ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଗତକାଲି ଥିଲା ସ୍ୱର୍ଣ୍ଣିମ ଦିନ । ଗୋଟିଏ ଦିନରେ କେବଳ କୁସ୍ତିରୁ ହିଁ ଭାରତ ହାତେଇଛି ୬ ପଦକ। ଗତକାଲି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନ ଥିବା ବେଳେ ଭାରତ ପାଇଁ ଏହା ସାବ୍ୟସ୍ତ ହୋଇଛି ଲକି । ଏହି ଦିନ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ସହ ମୋଟ ୬ଟି ପଦକ ମିଳିଛି । କୁସ୍ତିଯୋଦ୍ଧାମାନେ ହିଁ କେବଳ ଦେଶ ପାଇଁ ଏହି ସୌଭାଗ୍ୟ ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି। ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆ ପୁରୁଷ ବର୍ଗରେ ଏବଂ ସାକ୍ଷୀ ମଲିକ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସ୍ଥିତିକୁ ମଜବୁତ କରିଛନ୍ତି ।
ପୁରୁଷ ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ଜିତିଛନ୍ତି । ଫାଇନାଲ ମ୍ୟାଚରେ ସେ କାନାଡ଼ାର ଲାଚଲାନ ମ୍ୟାକନିଲଙ୍କୁ ୯-୨ ହରାଇ ଚାମ୍ପିୟନ ହୋଇଛନ୍ତି। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ବଜରଙ୍ଗ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ୨୦୧୪ରେ ସେ ରୌପ୍ୟ ପଦକ ଜିତିଥିଲେ।
ସେହିପରି ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ମିଳିଛି ସ୍ୱର୍ଣ୍ଣ । ସେ କାନାଡ଼ାରେ ଆନ୍ନା ଗୋଞ୍ଜଲଜେଙ୍କୁ ପରାସ୍ତ କରି ଭାରତ ପାଇଁ କୁସ୍ତିରେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି। ୮୬ କେଜି ବର୍ଗ ପୁରୁଷରେ ଦୀପକ ପୁନିଆ ମଧ୍ୟ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିବାରେ ସକ୍ଷମ ହୋଇଛନ୍ତି।
ଅନ୍ୟପଟେ ୫୭ କେଜି ବର୍ଗ ମହିଳା କୁସ୍ତିରେ ଅଂଶୁ ମଲ୍ଲିକ ରୌପ୍ୟ ପଦକ ହାତେଇଛନ୍ତି । ସେ ତାଙ୍କ ନାଇଜେରୀୟ ପ୍ରତିପକ୍ଷ ଓଜୁନାୟୋ ଆଦେକୁରୋଏଙ୍କୁ ହରାଇଛନ୍ତି । ୬୮ କେଜି ବର୍ଗ ମହିଳା କୁସ୍ତିରେ ଦିବ୍ୟା କାକ୍ରନଙ୍କୁ ମିଳିଛି ବ୍ରୋଞ୍ଜ । ୧୨୫ କେଜି ବର୍ଗ ପୁରୁଷରେ ମୋହିତ ଗ୍ରେଓ୍ୱାଲ ମଧ୍ୟ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।
ଏ ପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୯ଟି ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ମେଡାଲ୍ ସହ ମୋଟ ୨୬ଟି ପଦକ ପାଇ ଭାରତ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଅନ୍ୟପଟେ ଲନ୍ବଲସ୍ ପୁରୁଷ ବିଭାଗରେ ସେମିଫାଇନାଲ୍ରେ ଇଂଲଣ୍ଡକୁ ହରାଇ ଭାରତ ଫାଇନାଲ୍ରେ ପ୍ରବେଶ କରିସାରିଥିବାରୁ ଆଉ ଏକ ମେଡାଲ ପକ୍କା ହୋଇଛି । ଭାରତୀୟ ଖେଳାଳିଙ୍କର ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
The post ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ; କୁସ୍ତିରେ ୩ ସ୍ୱର୍ଣ୍ଣ ସହ ମିଳିଲା ୬ ପଦକ appeared first on Odisha Reporter.
from Odisha Reporter https://ift.tt/Jp01Wdo
No comments:
Post a Comment