରିକେଟରେ ଭାରତକୁ ରୌପ୍ୟ ପଦକ appeared first on Odisha Reporter.
from Odisha Reporter https://ift.tt/Z1mcSaX
No comments:
Post a Comment