ଭଦ୍ରକ/ କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଆଜି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ପ୍ରବଳ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ତେବେ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି।
ସେହିପରି ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡିକୁ ବନ୍ଦ ଘୋଷଣା କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ପ୍ରବଳ ବର୍ଷା ସୂଚନା ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ ଏହି ନିଷ୍ପତ୍ତି ନେଇଛନ୍ତି।
ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଘଣ୍ଟାକୁ ୨୨ କିମି ବେଗରେ ଗତି କରୁଛି। ବାରିପଦା ଠାରୁ ୩୦ କିମି ଦୂର ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହା ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଆଜି ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତାକାଲି ବର୍ଷାର ପ୍ରଭାବ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। କେତେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି।
The post ଆଜି ଭଦ୍ରକ ଓ କେନ୍ଦୁଝରରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ appeared first on Odisha Reporter.
from Odisha Reporter https://ift.tt/NiLH9gh
No comments:
Post a Comment